ସର୍ବକ୍ଷମା ପାଇଁ ଆଉ ୧୫ଦିନ, ଦେଢ଼ ବର୍ଷରେ ଆବେଦନ କରିଛନ୍ତି ୮ହଜାର

କେବଳ ଭୁବନେଶ୍ବର‌େର ୭ହଜାର

ଭୁବନେଶ୍ବର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ସର୍ବକ୍ଷମା ଯୋଜନା ଅବଧିକୁ ଆଉ ୧୫ଦିନ ଘୁଞ୍ଚାଯାଇଛି। ଦୁଇ ଥର ସର୍ବକ୍ଷମା ଅବଧି ଘୁଞ୍ଚାଇବା ପରେ ଆଜି ଅବଧି ପୂରିବା ପୂର୍ବରୁ ପୁଣି ୧୫ଦିନ ପାଇଁ ବେଆଇନ ନିର୍ମାଣକାରୀଙ୍କୁ ସୁଯୋଗ ଦିଆଯାଇଛି। ଆବେଦନକାରୀଙ୍କ ଭିଡ଼କୁ ଦେଖି ଆଉ ୧୫ଦିନ ସମୟ ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ‘ବେଆଇନ ନିର୍ମାଣକୁ ନିୟମିତ କରିବା ପାଇଁ ନୂଆ ଯୋଜନା-୨୦୧୯’ ବା ସର୍ବକ୍ଷମା ଯୋଜନା ଅବଧି ସରୁଥିଲେ ହେଁ ଏହାକୁ ଫେବ୍ରୁଆରି ୨୦ ପର୍ଯ୍ୟନ୍ତ ପୁଣି ଘୁଞ୍ଚାଯାଇଛି। ଏହାପରେ କିନ୍ତୁ ଆଉ ସୁଯୋଗ ମିଳିବନି। ଯେତିକି ବେଆଇନ ନିର୍ମାଣ ଥିବ ସେଗୁଡ଼ିକୁ ସିଲ୍‌ କରାଯିବ ନଚେତ୍ ବୁଲଡୋଜର ‌ଲଗାଇ ଭଙ୍ଗାଯିବ।

ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଲୋକଙ୍କ ଭିଡ଼ ଦେଖି ସର୍ବକ୍ଷମା ଅବଧି ବଢ଼ାଯାଇଥିବା କହୁଥିଲେ ହେଁ ଅସଲରେ ଏଥର ସର୍ବକ୍ଷମା ଯୋଜନା-୨୦୧୮ ଫେଲ୍‌ ମାରିଥିବାରୁ ଅଧିକ ଆବେଦନ ପାଇଁ ଏହାର ଅବଧି ବଢ଼ାଯାଇଥିବା କୁହାଯାଇଛି। ସର୍ବକ୍ଷମା ଯୋଜନା-୨୦୧୮କୁ ସଂଶୋଧନ କରି ଅଗଷ୍ଟ ୨୦୧୯ରେ ସର୍ବକ୍ଷମା ଯୋଜନା -୨୦୧୯ ଆସିଥିଲା। ଏହି ଦୁଇଟି ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୮ହଜାର ଲୋକ ଆବେଦନ କରିଥିବା ବେଳେ ଏଥିରୁ ୭ହଜାର ଭୁବନେଶ୍ବରରେ ଆବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରେ ବିଏମ୍‌ସିରେ ପ୍ରାୟ ୧ହଜାର ଲୋକ ସର୍ବକ୍ଷମା ଯୋଜନାରେ ଆବେଦନ କରିଥିବା‌ ବେଳେ ବିଡିଏରେ ପ୍ରାୟ ୬ହଜାର ଲୋକ ଆବେଦନ କରିଛନ୍ତି। ବାକି ୮ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଆଉ ପ୍ରାୟ ୧ହଜାର ଲୋକ ଆବେଦନ କରିଛନ୍ତି। ଯେତେବେଳେ କି ସର୍ବକ୍ଷମା ଯୋଜନା-୨୦୦୮ କେବଳ ଭୁବନେଶ୍ବର ପାଇଁ ହୋଇଥିବାବେଳେ ଏଥିରେ ୮ହଜାର ଲୋକ ଆବେଦନ କରିଥିଲେ। ଏଥର ତିନି ଥର ଅବଧି ବଢ଼ିଥିବା ବେଳେ ପୂର୍ବଥରଠୁ ଅଧିକ ଆବେଦନ ହେବନି ବୋଲି ଜଳ ଜଳ ‌ଦିଶିଲାଣି। ଅପରପକ୍ଷେ୨୦୦୮ରେ ସର୍ବକ୍ଷମା ଯୋଜନା ଆଣିବା ବେଳେ ବିଡିଏ କର୍ତ୍ତୃପକ୍ଷ କହିଥିଲେ ଯେ ଯେଉଁମାନେ ବେଆଇନ ନିର୍ମାଣକୁ ଆଇନସମ୍ମତ ନକରିବେ ସେମାନଙ୍କ ଘର ଭାଙ୍ଗି ଦିଆଯିବ। ହେଲେ ଭଙ୍ଗା ହେଲାନି। ଏବେ ପୁଣି ଭାଙ୍ଗିବାର ଧମକ ଦେଉଛନ୍ତି। ତେଣୁ ନିୟମ ଉଲ୍ଲଂଘନକାରୀଙ୍କ ଘର ଭାଙ୍ଗୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା। ସୂଚନାଯୋଗ୍ୟ ଯେ ସର୍ବକ୍ଷମା‌ ଯୋଜନାରେ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବା ପାଇଁ ହୋଇଥିବା ନୂଆ ନିୟମ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଯଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରାମଣ୍ତଳି ଉନ୍ନୟନ କର୍ତ୍ତୃପକ୍ଷ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ବିଏମ୍‌ସି ଅଞ୍ଚଳରେ ଲାଗୁ ହୋଇଛି।

ସମ୍ବନ୍ଧିତ ଖବର