୧୭ରୁ ତ୍ରୟମାସିକ ପରୀକ୍ଷା : ହାଇସ୍କୁଲରେ ପହଞ୍ଚିନି ପାଠ୍ୟ ପୁସ୍ତକ

ନବରଙ୍ଗପୁର : ଆଉ ଦିନ କେଇଟା ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦେବେ ତ୍ରୟମାସିକ ପରୀକ୍ଷା। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଏବେ ସୁଦ୍ଧା ସବୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରିନାହିଁ ପାଠ୍ୟ ପୁସ୍ତକ। ଜିଲ୍ଲାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ୧୮୬ଟି ହାଇସ୍କୁଲ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସର୍ବଶିକ୍ଷା ଅଭିଯାନ ପାଠ୍ୟ ପୁସ୍ତକ ଯୋଗାଉଥିବା ବେଳେ ନବମ ଓ ୧୦ମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ପାଠ୍ୟ ପୁସ୍ତକ ଯୋଗାଉଛନ୍ତି। କିନ୍ତୁ ଜିଲ୍ଲାରେ ୯ମ ଏବଂ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଧିକାଂଶ ଛାତ୍ରଛାତ୍ରୀ ଏବେ ସୁଦ୍ଧା ପାଠ୍ୟ ପୁସ୍ତକରୁ ବଞ୍ଚିତ ହୋଇଛି। ଅପରପକ୍ଷରେ ସପ୍ତାହକ ତଳେ ହିଁ ପାଠ୍ୟ ପୁସ୍ତକ ଜିଲ୍ଲାରେ ପହଞ୍ଚିଥିବା ବେଳେ ବାଣ୍ଟିବା କାର୍ଯ୍ୟ ଚାଲିଥିବା ନେଇ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି।

ପୂର୍ବରୁ ବି ଅନେକ ଥର ପାଠ୍ୟପୁସ୍ତକ ବିଳମ୍ବରେ ପହଞ୍ଚିବାର ନଜିର ରହିଛି।ଏଥର ଯେତିକି ବହି ଆସିଛି ତାହା ନିର୍ଧାରିତ ଛାତ୍ରଛାତ୍ରୀ ସଂଖ୍ୟା ତୁଳନାରେ କମ। କିଛି ବିଷୟରେ ୬୦%, କିଛି ବିଷୟରେ ୮୦% ବହି ଆସିଛି।

ସେପ୍ଟେମ୍ବର ୧୫ରୁ ୩୦ତାରିଖ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀ ତ୍ରୟ ମାସିକ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଆସନ୍ତା ନଭେମ୍ବର ମାସ ସୁଦ୍ଧା ୯ମ ଓ ୧୦ମର ଅର୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ଫେବ୍ରୁଆରି ମାସରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ।

ତେବେ ଏବେ ସୁଦ୍ଧା ପାଠ୍ୟ ପୁସ୍ତକ ପହଞ୍ଚିପାରି ନଥିବାରୁ ଛାତ୍ରଛାତ୍ରୀ କିପରି ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି ହେବେ ସେନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଚିନ୍ତା ପ୍ରକାଶ ପାଇଛି। କେବଳ ଅନୁସୂଚିତ ଜାତି ଓ ଜନଜାତି ନୁହେଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ବି ଚଳିତ ବର୍ଷ ପାଠ୍ୟ ପୁସ୍ତକ ପାଇନାହାନ୍ତି। ଚଳିତ ବର୍ଷ କୌଣସି ଦୋକାନରେ ବି ଆବଶ୍ୟକ ସଂଖ୍ୟକ ପାଠ୍ୟ ପୁସ୍ତକ ମିଳିନଥିବାରୁ ପିଲାମାନେ ପୁରୁଣା ଓ ଚିରା ବହି ସଂଗ୍ରହ କରି ପାଠ ପଢ଼ୁଛନ୍ତି।

ପୂର୍ବେ ପାଠ୍ୟ ପୁସ୍ତକ ଗୁଡିକ ସ୍କୁଲକୁ ସିଧାସଳଖ ଯାଉଥିଲା। ହେଲେ ଚଳିତ ବର୍ଷ ଡିଇଓଙ୍କ କାର୍ଯ୍ୟାଳୟରେ ଆଣି ରଖାଯାଇଛି। ଯାହାଫଳରେ ବିଦ୍ୟାଳୟର ଶିକ୍ଷକମାନେ ପୁଣି ଶହ ଶହ କିଲୋମିଟର ଦୂର ନବରଙ୍ଗପୁର ଆସି ବହି ନେବାକୁ ପଡୁଛି।

ସମ୍ବନ୍ଧିତ ଖବର