କେରଳରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶା ପଠାଇଲା ଉଦ୍ଧାରକାରୀ ଦଳ

କଟକ : କେରଳରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଆଜି ଓଡ଼ିଶା ଅଗ୍ନିଶମ ସେବାର ୨୪୪ ଜଣିଆ ଟିମ୍‌ କେରଳରେ ପହଞ୍ଚିଛି। ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ୨୨୫ ଜଣ ବୈଷୟିକ ଅଧିକାରୀ, ଫାୟାରମ୍ୟାନ, ବୋଟ୍‌ ଅପରେଟର ପ୍ରମୁଖ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୧୮ ଜଣ ତଦାରଖ ଅଧିକାରୀ ପ୍ରତ୍ୟେକ କାର୍ଯ୍ୟକୁ ନିରୀକ୍ଷଣ କରିବେ। ଓଡ଼ିଶାରୁ ଏହି ଦଳ ସହ ୭୬ ପାଓ୍ଵାର ବୋଟ୍‌, ୮ ଅଣ୍ଡର ଓ୍ଵାଟର ବିଏ ସେଟ୍‌, ୩୫ ପାଓ୍ଵାର ସ’, ୧୩ ସର୍ଚ୍ଚ ଲାଇଟ୍‌, ୩ ଟେଣ୍ଟ, ୧୪ ଟର୍ଚ୍ଚ ଲାଇଟ୍‌, ୨୩୪ ଲାଇଫ୍‌ ଜାକେଟ୍‌, ୧୩୭ ଲାଇଫ୍‌ ବୋଏ, ୩୧ ଲାଇଫ୍‌ ଲାଇନ୍‌, ୩୦ ଶୋଇବା ମ୍ୟାଟ୍‌, ୨ ଆଗ୍ରୋମେଟ୍‌, ୬ ଟେଣ୍ଟ କଭର, ୨ କମ୍ପ୍ରେସରକୁ କେରଳ ପଠାଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜରୁରିକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍‌ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଥିଲା। ତେଣୁ ମୌଖିକ ଭାବେ ନିର୍ଦ୍ଦେଶ ପାଇ ଅଗ୍ନିଶମ କର୍ମଚାରୀମାନେ ଏହି କାର୍ଯ୍ୟ ପାଇଁ ବାହାରିଯାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି। ଓଡ଼ିଶା ଅଗ୍ନିଶମ ସେବା ଭାରତରେ ଶ୍ରେଷ୍ଠ ଅଗ୍ନିଶମ ସେବା ଭିତରେ ପରିଗଣିତ କରାଯାଉଛି। ଯେକୌଣସି ପ୍ରକାରର ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାର ଅଗ୍ନିଶମ କର୍ମଚାରୀମାନେ ଦକ୍ଷ। ଗତ ହୁଡ୍‌ହୁଡ୍‌ ବାତ୍ୟା ବେଳେ ବିଶାଖାପାଟଣାରେ ହୋଇଥିବା ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇ ପ୍ରଶଂସାର ପାତ୍ର ହୋଇଥିଲେ। ଅନ୍ୟପକ୍ଷରେ ୧୯୯୯ ମହାବାତ୍ୟା ବେଳେ ଅନ୍ୟ ରାଜ୍ୟମାନେ ଓଡ଼ିଶାକୁ ସବୁପ୍ରକାର ସହାୟତା ଦେଇଥିବାରୁ ଏବେ ଅନ୍ୟ ରାଜ୍ୟମାନଙ୍କର ସହାୟତା ଆବଶ୍ୟକ ବେଳେ ଓଡ଼ିଶା ପଛଘୁଞ୍ଚା ଦେବ ନାହିଁ ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର