ଭୁବନେଶ୍ବର: ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଜୋର୍‌ ଧରିଥିବା ବେଳେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍‌ସିପି, ଏସ୍‌ପି ଓ ଆର୍‌ଜେଡି ଦଳ ସମର୍ଥନ ଜଣାଇଛନ୍ତି। ସେ ଦିନ ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆଜି କଂଗ୍ରେସ ଭବନଠାରେ ଆୟୋଜିତ ବିଭିନ୍ନ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା କରାଯାଇଛି।
Advertisment
ଛାତ୍ରୀ ଆତ୍ମାହୁତି ପ୍ରତିବାଦରେ କଂଗ୍ରେସର ଡାକରା
ସମର୍ଥନ କଲେ ବାମ ଦଳ
ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବିଧାୟକଙ୍କ ଇସ୍ତଫା ଦାବି
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାର ସତ୍ୟତା ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ କରାଯାଉ। ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ବର ସାଂସଦ ଓ ବାଲେଶ୍ବର ବିଧାୟକ ଇସ୍ତଫା ଦିଅନ୍ତୁ। ବାଲେଶ୍ବର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ସବୁ ଦାବିରେ ଏବଂ ସୌମ୍ୟାଶ୍ରୀଙ୍କ ସ୍ମୃତିରେ ୧୭ ତାରିଖରେ ଓଡ଼ିଶା ବନ୍ଦକୁ ଜନସାଧାରଣ ସମର୍ଥନ ଦେଇ ସଫଳ କରିବାକୁ ବିରୋଧୀ ଦଳଗୁଡ଼ିକ ନିବେଦନ କରିଛନ୍ତି। ବିଜେପିର କୁଶାସନ ବିରୋଧରେ ରାଜ୍ୟର ସମସ୍ତ ସମଭାବାପନ୍ନ ଦଳ ଓ ସଂଗଠନମାନେ ଏକାଠି ହେବାକୁ ଆହ୍ବାନ ଦିଆଯାଇଛି। ଏଥିସହ ତିନି ଦିନ ଧରି ସମଗ୍ର ରାଜ୍ୟରେ ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପିସିସି ରାଜ୍ୟ ସଭାପତି ଭକ୍ତଚରଣ ଦାସ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍, ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍ଏଲ)ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍‌ସିପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସ୍‌ପିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ ଓ ଆର୍‌ଜେଡିର ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଅରବିନ୍ଦ ଦାସ, ଜୟନ୍ତ ଦାସ, ଶିଶିର ହୁଇ, ଯମେଶ୍ୱର ସାମନ୍ତରା, ବଦ୍ରିନାରାୟଣ ଦାଶ, ମହେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।