କଳାହାଣ୍ଡିରେ ବନାବାଡିର ପୁନରୁଦ୍ଧାର ପାଇଁ ଉଦ୍ୟମ : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦୀକ୍ଷାନ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରୁ ଲୁପ୍ତ ପାଉଥିବା ଲୋକନୃତ୍ୟ ବନାବଡିର ପୁନରୁଦ୍ଧାର ପାଇଁ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ବନାବାଡି ଗୁରୁମାନଙ୍କ ପାଇଁ ୬ ମାସ ପାଇଁ ମାସିକ ୫ ହଜାର ଟଙ୍କା ଓ ୧୦ ଜଣ ଶିଷ୍ୟଙ୍କୁ ୬ ମାସ ପାଇଁ ମାସିକ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ଏହା ଦ୍ୱାରା କୋଭିଡ ସମୟରେ କଳା ଓ କଳାକାରଙ୍କ ସୃଜନିଶୀଳକୁ ପ୍ରୋତ୍ସାହନ କରାଯିବ ବୋଲି ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ଗୋଳାମୁଣ୍ଡା ବ୍ଲକର ସାନଚେର ଗାଁ ଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଡ଼ଃ ଅଜୟ ମିଶ୍ର, ଭବାନୀ ଶଙ୍କର ନିଆଲ, ଧ୍ୟାନାନନ୍ଦ ପଣ୍ଡା, ମନ୍ତ୍ରୀଙ୍କ ପ୍ରତିନିଧି ଭବାରେ ଦିନେଶ ବଗର୍ତି ଓ ସୁରେଶ ବଛା ଯୋଗଦେଇଥିଲେ।

ସେହିଭଳି ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରସ୍ଥିତ କଳା ବିକାଶ କେନ୍ଦ୍ରକୁ ବାର୍ଷିକ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଏହା ଦ୍ୱାରା ଗୁରୁ ଓ କଳାକାର ମାନଙ୍କୁ ସହାୟକ ହେବ ବୋଲି ସଚିବ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏଥିରେ ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ସଂସ୍କୃତି ପରିଷଦର ସଦସ୍ୟ ଅଜୟ ମିଶ୍ର, ଭବାନୀ ଶଙ୍କର ନିଆଲ, ଧ୍ୟାନାନନ୍ଦ ପଣ୍ଡା, ଦିନେଶ ବଗର୍ତି, ପିଆଇ କଲେଜ ଅଧ୍ୟକ୍ଷ ବିଭୁତ ଭୂଷଣ ମେହେର, ସମୀର ସାହୁ, ଅଶୋକ ପଟ୍ଟନାୟକ ଓ କଳା ବିକାଶ କେନ୍ଦ୍ର ପରିଚାଳକ ମାନସ ରଞ୍ଜନ ସେଠି ଉପସ୍ଥିତ ଥିଲେ । ଓଡିଶା ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଉଭୟ ଦୀକ୍ଷାନ୍ତ ଓ ଓଡିଶୀ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାରେ ବହୁ ଲୋକ ନୃତ୍ୟ ଓ ଲୋକ କଳା ଲୋପ ପାଉଥିବା ବେଳେ ଏହାର ସୁରକ୍ଷା ପାଇଁ ଏକାଡେମୀ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର