ଅଫିସର୍‌ଙ୍କୁ ଜିଲ୍ଲା ଦାୟିତ୍ୱ ଭେଳିକି

ଭୁବନେଶ୍ୱର : ସଚିବମାନେ ଜିଲ୍ଲା ବୁଲିବାକୁ ସରକାର ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜିଲ୍ଲା ବାଣ୍ଟି ଦିଆଯାଇଛି। କେତେକ ସଚିବ ଜିଲ୍ଲା ବୁଲାବୁଲି ଆରମ୍ଭ କରିଦେଲେଣି। ବିଜେଡି ସରକାରର ୧୭ ବର୍ଷ ମଧ୍ୟରେ ଏମିତି ଥରେ ନୁହେଁ, ଅଧ ଡଜନ ଥର ଏମିତି ନିର୍ଦ୍ଦେଶ ଦିଆଯାଇଛି। ମନେହେଉଛି, ସଚିବମାନଙ୍କୁ ଜିଲ୍ଲା ଦାୟିତ୍ୱ ଏକ ଭେଳିକିରେ ପରିଣତ ହୋଇଗଲେଣି। କାରଣ, ଦୁଇ ବର୍ଷ ତଳେ ସରକାର ରାଜ୍ୟ ପ୍ରଶାସନର ଚାରି ଚାରି ଜଣ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କୁ ଚାରିଟି ସର୍ବାଧିକ ପଛୁଆ ଅଞ୍ଚଳର ଦାୟିତ୍ୱ ଦେଇଥିଲେ। କିନ୍ତୁ ତାହାର ଫଳ କ’ଣ ହେଲା, କେହି ଜାଣିପାରିଲେ ନାହିଁ। ଦାୟିତ୍ୱ ଦେବାର କିଛି ମାସ ପରେ ସରକାର ବି ଏକଥା ଯେମିତି ଭୁଲିଯାଇଛନ୍ତି।

୨୦୧୫ ସେପ୍ଟେମ୍ବରରେ ୪ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କୁ ୪ଟି ପଛୁଆ ଜିଲ୍ଲା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତତ୍‌କାଳୀନ ଉନ୍ନୟନ କମିସନର୍‌ ଉପେନ୍ଦ୍ର ବେହେରାଙ୍କୁ ମାଲକାନଗିରି, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ କନ୍ଧମାଳ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌ ବାଲକ୍ରିଷ୍ଣନ୍‌ଙ୍କୁ ନବରଙ୍ଗପୁର ଓ ରାଜସ୍ୱ ପର୍ଷଦ ସଭ୍ୟ ଅଶୋକ ତ୍ରିପାଠୀଙ୍କୁ ନୂଆପଡ଼ା ଦାୟିତ୍ୱ ଦିଆଯାଇଥିଲା। ଯୋଜନାର ପାହାଡ଼ ଖଞ୍ଜାଯାଇଥିବା ଏହି କେବିକେ ଜିଲ୍ଲାଗୁଡ଼ିକର ବିକାଶ କେଉଁଠି ନା କେଉଁଠି ଧିମା ପଡ଼ିଯାଇଛି ବୋଲି ସମ୍ଭବତଃ ସରକାର ଅନୁମାନ କରିଥିଲେ। ୪ ବରିଷ୍ଠ ଅଫିସର୍‌ ଦାୟିତ୍ୱ ନେଲା ପରେ ବିକାଶ ଦ୍ରୁତ ଗତିରେ ଚାଲିବ ବୋଲି ସମସ୍ତଙ୍କ ଧାରଣା ହୋଇଥିଲା। ସରକାର ମଧ୍ୟ ସେହି ଢଙ୍ଗରେ ତାହାକୁ ପ୍ରଚାର କରିଥିଲେ। ପଛୁଆ ଜିଲ୍ଲା ପ୍ରତି ସରକାରଙ୍କ ଆନ୍ତରିକତା ସଂପର୍କରେ ତୁହାକୁ ତୁହା ଶାସକ ଦଳ ନେତାମାନେ ବି ଆଲୋଚନା କଲେ।

ସରକାରଙ୍କ ନିର୍ଦ୍ଦେଶ ଥିଲା, ଏହି ୪ ଅଧିକାରୀ ସଂପୃକ୍ତ ଜିଲ୍ଲା ଗସ୍ତ କରି ଉନ୍ନୟନ କାର୍ଯ୍ୟର ତଦାରଖ କରିବେ। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କିପରି ତ୍ୱରାନ୍ଵିତ ହେବ, ତାହା ସମୀକ୍ଷା କରିବେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ। ପ୍ରତି ମାସରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଏହାର ସମୀକ୍ଷା କରିବେ।

ପ୍ରଥମେ ୨/୪ ମାସ ସବୁ ଠିକ୍‌ ଚାଲିଲା। ଅଧିକାରୀମାନେ ଜିଲ୍ଲା ଗଲେ। ସେଠାରେ କାମ ତଦାରଖ କଲେ। ମୁଖ୍ୟମନ୍ତ୍ରୀ ଦୁଇ ତିନି ଥର ସଚିବାଳୟରେ ଜିଲ୍ଲା ଓ୍ଵାରି ସମୀକ୍ଷା କଲେ।

ହେଲେ ତା ପରେ ସମସ୍ତେ ଏହାକୁ ଭୁଲିଗଲେ। ରାଜ୍ୟ ପ୍ରଶାସନର ଦୃଶ୍ୟପଟ୍ଟ ବି ବଦଳିଗଲା। କନ୍ଧମାଳ ଜିଲ୍ଲା ଦାୟିତ୍ୱ ନେବାର ତିନି ମାସ ପରେ ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଲେ। ମୁଖ୍ୟ ସଚିବ ଭାବେ ସବୁ ଜିଲ୍ଲା ଦାୟିତ୍ୱ ତାଙ୍କର। ତେଣୁ ଆଉ ନିର୍ଦ୍ଦିଷ୍ଟ ଗୋଟିଏ ଜିଲ୍ଲା ପାଇଁ ସମୟ ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ସେହି ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌ ବାଲକ୍ରିଷ୍ଣନ୍‌ ପଦୋନ୍ନତି ପାଇ ଉନ୍ନୟନ କମିସନର୍‌ ହେଲେ। ତତ୍‌କାଳୀନ୍‌ ଉନ୍ନୟନ କମିସନର୍‌ ଉପେନ୍ଦ୍ର ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବଦଳି କରାଗଲା। ତାହାର କିଛି ମାସ ପରେ ସେ ଅବସର ନେଲେ ଓ  ତାଙ୍କୁ ଓଇଆର୍‌ସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଲା। ସେହିପରି ଅଶୋକ କୁମାର ତ୍ରିପାଠୀ ୨୦୧୬ ଅଗଷ୍ଟରୁ ଅବସର ନେଇସାରିଲେଣି।

ଯେତିକି ଦିନ ଏହି ଅଧିକାରୀମାନେ ଜିଲ୍ଲା କାର୍ଯ୍ୟ ତଦାରଖ କଲେ, ସେଥିରେ ବିକାଶ କେତେ ତ୍ୱରାନ୍ଵିତ ହେଲା, ତାହା ସ୍ପଷ୍ଟ ହେଲା ନାହିଁ। କିନ୍ତୁ ଏହି ୪ ଅଧିକାରୀଙ୍କୁ ଅନ୍ୟ ଆଡ଼େ ନିଯୁକ୍ତି ଓ ଅବସର ନେଲା ପରେ ବି ସରକାର ଆଉ କାହାରିକୁ ଏ ଦାୟିତ୍ୱ ଦେବାକୁ ଭୁଲିଯାଇଛନ୍ତି।

ପ୍ରଶ୍ନ ଉଠୁଛି, ଯଦି ବାସ୍ତବରେ ସେହି ଅଞ୍ଚଳର ବିକାଶ ତ୍ୱରାନ୍ଵିତ କରିବାର ଆବଶ୍ୟକତା ଥିଲା, ତେବେ ପରବର୍ତ୍ତୀ ସମୟରେ ଆଉ କୌଣସି ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା ନାହିଁ କାହିଁକି? ଗତ ଦୁଇ ବର୍ଷ ମଧ୍ୟରେ ସେହି ୪ଟି ଜିଲ୍ଲା କ’ଣ ବିକାଶର ବହୁ ଆଗକୁ ଚାଲିଯାଇଛି? ସରକାର ସେହି ଜିଲ୍ଲାଗୁଡ଼ିକର ବିକାଶ କାର୍ଯ୍ୟରେ କ’ଣ ସନ୍ତୁଷ୍ଟ ହୋଇଯାଇଛନ୍ତି ? ଆଉ ସେଠାରେ ବିକାଶ କାର୍ଯ୍ୟ ତଦାରଖ କରିବା ପାଇଁ ବଡ଼ ବାବୁମାନଙ୍କର ଆବଶ୍ୟକତା ନାହିଁ ?

ପଛୁଆ ଅଞ୍ଚଳର ଦାୟିତ୍ୱ ଦେବାକୁ ସରକାରଙ୍କ ପାଖରେ ଯେ ଆଇଏଏସ୍‌ ଅଫିସର୍‌ ନାହାନ୍ତି, ତାହା ନୁହେଁ। ଚଳିତ ବର୍ଷ ପାଞ୍ଚ ପାଞ୍ଚ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କୁ ପଦୋନ୍ନତି ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସରକାର ସେମାନଙ୍କ ଦାୟିତ୍ୱ ବଢ଼ାଇ ନାହାନ୍ତି। ୧୯୮୬ ବ୍ୟାଚ୍‌ର ଏହି ଅଫିସର୍‌ମାନେ ପଦୋନ୍ନତି ଉପଭୋଗ କରୁଥିଲେ ବି ପୂର୍ବ ପରି ଗୋଟିଏ ଗୋଟିଏ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଅଧିକ ଦାୟିତ୍ୱ ସେମାନଙ୍କ ଉପରେ ନାହିଁ। ସେମାନଙ୍କୁ ପଛୁଆ ଜିଲ୍ଲାଗୁଡ଼ିକର ଦାୟିତ୍ୱ ଦେଇ ବିକାଶ କାର୍ଯ୍ୟ ତ୍ୱରାନ୍ଵିତ କରାଇବାରେ କେଉଁଠି ସମସ୍ୟା ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର