ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣକାରୀ ଦଳରେ ରାଉରକେଲାର ବୈଜ୍ଞାନିକ

ରାଉରକେଲା : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣପରେ ଏକ ନୂଆ ଇତିହାସ ରଚିତ ହୋଇଛି। ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଭାରତର ସବୁଠାରୁ ବଡ଼ ମିସନ୍‌ର ଶୁଭାରମ୍ଭ ଦେଶବ୍ୟାପୀ ଖୁସିର ଲହରୀ ଖେଳାଇଦେଇଛି। ଏହି ସଫଳତା କିନ୍ତୁ ରାଉରକେଲାବାସୀଙ୍କ ମନରେ ଦ୍ବୈତ ଖୁସି ‌ଭରିଦେଇଛି। କାରଣ ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣ ପଛରେ ରାଉରକେଲା ମାଟିରେ ଜନ୍ମ ନେଇ ଏଠାକାର ପାଣିପବନରେ ବଢ଼ିଥିବା, ଏଠାକାର ସ୍କୁଲ, କଲେଜରୁ ଆଦ୍ୟ ଶିକ୍ଷା ନେଇଥିବା ଜଣେ ବୈଜ୍ଞାନିକଙ୍କ ସହଭାଗିତା ରହିଛି। ଅଞ୍ଚଳବାସୀଙ୍କ ପାଇଁ ଗ‌ୌରବ ଆଣିଦେଇଥିବା ଏହି ମହାକାଶ ବିଜ୍ଞାନୀ ହେଉଛନ୍ତି ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବନ୍ଧମୁଣ୍ଡା ଜନ୍ମିତ ଶ୍ୟାମଲ କୁମାର କାନୁନଗୋ (୫୩)। ଶ୍ୟାମଳ ସଂପ୍ରତି ଇସ୍ରୋରେ କାର୍ଯ୍ୟରତ ଏବଂ ଚନ୍ଦ୍ରଯାନ-୨ ମିସନର କଣ୍ଟ୍ରୋଲ ଟିମ୍‌ର ଜଣେ ବରିଷ୍ଠ ସଦସ୍ୟ।

ଶ୍ୟାମଳଙ୍କ ବାପା ଏମ୍‌.ଆର୍‌. କାନୁନଗୋ ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ବନ୍ଧମୁଣ୍ଡାରେ ଫୋର୍‌ମ୍ୟାନ୍‌ଭାବେ କାର୍ଯ୍ୟାରତ ଥିଲେ। ବନ୍ଧମୁଣ୍ଡା ରେଲୱେ କଲୋନିରେ ଶ୍ୟାମଳଙ୍କ ପରିବାର ରହୁଥିଲେ। ଶ୍ୟାମଳ ୧୯୭୪ ମସିହାରେ ‌ସ୍ଥାନୀୟ ରେଲୱେ ହାଇସ୍କୁଲରୁ ସଫଳତାର ସହ ମାଟ୍ରିକ୍‌ ପାସ କଲାପରେ ରାଉରକେଲା ସ୍ଥିତ ଏକ କଲେଜରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାସ୍‌ କରିଥିଲେ। ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରସାୟନବିଜ୍ଞାନରେ ସ୍ନାତକୋତ୍ତର ଓ ଆଇଆଇଟି ଖଡ଼ଗପୁରରୁ ଏମ୍‌.ଟେକ୍‌ ଶିକ୍ଷାଗ୍ରହଣ କରିଥିଲେ। ଏମ୍‌.ଟେକ୍‌ ପରେ ଶ୍ୟାମଳ ଇସ୍ରୋରେ ଯୋଗଦେଇଥିଲେ। ସେବେଠାରୁ ଶ୍ୟାମଳ ଆଜି ପର୍ଯ୍ୟନ୍ତ ଇସ୍ରୋରେ କାର୍ଯ୍ୟରତ। ଇସ୍ରୋ ପକ୍ଷରୁ ୨୦୧୩ ନଭେମ୍ବର ୫ ତାରିଖରେ କରାଯାଇଥିବା ‘ମଙ୍ଗଳଯାନ’ର ସଫଳ ଉତ୍‌କ୍ଷେପଣ ପଛରେ ମଧ୍ୟ ସେ ସାମିଲଥିଲେ। ପୂର୍ବଥରର ଅଭିଜ୍ଞତା ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଏଥର ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇଥିଲା।

ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣପରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଶ୍ୟାମଳ କହିଛନ୍ତି, ‘‘ନିଶ୍ଚିତଭାବେ ଏହା ଏକ ଅବିସ୍ମରଣୀୟ ମୂହୁର୍ତ୍ତ। ଦେଶବାସୀଙ୍କ ସମେତ ବ୍ୟକ୍ତିଗତଭାବେ ମଧ୍ୟ ମୁଁ ଗର୍ବିତ। ଇସ୍ରୋର ଗୌରବମୟ ସଫଳତା ପାଇଁ ବେଶ୍‌‌ ଆନନ୍ଦିତ। ଚନ୍ଦ୍ରଯାନ-୨ର ଚନ୍ଦ୍ର କକ୍ଷରେ ସଫଳ ଅବତରଣ ପାଇଁ ଆମେ ପ୍ରସ୍ତୁତ। ସଫଳତାର ସହ ଏହା ସଂପନ୍ନ ହେବ। ଭବିଷ୍ୟତରେ ଯଦି ପୁନର୍ବାର ଏଭଳି ଐତିହାସିକ ପ୍ରକଳ୍ପରେ କାମ କରିବାର ସୁଯୋଗ ପାଇବି, ତା’ହେଲେ ନିଶ୍ଚିତଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବି।’’

ସମ୍ବନ୍ଧିତ ଖବର