ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରର ସରକାରୀକରଣ!

ସାହିତ୍ୟ ଏକାଡେମି ଇତିହାସର କଳା ଦିନ
ଏକାଡେମିର ସମ୍ବିଧାନକୁ ମାନିଲେନି
ସରକାର ନିଜେ ପ୍ରସ୍ତୁତ କଲେ ପୁରସ୍କାର ନିୟମାବଳୀ
ଓଡ଼ିଶାର ସାହିତ୍ୟିକଙ୍କ ପ୍ରତି ଅପମାନ

ଭୁବନେଶ୍ବର : ଶୁକ୍ରବାର ଥିଲା ସାହିତ୍ୟ ଏକାଡେମି ଇତିହାସର କଳା ଦିନ। କାରଣ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରର ସରକାରୀକରଣ ପାଇଁ ଏକାଡେମିର ସଂବିଧାନକୁ ପାଦରେ ଦଳି ଦିଆଯାଇଛି। କାର୍ଯ୍ୟକାରୀ ପରିଷଦ ପରିବର୍ତ୍ତେ ସରକାର ନିଜେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମିର ଯାହା କିଛି ସ୍ୱାୟତ୍ତତା ଥିଲା, ତାହାକୁ ସଦସ୍ୟମାନଙ୍କ ଅନିଚ୍ଛା ସତ୍ତ୍ବେ ସରକାରଙ୍କ ହାତକୁ ଟେକି ଦିଆଯାଇଛି। ଏକାଡେମିର ସଭାପତି, ଉପସଭାପତି, ସଚିବ ଏବଂ ଅର୍ଥ ପରାମର୍ଶଦାତା ସାହିତ୍ୟିକମାନଙ୍କ ସ୍ବାଧୀନତାକୁ ମଧ୍ୟ କୁଠାରଘାତ କରିବାକୁ ପଛାଇନାହାନ୍ତି। ଯାହାକୁ ନେଇ ସାହିତ୍ୟିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଶୁକ୍ରବାର ପୂର୍ବାହ୍‌ଣରେ ଏକାଡେମିର ଏକ କାର୍ଯ୍ୟକାରୀ ପରିଷଦ ବୈଠକ ବସିଥିଲା। ସେଥିରେ ମାତ୍ର ଚାରୋଟି କାର୍ଯ୍ୟସୂଚୀ ରହିଥିଲା। ପ୍ରଥମଟି ଅର୍ଥ ସମିତି ନିଷ୍ପତ୍ତି ଉପରେ ଆଲୋଚନା ଓ ଅନୁମୋଦନ, ଦ୍ବିତୀୟଟି ବିଭାଗୀୟ ପଦୋନ୍ନତି କମିଟି ବୈଠକର ବିବରଣୀ ଅନୁମୋଦନ, ତୃତୀୟଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ସଂଶୋଧିତ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ଏବଂ ଚତୁର୍ଥଟି ସଭାପତିଙ୍କ ଅନୁମୋଦନ। କାର୍ଯ୍ୟକାରୀ ପରିଷଦର ୯ ଜଣ ସଦସ୍ୟଙ୍କ ମଧ୍ୟରୁ ଆଜି ବୖଠକରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ପରିଷଦର ସଦସ୍ୟ ରଂଜନ କୁମାର ଦାଶ ଅନୁପସ୍ଥିତ ରହିଥିଲେ। ବୈଠକରେ ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା, ଏକାଡେମିର ଅର୍ଥ ପରାମର୍ଶଦାତା, ସଚିବ ପ୍ରବୋଧ ରାଉତ, ସଦସ୍ୟ ଡ. ଶୁଭଶ୍ରୀ ଲେଙ୍କା, ଡ. ନୃସିଂହ ଷଡଙ୍ଗୀ, ଚନ୍ଦ୍ରଶେଖର ହୋତା ଓ ପ୍ରଫେସର ପ୍ରସନ୍ନ ସ୍ବାଇଁ ଉପସ୍ଥିତ ଥିଲେ। ତେବେ ସଚିବ ଯୋଜନାବଦ୍ଧ ଭାବେ କାର୍ଯ୍ୟସୂଚୀଗୁଡ଼ିକୁ ଉପସ୍ଥାପନ କରିଥିଲେ। ଯାହାକୁ ନେଇ ବୈଠକରେ ସଦସ୍ୟମାନେ ଅସହମତି ପ୍ରକାଶ କରିଥିଲେ।
ସାହିତ୍ୟ ଏକାଡେମି ସମ୍ବିଧାନର ଧାରା ୧୪(୪) ଅନୁସାରେ ଏକାଡେମିର ବାର୍ଷିକ ବଜେଟ୍‌କୁ କାର୍ଯ୍ୟକାରୀ ପରିଷଦ ପ୍ରସ୍ତୁତ କରିବେ। କିନ୍ତୁ ସଚିବ ଅର୍ଥ ସମିତିର ସୁପାରିଶକୁ ଅନୁମୋଦନ ପାଇଁ କାର୍ଯ୍ୟକାରୀ ପରିଷଦକୁ କହିଥିଲେ, ଯାହାକି ସମ୍ବିଧାନର ଉପରୋକ୍ତ ଧାରାକୁ ଉଲ୍ଲଂଘନ କରୁଛି। ଆଜି ଆଲୋଚନା ବେଳେ ସଭାପତି କାର୍ଯ୍ୟକାରୀ ପରିଷଦର ସଦସ୍ୟଙ୍କ କୌଣସି ଯୁକ୍ତିକୁ ଗ୍ରହଣ କରିନଥିଲେ। ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି ବୋଲି ଯୁକ୍ତି ଦର୍ଶାଇ ଏହା ଅନୁମୋଦନ କରାଗଲା ବୋଲି ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ନିୟମ ଅନୁସାରେ କାର୍ଯ୍ୟକାରୀ ପରିଷଦର ଅନୁମୋଦନ ପରେ ଏକାଡେମିର ୫୬ ଜଣ ଜେନେରାଲ୍‌ କାଉନସିଲ୍‌ ବୈଠକକୁ ଉପସ୍ଥାପିତ କରାଯିବ। ଏହାପରେ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯିବା କଥା। କିନ୍ତୁ ଏକ୍ଷେତ୍ରରେ ତାହା ହେଲାନାହିଁ।

ସୂଚନାଯୋଗ୍ୟ ଯେ ଏକାଡେମି ପକ୍ଷରୁ ଓଡ଼ିଶାରେ ତିନିଟ ପୁରସ୍କାର ଦିଆଯାଇଥାଏ। ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ( ଅର୍ଥ ରାଶି ୫ ଲକ୍ଷ ଟଙ୍କା)। ଦ୍ବିତୀୟରେ ‘ସାରସ୍ବତ ସାଧକ/ସାଧିକାଙ୍କ ପାଇଁ ସମ୍ବର୍ଦ୍ଧନା’ରେ ବର୍ଷକୁ ୧୫ ଜଣ ବ୍ୟକ୍ତିଙ୍କୁ ଜଣଙ୍କ ପିଛା ଲକ୍ଷେ ଟଙ୍କା ଲେଖାଏ ଦିଆଯାଏ। ତୃତୀୟରେ ‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର’। ଏଥିରେ ପ୍ରତି ବର୍ଷ ୧୧ଟି ବିଭାଗର ୧୧ ଜଣ ଲେଖକଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯାଇଥାଏ। ୨୦୨୧ ଜାନୁଆରି ୨୭‌ରେ କାର୍ଯ୍ୟକାରୀ ପରିଷଦ ପୁରସ୍କାର ରାଶି ସରକାର ବୃଦ୍ଧି କରିଥିବା ଦର୍ଶାଇବା ସହିତ ପୁରସ୍କାର ନିୟମାବଳୀ ନୂତନ ଭାବେ ପ୍ରଣୟନ/ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୨୧ ଅଗଷ୍ଟ ୨ରେ କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦର ଅନୁମୋଦନ ପରେ ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ନିୟମାବଳୀ ଏବଂ ‘ସାରସ୍ବତ ସାଧକ/ସାଧିକାଙ୍କ ପାଇଁ ସମ୍ବର୍ଦ୍ଧନା’ ପାଇଁ ଉଦ୍ଦିଷ୍ଟ ନିୟମାବଳୀ କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ପରେ ତାହାକୁ ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଛି ବୋଲି ୨୦୨୨ ଏପ୍ରିଲ୍‌ ୨୫ ଓ ୨୬ରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦର ବିବରଣୀରେ ସାହିତ୍ୟ ଏକାଡେମିର ସଚିବ ପ୍ରବୋଧ ରାଉତ ସୂଚନା ଦେଇଥିଲେ। ସରକାରଙ୍କଠାରୁ ଏହି ନିୟମାବଳୀ ଅନୁମୋଦନ ପାଇବା ପରେ ଅଟକିଥିବା ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ଓ ‘ସାରସ୍ବତ ସାଧକ/ସାଧିକାଙ୍କ ପାଇଁ ସମ୍ବର୍ଦ୍ଧନା’ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ।

ଆଶ୍ଚର୍ଯ୍ୟର କଥା ପାଖାପାଖି ବର୍ଷେ ପରେ ମଧ୍ୟ ସରକାର ଏଦିଗରେ ନିରବ ରହିଛନ୍ତି। କିନ୍ତୁ ସଂପୃକ୍ତ ନିୟମାବଳୀକୁ କମିଟି କିମ୍ବା କାର୍ଯ୍ୟକାରୀ ପରିଷଦ ପ୍ରଣୟନ କରିନଥିବା ବେଳେ ସରକାର ହଠାତ୍‌ ନିଜ ତରଫରୁ କାର୍ଯ୍ୟକାରୀ ପରିଷଦକୁ ଅଣଦେଖା କରି ୨୦୨୨ ମେ ୨ରେ ଏକାଡେମି ସଚିବଙ୍କୁ ପତ୍ର ଲେଖିଥିଲେ। ନୂଆ ନିୟମାବଳୀକୁ ତତ୍‌କାଳ ଲାଗୁ କରିବା ପାଇଁ ଏଥିରେ ନିର୍ଦ୍ଦେଶ ଦେଇଥିଲେ। ଆଜିର ବୈଠକ‌ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ ପରିଷଦକୁ ସେ ଅବଗତ କରିଥିଲେ। ଏହି ନିୟମାବଳୀ କାର୍ଯ୍ୟକାରୀ ପରିଷଦ (ସମ୍ବିଧାନର ୧୧(୪)ଅନୁସାରେ) ପ୍ରସ୍ତୁତ କରିନାହିଁ କିମ୍ବା ତାହା ସାଧାରଣ ପରିଷଦଙ୍କ ଦ୍ବାରା ଅନୁମୋଦିତ ହୋଇନାହିଁ। ଅନ୍ୟପକ୍ଷରେ ସରକାରଙ୍କ ଏହି ନିୟମାବଳୀ ପ୍ରସ୍ତୁତିକୁ ବେଆଇନ ଦର୍ଶାଇ କାର୍ଯ୍ୟକାରୀ ପରିଷଦର ଅନ୍ୟତମ ସଦସ୍ୟ ଡ. ନୃସିଂହ ଷଡ଼ଙ୍ଗୀ ଏକ ଅଭିଯୋଗ ପତ୍ର ସଭାପତିଙ୍କୁ ପ୍ରଦାନ କରିଥିଲେ। ସଭାପତି ହୃଷିକେଶ ମଲ୍ଲିକ ଏହାକୁ ଗ୍ରହଣ କରିଥିଲେ। ସଭାପତି, ଉପସଭାପତି, ସଚିବ, ଅର୍ଥ ପରାମର୍ଶଦାତାଙ୍କ ଛଡ଼ା ଅନ୍ୟ ସଦସ୍ୟମାନେ ଡ. ଷଡ଼ଙ୍ଗୀଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ। କିନ୍ତୁ ଅଧକ୍ଷ ଯୁକ୍ତି କରିଥିଲେ ଯେ ସମ୍ବିଧାନର ୧୧(୬) ଧାରାରେ ସରକାରଙ୍କର ନିର୍ଦ୍ଦେଶ ଦେବାର ଅଧିକାର ରହିଛି। ଏହି ନିର୍ଦ୍ଦେଶନାମା ଯେଉଁ ବିଷୟକୁ ଆଧାର କରି ଜାରି କରାଯାଇଛି ତାର ଉଲ୍ଲଂଘନ ହୋଇଥିଲେ ବି ଧାରା ୧୧(୬) ଅନୁସାରେ ସରକାରଙ୍କ ଆଦେଶକୁ ପାଳନ କରିବା ପାଇଁ ସେ ନିଷ୍ପତ୍ତି ନେଇ ନିଜ ରାୟ ଶୁଣାଇଥିଲେ। ଏସମସ୍ତ ବିଷୟ ବିବରଣୀରେ ଲେଖାଯିବ ନାହିଁ ବୋଲି ଖୋଲାଖୋଲି କହିଥିଲେ। ଯାହା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରର ସରକାରୀକରଣ ବୋଲି କହି ଅନ୍ୟ ସଦସ୍ୟମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ବୈଠକରେ ସଭାପତି ହୃଷୀକେଶ ମଲ୍ଲିକ ଓ ଉପସଭାପତି ସଂଗ୍ରାମ ଜେନା ସରକାରଙ୍କ ପକ୍ଷରେ ରହିଲେ। ଅର୍ଥ ପରାମର୍ଶଦାତା ତ ସହଜେ ଏକାଡେମିର ବେତନଭୋଗୀ କର୍ମଚାରୀ। ଫଳରେ ଏକାଡେମି ସଂବିଧାନର ଉଲ୍ଲଂଘନରେ ସରକାର ପ୍ରସ୍ତୁତ କରିଥିବା ଅସାଂବିଧାନିକ ପୁରସ୍କାର ନିୟମାବଳୀ କାର୍ଯ୍ୟକାରୀ ହେବାକୁ ବାଟ ଫିଟିଛି। ସାଧାରଣ ପରିଷଦ ଏକାଡେମିର ପ୍ରଥମ ଓ ସର୍ବୋଚ୍ଚ କର୍ତ୍ତୃପକ୍ଷ ହୋଇଥିଲେ ମଧ୍ୟ ତାହା ଆଉ ସାଧାରଣ ପରିଷଦର ଅନୁମୋଦନ ପାଇଁ ଆସିବ ନାହିଁ। ସାଧାରଣ ପରିଷଦ ସଦସ୍ୟମାନଙ୍କର ଭୂମିକା ଗୌଣ ହୋଇ ରହିବ। ଏକାଡେମିର ସଂବିଧାନର ଉଲ୍ଲଂଘନ ସତ୍ତ୍ୱେ ସଭାପତି କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦର ସାଂବିଧାନିକ ଅଧିକାରକୁ ଯେପରି ଭାବରେ ସରକାରଙ୍କ ହାତକୁ ଟେକିଦେଲେ, ତାହା ଲଜ୍ଜାଜନକ। ଏହା ଏକାଡେମି ପ୍ରତି ଓ ସାହିତ୍ୟିକମାନଙ୍କର ସର୍ବୋଚ୍ଚ ଅନୁଷ୍ଠାନ ଭାବରେ ଓଡ଼ିଶାର ସାହିତ୍ୟିକଙ୍କ ପ୍ରତି ଅପମାନ ବୋଲି ଅନେକ ସାହିତ୍ୟିକ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର