ଓଡ଼ିଆ ସାହିତ୍ୟ ବିରୋଧରେ ଷଡ଼୍ଯନ୍ତ୍ର! ପୁରସ୍କାର ଦିଆଯାଉନି, ଦୁର୍ବଳ କରିଦେଲେଣି ଏକା଼ଡେମିକୁ
ସଭାପତି ନିଯୁକ୍ତି ଦେଲେନି, ପରିଷଦ କାର୍ଯ୍ୟକାଳ ବୃଦ୍ଧି ମସୁଧା
ଭୁବନେଶ୍ବର : ନା ଓଡ଼ିଶାର ଘରେ ଘରେ ପରିଚିତ ଶିଶୁଲେଖା ଆଉ ପ୍ରକାଶ ପାଉଛି ନା ଛବିଳ ବର୍ଣ୍ଣବୋଧ। ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭର୍ଚୁଆଲ ଏକାଡେମି ମୂଳ ଉଦ୍ଦେଶ୍ୟ ସାଧନ କରିପାରିଲେ ନାହିଁ। ଶାସ୍ତ୍ରୀୟ ମାନ୍ୟତା ହାସଲ ପରେ ଆଉ ଓଡ଼ିଆ ଭାଷାର ବିକାଶ ପାଇଁ ଠୋସ୍ କିଛି ପଦକ୍ଷେପ ଏଯାଏ ସରକାରୀସ୍ତରରେ ନିଆଯାଇନାହିଁ। କାଗଜକଲମରେ ଅଟକିଯାଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ଭାଷା କମିସନ ବି। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ୨୦୧୫ ମସିହାରୁ ଦିଆଯାଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ଭାଷା ବିରୋଧରେ ଏଭଳି ସାଂଘାତିକ ଷଡ଼ଯନ୍ତ୍ରର ରଚୟିତା କିଏ? ରାଜ୍ୟ ସରକାର ସାମିଲ ନାହାନ୍ତି ତ? ଓଡ଼ିଶାର ଶହ ଶହ ସାହିତ୍ୟିକ ଚୁପ୍ କାହିଁକି? ବୁଦ୍ଧିଜୀବୀ ମହଲ ବି ନିରବ। ପ୍ରତିଦିନ ସନ୍ଧ୍ୟାରେ ସାହିତ୍ୟିକ ବୋଲି ଦାବି କରି ମଞ୍ଚ ଉପରେ ଘଣ୍ଟା ଘଣ୍ଟା ଉଦବୋଧନ ଦେଉଥିବା ପ୍ରଶାସକ, ତଥାକଥିତ ରାଜନୈତିକ ନେତାଙ୍କ ତୁଣ୍ଡ କାହିଁକି ଫିଟୁନି?
ଗାଁଗଣ୍ଡାରେ ନିରବରେ ସାଧନାରତ ସାହିତ୍ୟିକଙ୍କ ଠାରୁ ଆରମ୍ଭକରି ବିଭିନ୍ନ ମହଲକୁ ଏଭଳି ମାଳ ମାଳ ପ୍ରଶ୍ନ ଏବେ ଆନ୍ଦୋଳିତ କରୁଛି। ଏସବୁ ପ୍ରଶ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ବି ସରକାର ଚେତୁନାହାନ୍ତି। ଓଡ଼ିଆ ସାହିତ୍ୟ ଓ ସାହିତ୍ୟ ଏକାଡେମିକୁ ଦୁର୍ବଳ କରିଦେବା ଲାଗି କେଉଁ ମହଲରୁ ଷଡ଼ଯନ୍ତ୍ର ଚାଲିଛି, ତାହା ଅନୁସନ୍ଧାନ ସାପେକ୍ଷ।
ଆଉ ଗୋଟିଏ ଦୁଇଟି ଉଦାହରଣ ଦେଲେ ସାହିତ୍ୟ ଏକାଡ଼େମି ନେଇ ସରକାରଙ୍କ ଆନ୍ତିରକତା ବି ସାମ୍ନାକୁ ଆସିବ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ଥିବା ସାହିତ୍ୟ ଏକାଡେମିର ସଭାପତି ଚୟନ ଏଯାଏ ହୋଇପାରିଲା ନାହିଁ। ଯେଉଁଭଳି ଭାବେ ଅବସର ପରେ ବି ପ୍ରଶାସକମାନେ ସରକାରୀ ପଦପଦବି ନିଶାରେ ପୁଣି ଥରେ ବିଭିନ୍ନ ସ୍ଥାନରେ ଉପଦେଷ୍ଟା, ଓଏସଡି ଭାବେ ନିଯୁକ୍ତି ପାଉଛନ୍ତି, ଠିକ୍ ସେମିତି ଢଙ୍ଗରେ ସାହିତ୍ୟ ଏକାଡ଼େମିର ସଭାପତିଙ୍କ କାର୍ଯ୍ୟକାଳ ଶେଷ ପରେ ବି ସରକାର ନୂଆ ସଭାପତି ନିଯୁକ୍ତି ଦେବା ଲାଗି ଆଗ୍ରହ ଦେଖାଇବା ପରିବର୍ତେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ସଭାପତି ନିଯୁକ୍ତି ସଂକ୍ରାନ୍ତ ଫାଇଲ ଏବେ ସରକାରୀସ୍ତରରେ ଅଳନ୍ଧୁ ଧରିଲାଣି। ଏକାଡେମିର ଉପସଭାପତି ପଦ ଖାଲି ପଡ଼ିଛି, ସେକ୍ରେଟାରି ପଦବିରେ ଭାରପ୍ରାପ୍ତ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଅର୍ଥ ପରାମର୍ଶଦାତା ନାହାନ୍ତି।
କୌତୂହଳର କଥା ହେଲା, ସାହିତ୍ୟ ଏକାଡ଼େମିକୁ ଏଭଳି ଦୁର୍ବଳ ସ୍ଥିତିକୁ ଠେଲିଦେଇ ଏବେ ସାଧାରଣ ପରିଷଦ କାର୍ଯ୍ୟକାଳ ବୃଦ୍ଧି ମସୁଧା ଚାଲିଛି। ଆସନ୍ତା ଜୁଲାଇ ମାସ ୨୦ ତାରିଖରେ ୫୮ ଜଣିଆ ସାଧାରଣ ପରିଷଦ କାର୍ଯ୍ୟ ଶେଷ ହେବାକୁ ଯାଉଛି। ହେଲେ ଗତ ଜୁନ୍ ୧୦ ତାରିଖରେ ଅଳ୍ପ କେତେଜଣ ସଭ୍ୟଙ୍କୁ ନେଇ ହୋଇଥିବା କାର୍ଯ୍ୟକାରୀ ପରିଷଦ ବୈଠକ ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଏକ ପ୍ରସ୍ତାବ ପାରିତ ହୋଇଛି ଯେ ପରିଷଦର କାର୍ଯ୍ୟକାଳ ବଢ଼ିବ। ଏହି ବୈଠକରେ ନା ସଂସ୍କୃତି ନିର୍ଦେଶକ ଥିଲେ ନା ସେକ୍ରେଟାରି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଯୋଜନାବଦ୍ଧ ଭାବେ ଏଭଳି ଏକ ପ୍ରସ୍ତାବ ବିଳମ୍ବରେ ଅଣାଯାଇ ପାରିତ ହୋଇଛି, ଯଦିଓ ସାଧାରଣ ପରିଷଦର କାର୍ଯ୍ୟକାଳ ଶେଷ ହେବାର ୩ମାସ ପୂର୍ବରୁ ଏ ସଂକ୍ରାନ୍ତ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ଆଉ ଏବେ କରୋନା ମହାମାରୀକୁ ନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ ଏଭଳି ଏକ ପ୍ରସ୍ତାବକୁ ସରକାରୀସ୍ତରରେ ଗୃହୀତ କରାଇ ନେବା ଲାଗି ମଧ୍ୟ ଯୋଜନା େହାଇଛି।
ଗୋଟିଏ ମହଲ ମତ ରଖୁଛନ୍ତି, ରାଜ୍ୟ ସରକାରଙ୍କ ଅଗୋଚରରେ କିଛି ପ୍ରଶାସକ ସାହିତ୍ୟକୁ ନିଜର ହସ୍ତମୁଦି ମାହାଲ ଭଳି ବ୍ୟବହାର କରୁଛନ୍ତି। ସଭାପତି ଚୟନ ଠାରୁ ଆରମ୍ଭକରି ପରିଷଦ କାର୍ଯ୍ୟକାଳ ବୃଦ୍ଧି ପର୍ଯ୍ୟନ୍ତ ନିଷ୍ପତ୍ତି ସେମାନଙ୍କ ଇସାରାରେ ହେଉଛି। ଅନ୍ୟ ଗୋଟିଏ ମହଲର ମତ ହେଉଛି, ଯଦିଓ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି, େଭାଟ ରାଜନୀତିର ସିଧାସଳଖ ସଂପର୍କ ନଥିବାରୁ ଏହାକୁ ଯେତିକି ପ୍ରାଥମିକତା ମିଳିବା କଥା ତାହା ପରିଦୃଷ୍ଟ ହେଉନାହିଁ। କେବଳ କୌଣସି ପ୍ରସଙ୍ଗରେ ଲୋକମତ ସରକାର ବିରୋଧରେ ଯାଉଥିବା ଲକ୍ଷ୍ୟ କଲେ, ସେ ଦିଗରେ ପଦକ୍ଷେପ ନିଆଯାଉଛି।
ଆଉ କିଛି ମତ ରଖୁଛନ୍ତି, ଓଡ଼ିଶା ସାହିତ୍ୟ ଏକାଡ଼େମି ଅତୀତରେ ଅନେକ ଗୁରୁତ୍ବ ପାଉଥିଲା। ଏବେ କିନ୍ତୁ ଦଶନ୍ଧି ଧରି ଲକ୍ଷ୍ୟ କରାଯାଉଛି, ଏହା ପ୍ରତି ସରକାର ଯେତିିକି ଯତ୍ନବାନ ହେବା କଥା ସେତିକି ନାହାନ୍ତି। ଅନ୍ୟଥା ରାଜ୍ୟର ଅସ୍ମିତା ସହିତ ଯୋଡ଼ି େହାଇରହିଥିବା ସାହିତ୍ୟ ଏକା଼ଡେମି ପୁରସ୍କାର ଦିଆଯାଇପାରୁନାହିଁ, ସରକାର ଏ ନେଇ ବି ସାମାନ୍ୟତମ ତତ୍ପରତା ଦେଖାଇବେ ନାହିଁ? ଏବେ କିନ୍ତୁ ଅସନ୍ତୋଷ ଯେଭଳି ବଢ଼ିଲାଣି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷ ଭାବେ ଓଡ଼ିଆ ସାହିତ୍ୟ ପ୍ରତି ଯଦି ଗୁରୁତ୍ବ ନ ଦିଅନ୍ତି, ଏହା ଯେଉଁ ରୂପ ନେବ, ତାହା ସମ୍ଭବତଃ ଆଗକୁ ସରକାରଙ୍କ ଲୋକପ୍ରିୟତାକୁ ଅନେକାଂଶରେ ପ୍ରଭାବିତ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।