ଏନ୍‌ସିଆର୍‌ବି ରିପୋର୍ଟ: ନାରୀ ନିର୍ଯାତନା ମାମଲାରେ ଓଡ଼ିଶା ଦେଶରେ ସବୁଠୁ ଆଗରେ

ନୂଆଦିଲ୍ଲୀ: ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଥିବା ବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଏହା ବୃଦ୍ଧି ପାଇଥିବା କଥା ମଙ୍ଗଳବାର ଦିନ ‘ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ’ (ଏନ୍‌ସିଆର୍‌ବି) ରିଲିଜ୍ କରିଥିବା ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି।

‘ଏନ୍‌ସିଆର୍‌ବି’ ତଥ୍ୟ ଅନୁସାରେ, ନାରୀ ନିର୍ଯାତନା କ୍ଷେତ୍ରରେ ବର୍ଷ ୨୦୨୦ରେ ଓଡ଼ିଶା ଶୀର୍ଷରେ ରହିଛି। ୨୦୨୦ରେ ଓଡ଼ିଶା ପୁଲିସ ନାରୀମାନଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ସମ୍ବନ୍ଧୀୟ ୨୫,୪୮୯ ମାମଲା ରୁଜୁ କରିଥିବା ବେଳେ ବର୍ଷ ୨୦୧୯ରେ ରାଜ୍ୟରେ ପଞ୍ଜିକୃତ ନାରୀ ନିର୍ଯାତନା ମାମଲା ସଂଖ୍ୟା ଥିଲା ୨୩,୧୮୩।

ରିପୋର୍ଟ ଅନୁସାରେ, ରାଜ୍ୟରେ ‘ସମ୍ମାନ ନେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନାରୀମାନଙ୍କ ଉପରେ ଆକ୍ରମଣ ମାମଲା’ ସଂଖ୍ୟା ହେଉଛି ୧୨,୬୦୬। ଅର୍ଥାତ୍‌ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟରେ ମହିଳାମାନଙ୍କ ଉପରେ ହୋଇଥିବା ଆକ୍ରମଣ ହାର ୫୫.୮%। ଏହା ବ୍ୟତିରେକେ, ୨୦୨୦ରେ ମହିଳାମାନଙ୍କୁ ଉଲଗ୍ନ କରାଯାଇଥିବା ମାମଲା ସଂଖ୍ୟା ୩,୨୩୨ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ନାରୀମାନଙ୍କ ସମ୍ମାନହାନି ଏବଂ ନାରୀ ଅପହରଣ ମାମଲାରେ ମଧ୍ୟ ବର୍ଷ ୨୦୨୦ରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି।

ସେହିପରି, ରାଜ୍ୟରେ ୫୨୬ଟି ମାମଲା ନାରୀମାନଙ୍କ ପ୍ରତି କରାଯାଇଥିବା ସାଇବର୍ ଅପରାଧ ସହ ସମ୍ପୃକ୍ତ। ଏହାଛଡ଼ା, ୨୯୨ଟି ଯୌନଶୋଷଣ ସାମଗ୍ରୀ ପ୍ରକାଶନ ମାମଲାରେ ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ରହିଛି। ନାରୀମାନଙ୍କୁ ବ୍ଲାକ୍‌ମେଲ୍‌ କରିବା, ମାନହାନି କରିବା ଓ ମର୍ଫିଙ୍ଗ୍ କରିବା (କମ୍ପ୍ୟୁଟର୍‌ ଯୋଗେ ଫଟୋରେ ଆପତ୍ତିଜନକ ପରିବର୍ତ୍ତନ) କ୍ଷେତ୍ରରେ ବି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ବର୍ଷ ୨୦୨୦ରେ ଏଭଳି ସମୁଦାୟ ୨୩୪ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Image Courtesy of Zee News

ବର୍ଷ ୨୦୧୯ରେ ଦେଶରେ ସମୁଦାୟ ୩,୭୧,୫୦୩ ନାରୀ ନିର୍ଯାତନା ମାମଲା ପଞ୍ଜିକୃତ ହୋଇଥିବା ବେଳେ ବର୍ଷ ୨୦୨୦ରେ ୪,୦୫,୩୨୬ ମାମଲା ପଞ୍ଜିକୃତ ହୋଇଛି। ଅର୍ଥାତ୍‌ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଛି।

ଅଧିକାଂଶ ନାରୀ ନିର୍ଯାତନା ମାମଲା ‘ସ୍ବାମୀ କିଂବା ତାଙ୍କ ଆତ୍ମୀୟଙ୍କ ନିଷ୍ଠୁରତା’ (୩୦.୦%) ବୋଲି ପଞ୍ଜିକୃତ ହୋଇଛି। ଏହା ତଳକୁ ରହିଛି ‘ସମ୍ମାନ ନେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନାରୀମାନଙ୍କ ଉପରେ ଆକ୍ରମଣ ମାମଲା (୨୩.୦%)। ସେହିପରି, ‘ନାରୀ ଅପହରଣ ମାମଲା ୧୬.୮% ଥିବା ବେଳେ ୭.୫% ରହିଛି ଦୁଷ୍କର୍ମ ମାମଲା।

ଉପରୋକ୍ତସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ୨୦୧୯ ତୁଳନାରେ ୨୦୨୦ରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇଛି। ଅପରପକ୍ଷେ, ୨୦୧୯ରେ ଦିଲ୍ଲୀରେ ୧୩,୩୯୫ ନାରୀ ନିର୍ଯାତନା ମାମଲା ରେକର୍ଡ କରାଯାଇଥିବା ବେଳେ ୨୦୨୦ରେ ୧୦,୦୯୩ ମାମଲା ରେକର୍ଡ ହୋଇଛି। ଦେଶରେ ଦ୍ରୁତ ନାରୀ ନିର୍ଯାତନା ହ୍ରାସ ପାଇଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ମଧ୍ୟ ସ୍ଥାନ ପାଇଛି। ସେଠାରେ ୨୦୧୯ରେ ୫୯,୮୫୩ଟି ନାରୀ ନିର୍ଯାତନା ମାମଲା ହୋଇଥିବା ବେଳେ ୨୦୨୦ରେ ୪୯,୩୮୫ଟି ମାମଲା ହୋଇଛି।

ସମ୍ବନ୍ଧିତ ଖବର