ମୁଖ୍ୟସଚିବଙ୍କ ଚିଠିକୁ ନେଇ ଲୋକସେବା ଭବନର ବରିଷ୍ଠ ବିଭାଗୀୟ ଅଧିକାରୀ ଓ ଡେସ୍କ ଅଧିକାରୀଙ୍କ ଭିତରେ ଦାନା ବାନ୍ଧୁଛି ଅସନ୍ତୋଷ

ଭୁବନେଶ୍ବର : ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ସରକାର ସଚିବାଳୟର ନାମ ବଦଳାଇଲେ। ନିର୍ଦ୍ଦେଶାଳୟକୁ ସମ୍ପୃକ୍ତ ପ୍ରଶାସନିକ ବିଭାଗ ସହିତ ମିଶ୍ରଣ କରି ଆଉ ଗୋଟିଏ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ କିନ୍ତୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ଗୋଟିଏ ନିର୍ଦ୍ଦେଶନାମା ଲୋକସେବା ଭବନର ବରିଷ୍ଠ ବିଭାଗୀୟ ଅଧିକାରୀ ଓ ଡେସ୍କ ଅଧିକାରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କଲାଣି। ଏଏସଓମାନେ ସିଧାସଳଖ ଏସଓ କିମ୍ବା ଡିଓଙ୍କୁ ଫାଇଲ ନ ଦେଇ ଉପଶାସନ ସଚିବ, ଯୁଗ୍ମ ଶାସନ ସଚିବ କିମ୍ବା ଅତିରିକ୍ତ ଶାସନ ସଚିବଙ୍କୁ ଫାଇଲ ପଠାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଗତ ୪ ତାରିଖରେ ଲେଖିଥିବା ଚିଠି ହିଁ ଏହି ଅସନ୍ତୋଷର କାରଣ ପାଲଟିଛି।

ଲୋକସେବା ଭବନରେ ପ୍ରାୟ ୮୦୦ ଜଣ ସେକ୍ସନ ଅଫିସର ଓ ଡେସ୍କ ଅଫିସର କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସେକ୍ରେଟେରିଏଟ ଇନଷ୍ଟ୍ରକ୍ସନ ମାନୁଆଲରେ ଡିଲିଂ ଆସିଷ୍ଟାଣ୍ଟମାନଙ୍କ ପାଇଁ ଥିବା କାର୍ଯ୍ୟାବଳୀ ଅନୁଯାୟୀ କୌଣସି ଫାଇଲ ଉପରେ ଟିପ୍ପଣୀ କିମ୍ବା ନୂଆ କରି ଫାଇଲ ପ୍ରସ୍ତୁତ କରିବାକୁ ହେଲେ ଉପରିସ୍ଥ ବିଭାଗୀୟ ଅଧିକାରୀ (ଏସଓ) କିମ୍ବା ଡେସ୍କ ଅଧିକାରୀ (ଡିଓ)ଙ୍କ ଜରିଆରେ ପଠାଇବା ବ୍ୟବସ୍ଥା ରହିଛି। ୭ ଦିନରୁ ଅଧିକ ଦିନ ପଡ଼ିରହିଥିବା ସମସ୍ତ ଫାଇଲ ସମ୍ପର୍କରେ ବିଭାଗୀୟ ଅନୁଶାସନ ସଚିବଙ୍କୁ ଜଣାଇବାକୁ ହେଲେ ସମ୍ପୃକ୍ତ ବିଭାଗର ମୁଖ୍ୟ ସହାୟକ ବା ବିଭାଗୀୟ ଅଧିକାରୀଙ୍କ ଜରିଆରେ ଜଣାଇବା ବ୍ୟବସ୍ଥା ରହିଛି। ଏପରିସ୍ଥଳେ ମୁଖ୍ୟ ଶାସନ ସଚିବଙ୍କ ଗୋଟିଏ ନିର୍ଦ୍ଦେଶ ବର୍ଷବର୍ଷ ଧରି ଚାଲିଆସୁଥିବା ବ୍ୟବସ୍ଥା ସହିତ ମେଳ ଖାଉନି। ଏହାକୁ ନେଇ କିଛି ବରିଷ୍ଠ ଏସଓ ଓ ଡିଓଙ୍କ କହିଛନ୍ତି, ଯଦି ମୁଖ୍ୟ ଶାସନ ସଚିବ ଏଏସଓମାନଙ୍କୁ ଅଧିକ କୁଶଳୀ ଓ କାର୍ଯ୍ୟଦକ୍ଷ ବୋଲି ବିବେଚନା କରୁଛନ୍ତି ତାହା ହେଲେ ପ୍ରଥମେ ଓଡ଼ିଶା ସେକ୍ରେଟେରିଏଟ ଇନଷ୍ଟ୍ରକ୍ସନ ମାନୁଆଲରେ ଆବଶ୍ୟକ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇପାରିଥାନ୍ତେ। କାହାକୁ କେଉଁ ଫାଇଲର ଦାୟିତ୍ବ କିପରି ଦିଆଯିବ ସେ ନିଷ୍ପତ୍ତି ସମ୍ପୂର୍ଣ୍ଣଭାବେ ବିଭାଗୀୟ ଶାସନ ସଚିବ ନେଇଥାନ୍ତି। ବିଭାଗୀୟ ଶାସନ ସଚିବମାନେ ଅଭିଜ୍ଞତା ଆଧାରରେ କାମ ବାଣ୍ଟିଥାନ୍ତି। ମୁଖ୍ୟ ଶାସନ ସଚିବ ଏବେ ଯେଉଁ ନିର୍ଦ୍ଦେଶ ଜାରି କରିଛନ୍ତି, ବିଭାଗୀୟ ଶାସନ ସଚିବଙ୍କ କ୍ଷମତାକୁ ସଂକୁଚିତ କଲାଭଳି ମନେ ହେଉଥିବା କିଛି କର୍ମଚାରୀ ଅଭିଯୋଗ କରିଛନ୍ତି। ଏପରି ନିଷ୍ପତ୍ତି ବିରୋଧରେ କାର୍ଯ୍ୟରତ ଏସଓ ଓ ଡିଓମାନେ ଆଗକୁ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅନ୍ୟପଟେ, ମୁଖ୍ୟଶାସନ ସଚିବଙ୍କ ଏପରି ନିଷ୍ପତ୍ତିକୁ ଆଉ ଗୋଟିଏ କର୍ମଚାରୀ ମହଲ ସ୍ବାଗତ କରିଛି। ଏହି ମହଲର କହିବା କଥା, ସଚିବାଳୟକୁ ସମ୍ପୂର୍ଣ୍ଣ ଭାବେ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୦୮ ମସିହାରେ ନୂଆ କରି ଏଏସଓ କ୍ୟାଡର ସୃଷ୍ଟି କରିଥିଲେ। ଏ ନେଇ ସେହିବର୍ଷ ସେପ୍ଟେମ୍ବର ୩୦ ତାରିଖରେ ରାଜ୍ୟପାଳଙ୍କ ଆଦେଶମତେ ଗୃହ ବିଭାଗ ପକ୍ଷରୁ ସଂକଳ୍ପ ପ୍ରକାଶ ପାଇଥିଲା। ଏଏସଓମାନେ ସମସ୍ତ କମ୍ପ୍ୟୁଟର କାମ କରିବା ସହ ଅନଲାଇନ୍ ଫାଇଲ କାମ କରିଆସୁଛନ୍ତି। ନୂଆହୋଇ ନିଯୁକ୍ତି ପାଇଥିବା ଏଏସଓମାନଙ୍କ ଭିତରେ ଅନେକ ଉଚ୍ଚଶିକ୍ଷିତ ଓ ବୈଷୟିକ ଦିଗରୁ ଦକ୍ଷ ହୋଇଥିବାରୁ ସେମାନଙ୍କୁ ପ୍ରକଳ୍ପ ପ୍ରସ୍ତୁତି ଦାୟିତ୍ବରେ ରଖିଲେ ସେମାନଙ୍କ ଦକ୍ଷତାର ସୁବିନିଯୋଗ ହେବା ସହ ସରକାରଙ୍କ କାର୍ଯ୍ୟ ଆହୁରି ସରଳ ହୋଇପାରିବ। ଏହାଦ୍ବାରା ଲୋକସେବା କ୍ଷେତ୍ରରେ ଅଧିକ ପାରଦର୍ଶିତା ବି ମିଳିବ।

ସମ୍ବନ୍ଧିତ ଖବର