ପଦୋନ୍ନତି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ଦେଲା ସଚିବାଳୟ ସେବା ସଂଘ

ଭୁବନେଶ୍ବର : ଚଳିତ ବର୍ଷ ସଚିବାଳୟ ସେବା କ୍ୟାଡରରେ କୌଣସି ପଦୋନ୍ନତି ନ ମିଳିବା ନେଇ ସମ୍ଭାବନା ଦେଖାଦେଇଛି। ଏଭଳି ଅଭିଯୋଗ କରି ଆଜି ପୁଣି ଥରେ ଓଡ଼ିଶା ସଚିବାଳୟ ସେବା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ଦେଇଛି। ଓଏସ୍‌ଏସ୍‌ କ୍ୟାଡରରେ ବରିଷ୍ଠ ଅଧିକାରୀମାନେ ଉଚ୍ଚ ପାହ୍ୟାକୁ ପଦୋନ୍ନତି ନ ପାଇ ଅବସର ନେଇଛନ୍ତି। ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି। କର୍ମଚାରୀଙ୍କ ସ୍ବାର୍ଥ ଓ କଲ୍ୟାଣ ପାଇଁ ତୁରନ୍ତ ଗୃହ ବିଭାଗକୁ ନିର୍ଦ୍ଦେଶ ଦେବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସଂଘର ଦାବି ଅନୁଯାୟୀ, ୨୦୨୦ ମସିହା ପାଇଁ ଲୋକସେବା ଭବନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଓଏସ୍‌ଏସ୍‌ କ୍ୟାଡରରେ ୮ଟି ଅତିରିକ୍ତ ଶାସନ ସଚିବ ପଦବି, ୧୩ଟି ଯୁଗ୍ମ ଶାସନ ସଚିବ, ୨୫ଟି ଉପଶାସନ ସଚିବ, ୩୬ଟି ଅନୁଶାସନ ସଚିବ, ୬୪ଟି ଡେସ୍କ୍‌ ଅଫିସର ଓ ୩୮୦ଟି ସେକ୍‌ସନ୍‌ ଅଫିସର ପଦବି ପଦୋନ୍ନତି ଆଧାରରେ ପୂରଣ ହେବ। କିନ୍ତୁ ଏବେସୁଦ୍ଧା ବିଭାଗୀୟ ପଦୋନ୍ନତି କମିଟି ବସି ନ ଥିବାରୁ କାହାକୁ ପଦୋନ୍ନତି ମିଳିନାହିଁ। ପଦୋନ୍ନତି ପାଇବାକୁ ଯୋଗ୍ୟ ଥିଲେ ବି ସରକାରଙ୍କ ଉଦାସୀନତା ଯୋଗୁଁ ଗତ ମେ ମାସରେ ୨୬ ଜଣ ଅଧିକାରୀ ବିନା ପଦୋନ୍ନତିରେ ଅବସର ଗ୍ରହଣ କରିଛନ୍ତି। ସେହିପରି ଆଉ ୩୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ଚଳିତବର୍ଷ ଅବସର ନେବେ ବୋଲି ଅଭିଯୋଗ ହୋଇଛି। ଜାନୁଆରି ମାସରେ ପଦୋନ୍ନତି ଦେବାକୁ କଡ଼ା ନିର୍ଦ୍ଦେଶ ଥିବାବେଳେ ଏ ବର୍ଷ ଅଧା ହେବାକୁ ବସିଲାଣି ଏଯାଏଁ ଗୋଟିଏ ବି ପଦୋନ୍ନତି ଦିଆଯାଇନାହିଁ। ଏ ବିଷୟରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କର ୫ ‘ଟି’ ବ୍ୟବସ୍ଥା ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ସଚିବାଳୟ ସେବା କ୍ୟାଡର କର୍ମଚାରୀମାନଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି। ଯଦି ସରକାରଙ୍କଠାରୁ ଉଚିତ୍‌ ନ୍ୟାୟ ନ ମିଳେ ତାହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସଂଘର ନେତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର