ଗୁଟ୍‌କା ସେବନରେ ଓଡ଼ିଶା ଭାରତରେ ଦ୍ବିତୀୟ

ତମାଖୁଜନିତ ମୁଖ ଗହ୍ବର କର୍କଟରେ ବି ଆଗୁଆ, ନାମକୁ ମାତ୍ର ଚାଲିଛି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ପୁରୀ : ଆଜି ପାଳନ ହୋଇଛି ବିଶ୍ବ ତମାଖୁ ବର୍ଜନ ଦିବସ। ବିଶ୍ବସ୍ତରରେ ତମାଖୁ ସେବନକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଛି। ସମଗ୍ର ବିଶ୍ବରେ ବର୍ଷକୁ ୭୦ ଲକ୍ଷ ଲୋକ ତମାଖୁ ସେବନ ଜନିତ କାରଣରୁ ପ୍ରାଣ ହରାଉଛନ୍ତି। କେବଳ ଭାରତରେ ଏହି ସଂଖ୍ୟା ୧୩ ଲକ୍ଷ। ସବୁଠୁ ଉଦ୍‌ବେଗଜନକ କଥା ହେଲା, ମୁଖ ଗହ୍ବର କର୍କଟ ବା ଓରାଲ୍‌ କ୍ୟାନସର୍‌ରେ ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି। ଏହି ଅଲୋଡା ରେକର୍ଡ ସାଉଁଟିବାରେ ଓଡ଼ିଶା ବି ପଛରେ ପଡିନି। ରାଜ୍ୟରେ ବର୍ଷକୁ ୧ ଲକ୍ଷ ୨୦ ହଜାର ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ, ସମଗ୍ର ଦେଶରେ ମୁଖ ଗହ୍ବର କର୍କଟ ‌ରୋଗୀଙ୍କ ମଧ୍ୟରେ ଓଡ଼ିଶାର ହାର ଜାତୀୟ ହାର ସହିତ ପ୍ରାୟ ସମାନ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସାଳୟକୁ ଆସୁଥିବା ମୋଟ ରୋଗୀଙ୍କ ମଧ୍ୟରୁ ୪୦ ପ୍ରତିଶତ ରୋଗୀ କେବଳ ତମାଖୁ ସେବନଜନିତ କାରଣରୁ ପୀଡ଼ିତ ହୋଇଥିବା ବେଳେ ତନ୍ମଧ୍ୟରୁ ୫ରୁ ୧୦ ପ୍ରତିଶତ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଓଡ଼ିଶାରେ ୪୫.୬ ପ୍ରତିଶତ ଲୋକ ତମାଖୁ (ଗୁଟ୍‌କା) ସେବନ କରୁଛନ୍ତି। ଗୁଟ୍‌କା ବ୍ୟବହାରରେ ଓଡ଼ିଶା ଭାରତରେ ଦ୍ବିତୀୟ ସ୍ଥାନରେ ରହିଛି। ଅବଶ୍ୟ ଧୂମପାନରେ ଓଡ଼ିଶାର ହାର୍‌ କମ (୭ ପ୍ରତିଶତ) ରହିଛି। ୧୫ ପ୍ରତିଶତ ପୁରୁଷ ଓ ୨୫ ପ୍ରତିଶତ ମହିଳାଙ୍କ ଭିତରେ ଦେଖା ଦେଉଥିବା କର୍କଟ ରୋଗ କେବଳ ତମାଖୁଜନିତ ବୋଲି ଜଣାପଡିଛି। ଯକ୍ଷ୍ମା, ଏଚ୍‌ଆଇଭି ଓ ମ୍ୟାଲେରିଆରେ ଯେତିକି ପ୍ରାଣ ହରାଉଛନ୍ତି ତମାଖୁ ସେବନଜନିତ ମୃତ୍ୟୁସଂଖ୍ୟା ତା’ଠାରୁ ଅଧିକ ରହିବା ନିଶ୍ଚିତ ଭାବେ ଚିନ୍ତାଜନକ। ଏହି କାରଣରୁ ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ୍‌ ପକ୍ଷରୁ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତମାଖୁ ନିୟନ୍ତ୍ରଣ ପାଇଁ ପ୍ରତି ଜିଲ୍ଲାରେ ସ୍ବତନ୍ତ୍ର ବିଭାଗ ଖୋଲାଯିବା ସହ ଜିଲ୍ଲାସ୍ତରରେ ଜଣେ ପରାମର୍ଶଦାତା (କନସଲ୍‌ଟାଣ୍ଟ) ଓ କାଉନ୍‌ସେଲରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାମାନଙ୍କୁ ବର୍ଷକୁ ୧୦ରୁ ୧୫ ଲକ୍ଷ ଟଙ୍କା ପାଣ୍ଠି ଦିଆଯାଉଛି।

ପୁରୀ ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଥିବା କୁହାଯାଉଥିଲେ ମଧ୍ୟ ଏହା ପ୍ରଭାବଶୂନ୍ୟ ରହିଛି। ଜିଲ୍ଲା ଅଧିକାରୀଙ୍କ ପାଖରେ ତମାଖୁ ନିୟନ୍ତ୍ରଣଜନିତ କୌଣସି ତଥ୍ୟ ନାହିଁ। କେତେ ତମାଖୁ ବର୍ଜନ କରିଛନ୍ତି, ତମାଖୁଜନିତ ମୃତ୍ୟୁ ସଂଖ୍ୟା କେତେ ତା’ର କୌଣସି ତଥ୍ୟ କିମ୍ବା ସୂଚନା କନସଲ୍‌ଣ୍ଟାଣ୍ଟଙ୍କ ପାଖରେ ନାହିଁ। ସୁତରାଂ ଜିଲ୍ଲାରେ ଏ କାର୍ଯ୍ୟକ୍ରମ ଚାଲିଛି କି ନାହିଁ ସେ ନେଇ ବି ସନ୍ଦେହ ରହିଛି। ଏ ସଂପର୍କରେ କନସଲ୍‌ଣ୍ଟାଣ୍ଟ ଡାକ୍ତର ସୁଶାନ୍ତ ବିଶ୍ବାଳଙ୍କ କହିବାନୁଯାୟୀ, ପୁରୀ ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲୁଛି। ବର୍ଷକୁ ମାତ୍ର ୭ରୁ ୮ ଲକ୍ଷ ଟଙ୍କା ମିଳୁଛି। ଆଗରୁ ଅଧିକ ପାଣ୍ଠି ମିଳୁଥିଲା। ତମାଖୁଜନିତ ମୃତ୍ୟୁସଂଖ୍ୟାକୁ ନେଇ କୌଣସି ସର୍ଭେ କରାଯାଏ ନାହିଁ। ଏହି ସର୍ଭେ ଜାତୀୟସ୍ତରରେ କରାଯାଉଛି। ଏବେ ଆଶାକର୍ମୀଙ୍କୁ ନେଇ ଏକ ସର୍ଭେ ହୋଇଛି। ଜିଲ୍ଲା‌ରେ ଯେଉଁମାନେ ତମାଖୁ ଛାଡୁଛନ୍ତି ସେମାନଙ୍କୁ ଆଜି ତମାଖୁ ବର୍ଜନ ଦିବସରେ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟପକ୍ଷରେ ଏପିଡୋମୋଲିଜିଷ୍ଟ (ଅଣସଂକ୍ରାମକ ରୋଗ) ବିଶେଷଜ୍ଞ ଡାକ୍ତର ଲଳିତ କୁମାର ଦାସ କହିଛନ୍ତି, ଓଡ଼ିଶାରେ ତମାଖୁଜନିତ ମୁଖ ଗହ୍ବର କର୍କଟ ‌‌ରୋଗୀଙ୍କ ସଂଖ୍ୟା ଅଧିକ। ପ୍ରାୟ ୧୭ରୁ ୧୮ ବର୍ଷ ବୟସର ଯୁବପିଢି ତମାଖୁ କବଳରେ ପଡୁଛନ୍ତି। ତମାଖୁଜନିତ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ଏହି କାର୍ଯ୍ୟକ୍ରମ ଜରିଆରେ ତାକୁ ନିୟନ୍ତ୍ରଣ କରାଯିବାକୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର