ସମ୍ବଲପୁର: ଆସନ୍ତା ୧୬ ତାରିଖରେ ‘ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଷ୍ଟେଟ୍)’ ଅନୁଷ୍ଠିତ ହେବ। ହେଲେ ପରୀକ୍ଷା କେନ୍ଦ୍ରକୁ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ବିଚିତ୍ର ନୀତି ଯୋଗୁଁ ଏଥର ପରୀକ୍ଷାର୍ଥୀମାନେ ହନ୍ତସନ୍ତ ହେବେ ବୋଲି ବହୁ ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଅନ୍ୟ ବର୍ଷ ଯେଉଁ ଜିଲ୍ଲାର ପ୍ରାର୍ଥୀଙ୍କୁ ସେହି ଜିଲ୍ଲାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ସୁଯୋଗ ମିଳୁଥିଲା। ହେଲେ ଚଳିତ ବର୍ଷ ପରୀକ୍ଷା ଆୟୋଜନ କରୁଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାର୍ଥୀଙ୍କ କେନ୍ଦ୍ର ଭିନ୍ନଭିନ୍ନ ଜିଲ୍ଲାରେ ପକାଇଛି। ଯେକୌଣସି ପରୀକ୍ଷାରେ ଭିନ୍ନ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଗଲେ ସାଧାରଣତଃ ବଡ଼ ସହର ଗୁଡ଼ିକରେ କରାଯାଏ। କାରଣ ବଡ଼ ସହରକୁ ଯାତାୟାତର ସୁବିଧା ସହ ଆଗୁଆ ଗଲେ ରହିବା ପାଇଁ ବି ପର୍ଯ୍ୟାପ୍ତ ବ୍ୟବସ୍ଥା ଥାଏ।
କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏଥର ପ୍ରାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ୩୦୦ କିଲୋମିଟର୍ ଦୂର ପର୍ଯ୍ୟନ୍ତ ସ୍ଥାନରେ ପକାଇଛନ୍ତି। ସେଥିରେ ପୁଣି ଅତି ଛୋଟ ସହର ଗୁଡ଼ିକରେ ପରୀକ୍ଷା କେନ୍ଦ୍ର କରାଯାଇଛି ଯେଉଁଠିକୁ ଯାତାୟତ ବା ରହଣିର ପର୍ଯ୍ୟାପ୍ତ ସୁବିଧା ନାହିଁ। ଉଦାହରଣ ସ୍ବରୂପ ସମ୍ବଲପୁର ଜିଲ୍ଲାର ପରୀକ୍ଷାର୍ଥୀଙ୍କ କେନ୍ଦ୍ର ନୂଆପଡ଼ା, ଭବାନୀପାଟଣା, ପାଟଣାଗଡ଼, ଦେବଗଡ଼ ଭଳି ଦୂର ସହରମାନଙ୍କରେ ପକାଯାଇଛି। ସମ୍ବଲପୁର ଜିଲ୍ଲାର ବାମରା ବା ନାକଟିଦେଉଳ ବ୍ଲକ୍ର ଜଣେ ପ୍ରାର୍ଥୀଙ୍କୁ ନୂଆପଡ଼ା ଯିବାକୁ ହେଲେ ୩୦୦ କିଲୋମିଟର୍ ପଡ଼ିବ। ଏଥି ପାଇଁ ପ୍ରାର୍ଥୀମାନଙ୍କୁ ଗୋଟିଏ ଦିନ ପୂର୍ବରୁ ସେଠାରେ ପହଞ୍ଚିବାକୁ ହେବ। ହେଲେ ନୂଆପଡ଼ା ଭଳି ଛୋଟ ସହରରେ ଅଧିକ ସଂଖ୍ୟକ ପ୍ରାର୍ଥୀ ରହିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଲଜ୍, େହାଟେଲ୍ ବା ଅତିଥି ଗୃହ ନାହିଁ। ଦିନ ୧୦ଟାରୁ ପରୀକ୍ଷା ରଖା ଯାଇଥିବାରୁ ଜଣେ ନିଜସ୍ବ ଗାଡ଼ି ଭଡ଼ା କରି ଗଲେ ବି ସମୟରେ ପହଞ୍ଚି ପାରିବ ନାହିଁ। ସମ୍ବଲପୁର ସହରରୁ ବି କେହି ନୂଆପଡ଼ା ଯିବାକୁ ହେଲେ ତାକୁ ୨୦୦ କିଲୋମିଟର୍ ଯିବାକୁ ହେବ।
ବସ୍ କି ଟ୍ରେନ୍ ତ’ ଦୂର କଥା ନିଜସ୍ବ ଗାଡ଼ିରେ ଗଲେ ବି ଜଣେ ଠିକ ସମୟରେ ପହଞ୍ଚି ପାରିବାର କୌଣସି ଗ୍ୟାରେଣ୍ଟି ନାହିଁ। ଏହା କେବଳ ଗୋଟିଏ ଉଦାହରଣ ହୋଇଥିବା ବେଳେ ମାଲକାନଗିରିରୁ ମୟୂରଭଞ୍ଜ, କେନ୍ଦ୍ରାପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ବିଭିନ୍ନ ଦୂରଦୂରାନ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଅନ୍ୟ ଜିଲ୍ଲାର ପରୀକ୍ଷାର୍ଥୀଙ୍କୁ ହନ୍ତସନ୍ତ କରିବ। ଏହି ପରୀକ୍ଷାର ଅଧିକାଂଶ ପ୍ରାର୍ଥୀ ମହିଳା ହୋଇଥିବାବେଳେ ବର୍ତ୍ତମାନ ଶୀତଦିନ ହୋଇଥିବାରୁ ଏହା ସେମାନଙ୍କ ସମସ୍ୟା ବଢ଼ାଇବ। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଠାରୁ ଆରମ୍ଭ କରି ଅନେକ ବଡ଼ବଡ଼ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ର ପାଇଁ ନିଜ ପସନ୍ଦର ବିକଳ୍ପ ଚୟନର ସ୍ବାଧୀନତା ଦିଆ ଯାଇଥାଏ। ହେଲେ ଓଷ୍ଟେଟ୍ ଭଳି ଏକ ପରୀକ୍ଷାରେ ଏଭଳି ଉଦ୍ଭଟ କେନ୍ଦ୍ର ଆବଣ୍ଟନ ପରୀକ୍ଷାର୍ଥୀଙ୍କ ସମସ୍ୟା ବଢ଼ାଇଛି।
ବୋର୍ଡ କର୍ତ୍ତୃପକ୍ଷଙ୍କ ଅଦୂରଦର୍ଶୀ ଓ ଖାମଖିଆଲି ଚିନ୍ତାଧାରା କାରଣରୁ ଏବେ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ୁଛି ବୋଲି ବହୁ ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଏପରିକି ଅନେକ ଗରିବ ଶ୍ରେଣୀର ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଗାଡ଼ି, ହୋଟେଲ ବାବଦରେ ଅଯଥା ଖର୍ଚ୍ଚାନ୍ତ ହେବେ ବୋଲି କହିଛନ୍ତି। ଏ ସଂପର୍କରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କୁ ପଚାରିବାରୁ ସେ କହିଲେ, ଆମେ ଯେବେ ପରୀକ୍ଷାର ବିଜ୍ଞପ୍ତି ପ୍ରକାଶ କରିଥିଲୁ ଏ ସଂପର୍କରେ ସ୍ପଷ୍ଟ କରିଥିଲୁ। ବିଜ୍ଞପ୍ତି ଦେଖିବା ପରେ ସମସ୍ତେ ଆବେଦନ କରିଛନ୍ତି। ତେଣୁ ଏବେ ଏ ପ୍ରସଂଗ ଉଠାଇବା ଯଥାର୍ଥ ନୁହେଁ। ଏହା କୌଣସି ସ୍କୁଲ୍, କଲେଜ୍ ପରୀକ୍ଷା ନୁହେଁ, ଏକ ପେସାଦାର ପରୀକ୍ଷା। ଏହାର ପରୀକ୍ଷାର୍ଥୀମାନେ ପରିପକ୍ବ ହୋଇଥିବାରୁ ନିଜେ ନିଜ ବ୍ୟବସ୍ଥା କରିବାକୁ ସମର୍ଥ ବୋଲି ଶ୍ରୀ ହାଜରା କହିଥିଲେ। ଚଳିତ ବର୍ଷ ପରୀକ୍ଷାମୂଳକ ଭାବେ ଏଭଳି ପଦକ୍ଷେପ ନିଆ ଯାଇଥିବା ସେ କହିଥିଲେ।