ଭୁବନେଶ୍ବର : ଓଡ଼ିଶା ଏସ୍‌ଡିଜି ସୂଚକାଙ୍କ ଫ୍ରେମୱାର୍କ(ଓଏସ୍‌ଆଇଏଫ୍‌ ୨.୦)ର ଦ୍ବିତୀୟ ସଂସ୍କରଣକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାମାଜିକ, ଅର୍ଥନୈତିକ ଓ ପରିବେଶ ପରିମାପକୁ ଏକତ୍ର କରି ବିକାଶ କରିବା ଲାଗି ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍‌ଡିଜି) ଦ୍ବାରା ଆହ୍ବାନ କରାଯାଇଛି। ନିରନ୍ତର ବିକାଶ ହେଉଛି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ମୂଳ ମନ୍ତ୍ର। ବର୍ଷ ବର୍ଷ ଧରି ରାଜ୍ୟ ସରକାର ପ୍ରାକୃତକ ବିପର୍ଯ୍ୟୟର ମୁକାବିଲା ପାଇଁ ନିଜର କ୍ଷମତାକୁ ସୁଦୃଢ଼ କରି ଆସୁଛନ୍ତି। ବିପର୍ଯ୍ୟୟ ପରିଚାଳନା ଦିଗରେ ଏହା ଜିରୋ କାଜୁଆଲ୍‌ଟି ବା ଶୂନ୍ୟ ମୃତାହତ ଭାବେ ଜଣାଶୁଣା। ଲୋକମାନଙ୍କ ଖାଦ୍ୟ ପ୍ରଣାଳୀରେ ବିବିଧତା ଆଣିବା ସହିତ ପୋଷଣ ଆବଶ୍ୟକତାକୁ ପୂରଣ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ମିଲେଟ୍‌ ମିସନ୍ ଆରମ୍ଭ ରିଛନ୍ତି। ଯାହାକି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସଶକ୍ତ କରିପାରିଛି। ଓଡ଼ିଶାର ଏହି କୃଷି-ପରିବେଶଜନିତ ପଦକ୍ଷେପ ପାଇଁ ଓଡ଼ିଶା ମିଲେଟ୍‌ ମିସନ୍‌କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ଓଡ଼ିଶା ଏକ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରୁଛି। ରାଜ୍ୟର ବିକାଶର ମଡେଲ ହେଉଛି ସ୍ଥିରତା, ଅନ୍ତର୍ଭୁକ୍ତୀକରଣ। ନାଗରିକ କେନ୍ଦ୍ରୀୟ ଯୋଜନା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ଜୀବନ ଧାରଣର ଉନ୍ନତି ପାଇଁ ଜାଗା ମିସନ୍, ବିଜୁ ପକ୍କା ଘର ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ମାତୃ ଓ ନବଜାତକ ସ୍ବାସ୍ଥ୍ୟ ପାଇଁ ମମତା, ମା’ ଗୃହ, ସଂପୂର୍ଣ୍ଣା ଯୋଜନା, ଭୂମିହୀନ ଓ ନାମମାତ୍ର ଚାଷୀଙ୍କ ପାଇଁ କାଳିଆ, ୫-ଟି ସ୍କୁଲ ଜରିଆରେ ବିଶ୍ବସ୍ତରୀୟ ବିଦ୍ୟାଳୟ ଭିତ୍ତିଭୂମି ସୃଷ୍ଟି କରିବା, ବିଶ୍ବ ଦକ୍ଷତା କେନ୍ଦ୍ର ଜରିଆରେ ଯୁବକଙ୍କୁ ଦକ୍ଷତା ପ୍ରଦାନ କରିବା ଭଳି କାର୍ଯ୍ୟକ୍ରମ ହେଉଛି ଏସ୍‌ଡିଜିର ଗୋଟିଏ ଗୋଟିଏ ପ୍ରତୀକ।

ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଲେ, ୫-ଟି ପଦକ୍ଷେପ ଦ୍ବାରା ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକର ସୁଦୃଢ଼ୀକରଣ ହେବା ସହିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡ଼ିକର ସହ ସମନ୍ବୟ ରହିଛି। ୨୦୨୩ ଏସ୍‌ଡିଜି ଫ୍ରେମୱାର୍କ ଅଧିକ ସମାନତା ଓ ଲକ୍ଷ୍ୟପୂର୍ଣ୍ଣ। ଯାହାକି ଏକ ନୂତନ ଓ ସଶକ୍ତ ଓଡ଼ିଶା ହାସଲ କରିବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ଉନ୍ନୟନ କମିସନର ପି.କେ ଜେନା କହିଥିଲେ, ଜାତିସଂଘର ଏଜେଣ୍ଡାରେ ୧୭ଟି ଗୋଲ୍‌ ଥିବା ବେଳେ ୨୦୩୦ ସୁଦ୍ଧା ଏହାକୁ ହାସଲ କରିବାକୁ ହେବ। ପ୍ରଶାସନିକ ତଥ୍ୟକୁ ନେଇ ରାଜ୍ୟ ସରକାର ଏହି ଫ୍ରେମୱାର୍କରେ ୨୯୩ଟି ସୂଚକାଙ୍କ ଚିହ୍ନଟ କରିଛନ୍ତି। ଯାହାକି ଏସ୍‌ଡିଜିର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ। ଯୋଜନା ଓ ସମନ୍ବୟ ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ ଧନ୍ୟବାଦ ଦେଇଥିଲେ।