ଓଏସ୍‌ଏସ୍‌ଟିଇଟି ପରୀକ୍ଷା ହିନ୍ଦୀ ସିଲାବସ୍‌ରେ ତ୍ରୁଟି : ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ

କଟକ : ଆସନ୍ତା ଅକ୍ଟୋବର ୫ତାରିଖରେ ହେବାକୁ ଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଏସ୍‌ଏସ୍‌ଟିଇଟି) ପରୀକ୍ଷାର ହିନ୍ଦୀ ସିଲାବସ୍‌ରେ ଗୁୁରୁତର ତ୍ରୁଟି ରହିଛି। ହିନ୍ଦୀ ବିଷୟ ୬୦ ନମ୍ବର ପରୀକ୍ଷା ହେବାକୁ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ଓ୍ଵବ୍‌ସାଇଟ୍‌ରେ ୫୦ ନମ୍ବର ପରୀକ୍ଷା ପାଇଁ ସିଲାବସ୍‌ ଦିଆଯାଇଛି। ମୋଟ ୬ଟି ବିଭାଗରୁ ୬୦ନମ୍ବର ପ୍ରଶ୍ନ ଆସିିବାକୁ ରହିଥିବା ବେଳେ ବୋର୍ଡ ପକ୍ଷରୁ ଓ୍ଵବ୍‌ସାଇଟ୍‌ରେ ଛଡାଯାଇଥିବା ସଂପୂର୍ଣ୍ଣ ସିଲାବସ୍‌ରେ ୨ଟି ବିଭାଗ ନଥିବା ସହିତ ୬୦ ବଦଳରେ ମୋଟ ୫୦ ନମ୍ବର ପ୍ରଶ୍ନର ସିଲାବସ୍‌ ରହିଛି। ଏହାକୁ ନେଇ ଆଦେବନ କରିଥିବା ପରୀକ୍ଷାର୍ଥୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପରୀକ୍ଷାର୍ଥୀମାନେ କିଛି ଦିନ ହେଲା ଅଭିଯୋଗ କରିଥିଲେ ମଧ୍ୟ ବୋର୍ଡ େଓ୍ଵବ୍‌ସାଇଟ୍‌କୁ ଏପର୍ଯ୍ୟନ୍ତ ସଂଶୋଧନ କରାଯାଇ ନାହିଁ। ଅବଶିଷ୍ଟ ୧୦ ନମ୍ବର କେଉଁଥରୁ ଆସିବ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପରୀକ୍ଷାର୍ଥୀ।

ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ପାଇଁ ମୋଟ ୧୬୦ନମ୍ବର ରହିଥବା ବେଳେ ସେକ୍ସନ୍‌-୧ (ବାଧ୍ୟତାମୂଳକ ଓଡ଼ିଆ, ଇଂରାଜୀ ପ୍ରତ୍ୟେକରୁ୨୦ନମ୍ବର ଲେଖାଏ) ରେ ୪୦ନମ୍ବର, ସେକ୍ଟନ-୨ରେ (ଉଭୟ କଳା ଓ ବିଜ୍ଞାନ) ୬୦ନମ୍ବର ଓ ସେକ୍ସନ୍‌-୩ରେ ୫୦ନମ୍ବର ରହିଛି। କ୍ଲାସିକାଲ ଶିକ୍ଷକଙ୍କ ପାଇଁ ସେକ୍ସନ୍‌-୨ରେ ସଂସ୍କୃତ, ଉର୍ଦ୍ଦୁ, ତେଲ୍‌ଗୁ, ହିନ୍ଦୀ ଯେକୌଣସି ଗୋଟିଏ ବିଷୟ ୬୦ନମ୍ବର ପରୀକ୍ଷା ଦେବାକୁ ସିଲାବସ୍‌ରେ ରହିଛି। ଏ ସଂକ୍ରାନ୍ତରେ ବୋର୍ଡ େଓ୍ଵବ୍‌ସାଇଟ୍‌ରେ ସେକ୍ସନ୍‌-୨ର ସମସ୍ତ ବିଷୟ ପାଇଁ ୬୦ନମ୍ବର ସଂପୂର୍ଣ୍ଣ ସିଲାବସ୍‌ ବୋର୍ଡ େଓ୍ଵବ୍‌ସାଇଟ୍‌ରେ ଛଡାଯାଇଛି। କିନ୍ତୁ ହିନ୍ଦୀରେ ସିଲାବସ୍‌ରେ ୬୦ ନମ୍ବର ଲେଖାଯାଇଥିବା ବେଳେ ମୋଟ ୫୦ ନମ୍ବର ସଂପୂର୍ଣ୍ଣ ପାଠକ୍ରମ ଓ୍ଵବସାଇଟ୍‌ରେ ଛଡାଯାଇଛି। ଏଥିରେ ୟୁନିଟ୍‌-୧ରେ ୧୦ ନମ୍ବର, ୟୁନିଟ୍‌-୨ରେ ୧୦ ନମ୍ବର, ୟୁନିଟ୍‌-୩ରେ ୨୦ନମ୍ବର ଓ ୟୁନିଟ୍‌-୬ରେ ୧୦ନମ୍ବର ପ୍ରଶ୍ନ ପାଇଁ ପାଠ୍ୟକ୍ରମ ଦିଆଯାଇଛି। ହିନ୍ଦୀ ବିଭାଗରେ ୟୁନିଟ୍‌-୪ ଓ ୫ ନଥିବା ବେଳେ ମୋଟ ୫୦ନମ୍ବର ପ୍ରଶ୍ନ ପାଇଁ ପାଠ୍ୟକ୍ରମ ରହିଛି। ଏ ସଂକ୍ରାନ୍ତରେ ବୋର୍ଡ ସଂପାଦକ ରମାଶିଷ ହାଜରା କହିଛନ୍ତି ଯେ ଓ୍ଵବ୍‌ସାଇଟ୍‌ରେ ହିନ୍ଦୀ ବିଷୟକୁ ନେଇ ତ୍ରୁଟି ରହିଛି। ତେଣୁ ୟୁନିଟ୍‌-୧ରେ ୧୦ନମ୍ବର ପରିବର୍ତ୍ତେ ୨୦ନମ୍ବର ପରୀକ୍ଷା କରାଯିବ।

ସମ୍ବନ୍ଧିତ ଖବର