ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀ ମାମଲା: ଜବାବ ଦାଖଲ ପାଇଁ ସରକାର ସମୟ ମାଗିଲେ

ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର

କଟକ : ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରର ସଂଶୋଧିତ ନିୟମାବଳୀ କାର୍ଯ୍ୟକାରୀ ଉପରେ ଅଙ୍କୁଶ ଜାରିକରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେବାସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜୁଲାଇ ୨୯ର ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଡେମିର କାର୍ଯ୍ୟକାରୀ ପରିଷଦ ସଦସ୍ୟ ତଥା ଏକାଡେମି ପୁରସ୍କାର ନିୟମାବଳୀ ପରିବର୍ତ୍ତନ ଓ ସ˚ଶୋଧନ କମିଟିର ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ , ଗତ ଜୁଲାଇ ୨୯ରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ନିୟମାବଳୀ ପ୍ରସ୍ତୁତି ଓ ତତ୍‌କାଳ ତାହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ ଅଦାଲତି ଝଟ୍‌କା ଲାଗିଥିଲା। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ବିରୋଧରେ ଦାୟର ମାମଲା‌ର ହାଇକୋର୍ଟ ଶୁଣାଣି କରି ସଂଶୋଧିତ ନିୟମାବଳୀ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିବନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ, ମାମଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ନିର୍ଦ୍ଦେଶକ, ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି, ସଚିବ ପ୍ରମୁଖଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିଲେ। ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ନିୟମାବଳୀ ଓ ‘ସାରସ୍ବତ ସାଧକ ସମ୍ବର୍ଦ୍ଧନା’ ନିୟମାବଳୀରେ ପରିବର୍ତ୍ତନ କରାଯିବାକୁ ଏକ ପ୍ରସ୍ତାବ ଆବେଦନକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇଥିଲା। ଏହାକୁ ପରବର୍ତ୍ତୀ କାର୍ଯ୍ୟକାରୀ ପରିଷଦରେ ଉପସ୍ଥାପନ କରାଯାଇଥିଲା। ପରେ ଏହାକୁ ଧାରା ୧୧(୪) ଅନୁଯାୟୀ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ଏକାଡ଼େମିର ସଚିବ ଗତ ଏପ୍ରିଲ ମାସରେ ହୋଇଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ସୂଚନା ଦେଇଥିଲେ। କିନ୍ତୁ, ରାଜ୍ୟ ସରକାର ‘ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ନିୟମାବଳୀ’ର ପରିବର୍ତ୍ତନ ଓ ସ˚ଶୋଧନ କ୍ଷେତ୍ରରେ ବ୍ୟତିକ୍ରମ ଘଟାଇ ଏକାଡେମି ସଚିବଙ୍କ ପରାମର୍ଶ ଆଧାରରେ ନିୟମାବଳୀ ପ୍ରସ୍ତୁତ କରିବା ସହିତ ତାହାର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଚିବଙ୍କ ପରାମର୍ଶକୁ ଆଧାର କରି ସରକାର ନୂଆ ନିୟମାବଳୀ ପ୍ରସ୍ତୁତ କରିଥିଲାବେଳେ ଏହା ସମ୍ବିଧାନର ଧାରା ୧୧(୬) ଓ ୬(୪) ଅନୁସାରେ ଲାଗୁ ହେବ ବୋଲି ସଚିବ ଜୁନ୍‌ ୧୦ ତାରିଖରେ କାର୍ଯ୍ୟକାରୀ ପରିଷଦକୁ ଜଣାଇଥିଲେ। କିନ୍ତୁ, ଧାରା ୧୧(୬) କେବଳ ସରକାରଙ୍କ ନିର୍ଦ୍ଦେଶକୁ ପ୍ରତିପାଳନ ପାଇଁ ଏକ ପ୍ରସ୍ତାବ ଓ ଧାରା ୬(୪) ଏକ ଅର୍ଥ ବ୍ୟବସ୍ଥା ମାତ୍ର। ତେଣୁ, ଏହି ନିର୍ଦ୍ଦେଶନାମା ଧାରା ୧୧(୪)ର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେଣୁ ସରକାରଙ୍କ ଏହି ସମ୍ବିଧାନ ବିରୋଧୀ କାର୍ଯ୍ୟ ପାଇଁ କୋର୍ଟ ତୁରନ୍ତ ଉକ୍ତ ନିର୍ଦ୍ଦେଶନାମାକୁ ଖାରଜ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର