ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସମ୍ମାନ ପ୍ରଦାନ ସମାରୋହ: ଅନନ୍ତ ଓ କୁମ୍‌କୁମ୍‌ଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ପୁରସ୍କୃତ ହେଲେ ୩୪ ପ୍ରତିଭା

ଭୁବନେଶ୍ବର : ଦିନେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ‘କଳାର ହାଣ୍ଡି’ ପାଲଟିଛି। ଏଠାରେ ଏବେ ରାଷ୍ଟ୍ରୀୟ କଳା ମହୋତ୍ସବ ଆୟୋଜିତ ହେଉଛି। ଶୀତ ଓ ଗ୍ରୀଷ୍ଣ ମହୋତ୍ସବ ହେଉଥିବା ବେଳେ ଆଗକୁ ବର୍ଷା ମହୋତ୍ସବର ବି ଆୟୋଜନ କରାଯିବ। ଏଠାର କଳା ଧୀରେଧୀରେ ପରିପୁଷ୍ଟ ହେଉଥିବା ବେଳେ ଓଡ଼ିଶାର କଳା ଓ ସଂସ୍କୃତି ଏଠାରେ ପରିସ୍ଫୁଟିତ ହେବାରେ ଲାଗିଛି। ଓଡ଼ିଶା କଳା ଓ ସଂସ୍କୃତି ପାଇଁ ଜଣାଯାଏ। ଆଗକୁ ଯିଏ ବି ଓଡ଼ିଶା ଆସିବ, ଓଡ଼ିଶାର କଳାସଂସ୍କୃତି ଯୋଗୁଁ ଆସିବ। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଓ ‘ଏକାଡେମି ପୁରସ୍କାର’ ପ୍ରଦାନ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଏହା କହିଛନ୍ତି ଶକ୍ତି, ଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ, ଉଦ୍ୟୋଗ(ସ୍ବାଧୀନ) ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣି‌ଗ୍ରାହୀ ଯୋଗ ଦେଇ କହିଲେ, ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ଥର ‘ଲୋକକଳା’କୁ ନେଇ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଛି। ଓଡ଼ିଶାର ପ୍ରତିଟି ଲୋକକଳାକୁ ଉଜ୍ଜୀବିତ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏଥିସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବ୍ଲକ୍‌, ଜିଲ୍ଲା ଓ ନଗରସ୍ତରରେ ଏହାକୁ ଅଧିକ ପ୍ରଚାର, ପ୍ରସାର ଓ ଲୋକାଦୃତ କରିବାକୁ ଉଦ୍ୟମ ଜାରି ରହିଛି। ଏଥିସହ ବିଭାଗ ଚଳିତ ବର୍ଷ ଓଡ଼ିଶୀ ସଙ୍ଗୀତକୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରିବ। ଅନ୍ୟପଟେ ବିଭାଗ ଅଧୀନସ୍ଥ ୪ ଏକାଡେମି ଯଥା; ଓଡ଼ିଶା ସାହିତ୍ୟ ଏକାଡେମି, ଲଳିତ କଳା ଏକାଡେମି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଊର୍ଦ୍ଦୁ ଏକାଡେମି ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ ହେବ। ଏକାଡେମିର ବିଭିନ୍ନ କାର୍ଯ୍ୟକ୍ରମ, ପୁରସ୍କାର ପ୍ରଦାନ ଉତ୍ସବ ଓ ସମାରୋହର ତାରିଖ ନିର୍ଦ୍ଧାରିତ କରାଯିବ। ପ୍ରତିବର୍ଷ ସେହି ନିର୍ଦ୍ଧାରିତ ତାରିଖରେ ଉକ୍ତ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷ ପାଇଁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଓ ‘ଏକାଡେମି ପୁରସ୍କାର’ ପ୍ରଦାନ କରାଯାଇଥିଲା। ୨୦୧୯-୨୦ ବର୍ଷ ପାଇଁ ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ମହାପାତ୍ର ଏବଂ ୨୦୨୦-୨୧ ବର୍ଷ ପାଇଁ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅତିଥିମାନେ ପୁରସ୍କାର ବାବଦକୁ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ପ୍ରଥମ ଥର ପାଇଁ ‘ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସମ୍ମାନ’ର ନାମ ପରିବର୍ତ୍ତନ କରି ପ୍ରଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯାଇଥିଲା। ୨୦୧୯-୨୦ ବର୍ଷ ପାଇଁ କଣ୍ଠଶିଳ୍ପୀ ରଘୁନାଥ ମହାପାତ୍ର(ଭୁବନେଶ୍ବର)ଙ୍କୁ ୨.୫ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ସହ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ସ୍ବର୍ଗତ ସାରଦା ପ୍ରସନ୍ନଙ୍କ ସ୍ମୃତିରେ ‘ଗୀତିକବିତା ସମ୍ମାନ’କୁ ସାରଦା ପ୍ରସନ୍ନ ସମ୍ମାନ ଭାବେ ନାମିତ କରାଯାଇଥିବାବେଳେ ପ୍ରଥମ ଥର ପାଇଁ ଏହି ପୁରସ୍କାର ସମ୍ବଲପୁରର ବିନୋଦ କୁମାର ପଶାୟତ ଗ୍ରହଣ କରିଥିଲେ। ପୁରସ୍କାର ବାବଦକୁ ତାଙ୍କୁ ୨.୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ୨୦୨୦-୨୧ ବର୍ଷ ପାଇଁ କଣ୍ଠଶିଳ୍ପୀ ବନ୍ଦିତା ରାୟ ‘ସୁନନ୍ଦା ସମ୍ମାନ’ରେ ସମ୍ମାନିତ ହୋଇଥିବାବେଳେ ଅଲେଖ ପଢ଼ିଆରୀ ସାରଦା ପ୍ରସନ୍ନ ସମ୍ମାନ ଗ୍ରହଣ କରିଥିଲେ। ଏଥି ସହିତ ଦୁଇ ବର୍ଷ ନିମନ୍ତେ ବିଭିନ୍ନ କ୍ଷେତ୍ରରୁ ମନୋନୀତ ୧୪ ଜଣ ଲେଖାଏଁ ପ୍ରତିଭାଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ ଶତପଥୀ ଓ ସଚିବ ପ୍ରବୋଧ ରଥ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ମୃତ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅତିଥିଙ୍କ ପାଇଁ ସମ୍ବଲପୁରୀ ପାଟର ଜ୍ୟାକେଟ୍‌
ଏକାଡେମି ପୁରସ୍କାର ସମାରୋହ ଯେତିକି ଭବ୍ୟ ଥିଲା, ସେତିକି ଆକର୍ଷଣୀୟ ଥିଲା। ମଞ୍ଚାସୀନ ସମସ୍ତ ଅତିଥିମାନଙ୍କ ପାଇଁ ଏକାଡେମି ପକ୍ଷରୁ ସମ୍ବଲପୁରୀ ପାଟରେ ପ୍ରସ୍ତୁତ ଜ୍ୟାକେଟ ବେଶ୍‌ ନିଆରା ଥିଲା। ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ଏହି ଏକାଡେମିର ଓଡ଼ିଶା ହସ୍ତତନ୍ତକୁ ଏଭଳି ଆଦର ବେଶ୍‌ ପ୍ରଶଂସନୀୟ ଥିଲା। ସମାନ ଡିଜାଇନ୍‌ର କିଛି ଜଣ ଲାଲ୍‌ ଓ କିଛି ଜଣ ସବୁଜ ରଙ୍ଗର ଏହି ଜ୍ୟାକେଟ ପିନ୍ଧିଥିଲେ, ଯାହାକି ଓଡ଼ିଶା ହସ୍ତତନ୍ତର ଉତ୍କର୍ଷ ପ୍ରତିପାଦିତ କରୁଥିଲା। ଏହିଭଳି ଭାବେ ଆମ ଓଡ଼ିଶା ଭିତରେ ହସ୍ତତନ୍ତର ଅଧିକ ପ୍ରଚାରପ୍ରସାର ହୋଇପାରିଲେ ସର୍ବଭାରତୀୟସ୍ତରରେ ଆମ ହସ୍ତଶିଳ୍ପ ଅଧିକ ଲୋକପ୍ରିୟ ହୋଇପାରିବ।

ସମ୍ବନ୍ଧିତ ଖବର