୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷିତ, ୯ଟି ବିଭାଗରେ ୨୦ ଜଣ ପୁରସ୍କୃତ ହେବେ

ଭୁବନେଶ୍ବର : ୫ ବର୍ଷ ହେଲା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଦିଆଯାଇନଥିଲା। ଆଜି କେବଳ ୨୦୧୫ ଓ ୨୦୧୬ ଦୁଇ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ମନୋନୀତ ସାରସ୍ବତ ସ୍ରଷ୍ଟାଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ସାହିତ୍ୟର ୯ଟି ବିଭାଗରେ ୨ବର୍ଷ ପାଇଁ ମୋଟ ୨୦ଜଣ ଏହି ପୁରସ୍କାର ଲାଭ କରିବେ।

ପ୍ରତ୍ୟେକ ଲେଖକଙ୍କୁ ୩୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଶୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ କରୋନା ମହାମାରୀ ଯୋଗୁଁ କେବେ ଏହି ପୁରସ୍କାର ପ୍ରଦାନ କରାଯିବ, ସେନେ‌ଇ କ‌ୌଣସି ନିଷ୍ପତ୍ତି ହୋଇନାହିଁ। ପରବର୍ତୀ ସମୟରେ ପୁରସ୍କାର ପ୍ରଦାନ ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ମନ୍ତ୍ରୀ କହିଛନ୍ତି।

ଉପସଭାପତି ପଦରେ କେହି ନଥିବାରୁ ଆଜି ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ୮ଜଣ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ବିଜୟାନନ୍ଦ ସିଂହ, ଭାଗୀରଥି ମହାସୁଆର, ସୁଶାନ୍ତ ନାୟକ, ଚନ୍ଦ୍ରଶେଖର ହୋତା ଓ ସାହିତ୍ୟ ଏକାଡେମିର ଅର୍ଥ ପରାମର୍ଶଦାତା ବସନ୍ତ କୁମାର ଜେନାଙ୍କ ଉପସ୍ଥିତିରେ ସାହିତ୍ୟ ଏକାଡେମି ପୁରସ୍କାର ସଂକ୍ରାନ୍ତ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୭ ଓ ୨୦୧୮ ବର୍ଷ ପାଇଁ କରୋନା ପୂର୍ବରୁ ପୁସ୍ତକ ଆହ୍ବାନ କରାଯାଇଥିବା ବ‌େଳେ ଲେଖକମାନେ ବହି ପଠାଇ ସାରିଛନ୍ତି। ତେଣୁ ଆଉ ୨ବର୍ଷ ନିମନ୍ତେ ମଧ୍ୟ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ଚାଲୁ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର