ଘୋଷଣା ହେଲା ୨ ବର୍ଷର ସଂଗୀତ ନାଟକ ଏକାଡେମି ପୁରସ୍କାର : ଶ୍ୟାମାମଣି ଓ ଉପେନ୍ଦ୍ରଙ୍କୁ ଭଞ୍ଜ ସମ୍ମାନ

ଭୁବନେଶ୍ବର : ଓଡ଼ିଶୀ କଣ୍ଠ ସଂଗୀତ ଓ ଦାସକାଠିଆକୁ ମଳିଛି ଓଡ଼ିଶା ସଂଗୀତ ନାଟକ ଏକାଡେମିର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ’। ୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ ଓଡ଼ିଶୀ ଓ ପାରମ୍ପରିକ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ (କଟକ) ଏବଂ ୨୦୧୮-୧୯ ବର୍ଷ ପାଇଁ ବିଶିଷ୍ଟ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀ (ଗଞ୍ଜାମ) ଏହି ସର୍ବୋଚ୍ଚ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ୮ ବର୍ଷ ତଳେ ଏକମାତ୍ର ଲୋକକଳା ଭାବେ କଣ୍ଢେଇ ନାଚ ଶିଳ୍ପୀ ମାଗୁଣି କୁଅଁର ଏହି ସମ୍ମାନ ପାଇଥିବା ବ‌େଳେ ଚଳିତ ବର୍ଷ ପାଇଁ ଜଣେ ଦାସକାଠିଆ ଶିଳ୍ପୀଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ଦେଇ ସଂସ୍କୃତି ବିଭାଗ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଉଭୟଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯିବ।

କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ପ୍ରତିକ୍ରିୟାରେ କହିଛନ୍ତି, ଭଂଜ ସଂଗୀତ କାର୍ଯ୍ୟକ୍ରମ ଯେବେ ଆରମ୍ଭ ହୋଇଥିଲା, ସେବେ ମୁଁ ପ୍ରଥମେ ଭଂଜ ସଂଗୀତ ଗାନ କରିଥିଲି। ଏପରିକି ଭଂଜଙ୍କ ସଂଗୀତ ମୁଁ ବର୍ଷବର୍ଷ ଧରି ଗାଇ ଆସୁଛି। ତେଣୁ ଆଜି ତାଙ୍କ ନାମରେ ଏହି ସମ୍ମାନ ମିଳିବାକୁ ଯାଉଥିବାରୁ ବହୁତ ଗର୍ବ ଲାଗୁଛି। ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଗଂଜାମ ଅଞ୍ଚଳରୁ ଦୀର୍ଘ ବର୍ଷ ହେଲା କେହି ଏହି ପୁରସ୍କାର ପାଇନଥିବା ବେଳେ ମତେ ଏକାଡେମିର ସର୍ବୋଚ୍ଚ ସମ୍ମାନ ଦେବା କେବଳ ମୋ ପାଇଁ ନୁହେଁ, ସମଗ୍ର ଗଂଜାମବାସୀଙ୍କ ପାଇଁ ଏହା ଖୁସି ଆଣିଛି। ୬୩ବର୍ଷ ହେଲା ଏହି ଦାସକାଠିଆ କଳାରେ ମଗ୍ନ ଥିବାର ଫଳସ୍ବରୂପ ଏହା ମତେ ମିଳିଛି ବୋଲି ‌ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଏଥିସହ ୧୫ଟି ବିଭାଗରେ ୨ ବର୍ଷ ପାଇଁ ୩୨ଜଣଙ୍କୁ ଏକାଡେମି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଶିଳ୍ପୀମାନଙ୍କୁ ୫୦ହଜାର ଟଙ୍କାର ଅର୍ଥରାଶି ସହ ଏକାଡେମି ସମ୍ମାନ ପ୍ରଦାନ କରାଯିବ। ଗତ ୨୩ ଓ ୨୪ ତାରିଖରେ କାର୍ଯ୍ୟକାରୀ ସମିତିର ବୈଠକରେ ନାମ ଚୟନ କରାଯାଇଥିବା ବ‌େଳେ ଆଜି ପାନ୍ଥ ନିବାସରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ଡ. ରାମକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଏକାଡେମିର ୩୨ଜଣ ସଭ୍ୟଙ୍କ ଉପସ୍ଥିତି ଓ ସମ୍ମତି ମୁତାବକ ଏହି ପ୍ରତିଭାମାନଙ୍କୁ ଚୟନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର‌ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରତିଭାମାନଙ୍କ ନାମ ଘୋଷଣା କରିଥିଲେ। ଖୁବ୍‌ଶୀଘ୍ର ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ସମର୍ପିତ ଶିଳ୍ପୀମାନଙ୍କ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଚିବ ଶ୍ରୀ ଜେନା କହିଛନ୍ତି।

୨୦୧୭-୧୮ ବର୍ଷ ନିମନ୍ତେ ଏକାଡେମି ପୁରସ୍କାର
ଓଡ଼ିଶୀ କଣ୍ଠ ସଂଗୀତ: ଶାନ୍ତିଲତା ଛୋଟରାୟ, ଭୁବନେଶ୍ବର
ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ: ଅଳକା ଚନ୍ଦ, ରାଉରକେଲା)
ଯନ୍ତ୍ର ସଂଗୀତ(ତାରବାଦ୍ୟ): ରବିଶଙ୍କର ପ୍ରଧାନ, କଟକ
ଯନ୍ତ୍ର ସଂଗୀତ (ଆନଦ୍ଧ ବାଦ୍ୟ); କାଳନ୍ଦୀ ଚରଣ ପରିଡ଼ା, ପୁରୀ
ସୁଗମ ସଂଗୀତ: ଡ.ସୁଧା ମିଶ୍ର, ଭୁବନେଶ୍ବର
ଲୋକବାଦ୍ୟ: ଆଲୋକ ପ୍ରକାଶ ଦାସ, ବଲାଙ୍ଗିର
ଲୋକସଂଗୀତ: ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କେନ୍ଦୁଝର
ନାଟ୍ୟ ରଚନା: ହେମେନ୍ଦ୍ର ମହାପାତ୍ର, ବାଲେଶ୍ବର
ଅଭିନୟ (ପୁରୁଷ): ବୃନ୍ଦାବନ ବାରିକ, ଭଦ୍ରକ
ଅଭିନୟ (ନାରୀ): ବିଦ୍ୟୁତପ୍ରଭା ପଟ୍ଟନାୟକ, ଭୁବନେଶ୍ବର
ନିର୍ଦେଶନା: ପ୍ରସନ୍ନ ମିଶ୍ର, ଭୁବନେଶ୍ବର
ମଞ୍ଚକଳା: ଅନ୍ତର୍ଯ୍ୟାମୀ ପଣ୍ଡା, ଭୁବନେଶ୍ବର
ଓଡ଼ିଶୀ ନୃତ୍ୟ: ବ୍ରଜକିଶୋର ମଲ୍ଲିକ, ଭୁବନେଶ୍ବର
ଲୋକନୃତ୍ୟ: ନୀଳକଣ୍ଠ ତରେଇ, ଗଞ୍ଜାମ
ଲୋକନାଟ୍ୟ: କେଶରଞ୍ଜନ ପ୍ରଧାନ, ବରଗଡ଼
ଗୀତିକବିତା: ମୀନାକ୍ଷି ଦେବୀ, କଟକ

୨୦୧୮-୧୯ ବର୍ଷ ନିମନ୍ତେ ଏକାଡେମି ପୁରସ୍କାର
ଓଡ଼ିଶୀ କଣ୍ଠ ସଂଗୀତ: ସୀମାଞ୍ଚଳ ଦାସ, ଗଞ୍ଜାମ
ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ: ହରିହର ରଥ, ଭୁବନେଶ୍ବର
ଯନ୍ତ୍ରସଂଗୀତ (ତାରବାଦ୍ୟ: ରମେଶ ଚନ୍ଦ୍ର ଦାସ, କେନ୍ଦ୍ରାପଡ଼ା
ଯନ୍ତ୍ର ସଂଗୀତ(ଆନଦ୍ଧ ବାଦ୍ୟ): ରାଧାକାନ୍ତ ନନ୍ଦ, କଟକ
ସୁଗମ ସଂଗୀତ: ଗୀତା ଦାଶ, ଭୁବନେଶ୍ବର
ଲୋକବାଦ୍ୟ: ସନ୍ତୋଷ ସୁନା, ସମ୍ବଲପୁର
ଲୋକସଂଗୀତ: ବିଥିକା ଚାଟାର୍ଜୀ, ବଲାଙ୍ଗିର
ନାଟ୍ୟ ରଚନା: ଡ.ସୁଧାଂଶୁ ନାୟକ, ଭଦ୍ରକ
ଅଭିନୟ (ପୁରୁଷ): ନିରଂଜନ ସାହୁ, ଭୁବନେଶ୍ବର
ଅଭିନୟ (ନାରୀ): ଲକ୍ଷ୍ମୀପ୍ରିୟା ମିଶ୍ର, ପୁରୀ
ନିର୍ଦେଶନା: ହରେନ୍‌ ସାହୁ, ଭୁବନେଶ୍ବର
ମଞ୍ଚକଳା: ସଂଗ୍ରାମ‌ କେଶରୀ ମହାରଣା, ଖୋର୍ଧା
ଓଡ଼ିଶୀ ନୃତ୍ୟ: ମୀରା ଦାସ, କଟକ
ଲୋକନୃତ୍ୟ: ମାଗୁଣି ଜେନା, ପୁରୀ
ଲୋକନାଟ୍ୟ: ବିଜୟ କୁମାର ବହଳି, ଭଦ୍ରକ
ଗୀତିକବିତା: ବଦ୍ରି ମିଶ୍ର, ପୁରୀ

ସମ୍ବନ୍ଧିତ ଖବର