ସହାୟତାର ହାତ ବଢ଼ାଇଲା ରାଜ୍ୟ; ଯେକୌଣସି ରାଜ୍ୟ ଅମ୍ଲଜାନ ମାଗିଲେ ପଠାଇବ ଓଡ଼ିଶା

ଭୁବନେଶ୍ବର: ଅମ୍ଲଜାନ ଅଭାବ ଭିତରେ ଓଡ଼ିଶା ସହାୟତାର ହାତ ବଢ଼ାଇଛି । ଅମ୍ଲଜାନ ଅଭାବ ଥିବା ରାଜ୍ୟକୁ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ୬ଟି ରାଜ୍ୟକୁ ଲଗାତାର ଭାବରେ ଅମ୍ଲଜାନ ପଠାଯାଉଛି। ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ବିହାରକୁ ଓଡ଼ିଶା ପଠାଉଛି ଅକ୍ସିଜେନ ।

ସବୁଠାରୁ ବଡ଼ କଥା ହେଲା, ଅମ୍ଲଜାନ ଯୋଗାଣ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ୨୪ ଘଣ୍ଟିଆ ସେଲ ସକ୍ରିୟ ରହିଛି । ଯେକୌଣସି ରାଜ୍ୟ ଯଦି ଅମ୍ଲଜାନ ସହାୟତା ଲୋଡ଼େ ସେ ରାଜ୍ୟକୁ ଏହା ଓଡ଼ିଶା ଯୋଗାଇବ । ରାଜ୍ୟର ବଳକା ଅମ୍ଲଜାନ ମଧ୍ୟ ବାହାର ରାଜ୍ୟକୁ ପଠାଯିବ । ଏହିକ୍ରମରେ ୪୦ ଟନ୍ ଅମ୍ଲଜାନ ଅନ୍ୟ ରାଜ୍ୟକୁ ଯାଇଛି ।

ଅନ୍ୟପଟେ ଶିଳ୍ପପ୍ରତିଷ୍ଠାନକୁ ୨୪ ଘଣ୍ଟିଆ ଅମ୍ଲଜାନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟାଟା କଳିଙ୍ଗନଗର, ଜେଏସପିଏଲକୁ ଅମ୍ଲଜାନ ଯୋଗାଣ ପାଇଁ ନିର୍ଦ୍ଦେଶ । ଟାଟା ଭୂଷଣ ଢେଙ୍କାନାଳ ଓ ଜେଏସଏଲ କଳିଙ୍ଗନଗରକୁ ଅମ୍ଲଜାନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଡ଼କପଥରେ ଅମ୍ଲଜାନ ଯୋଗାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏବଂ ଆଇନଶୃଙ୍ଖଳା ଏଡିଜିଙ୍କ ତତ୍ତ୍ୱାବଧାନରେ ଅମ୍ଲଜାନ ପଠାଯାଇଉଛି । ଅମ୍ଲଜାନ ଟ୍ୟାଙ୍କରର ଆଗରେ ଓ ପଛରେ ଏସକର୍ଟ ଭ୍ୟାନ୍ ଜଗୁଛନ୍ତି । ଅମ୍ଲଜାନ ଯୋଗାଣରେ ବିଳମ୍ବ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର