ଭୁବନେଶ୍ବର: ପୂର୍ବାହ୍ନରେ ସରକାର ଦାବି କରିଥିଲେ ଯେ କରୋନାକୁ ରୋକିବା ଲାଗି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ହାସଲ ହୋଇଛି। ହେଲେ ଏପ୍ରିଲ ମାସର ପ୍ରଥମ ତିନି ଦିନ ସବୁ ଚିତ୍ର ବିଗାଡ଼ି ଦେବା ଭଳି ମନେ ହେଲାଣି। ପ୍ରଥମେ ଭଦ୍ରକ, ପରେ ଭୁବନେଶ୍ବର ସୂର୍ଯ୍ୟନଗର ପଜିଟିଭ୍ ଘଟଣା ଲୋକଙ୍କୁ ଛାନିଆ କରିଦେଇଥିଲା। ଶେଷରେ ଆଜି ଗୋଟିଏ ଦିନରେ ଓଡ଼ିଶାରେ ୧୫ ଜଣଙ୍କ ନିକଟରେ କରୋନା ଭୂତାଣୁ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକଙ୍କ ଠାରେ ପଜିଟିଭ୍ ଖବର ଜଣାପଡ଼ିଯିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହେଲାଣି। ଏଥିସହିତ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୦ ରେ ପହଞ୍ଚିଛି। ଆଶ୍ବାସନାର କଥା ହେଉଛି, ପ୍ରଥମ ଓ ଦ୍ବିତୀୟ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଗୋଟିଏ ଦିନରେ ଯେଉଁ ୧୫ ଜଣଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି, ସେ ମଧ୍ୟରୁ ପଞ୍ଚମ ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଓ ଭଡ଼ାଟିଆଙ୍କ ସମେତ ତାଙ୍କ ସଂପର୍ଶରେ ଆସିଥିବା ମୋଟ ୭ଜଣ ଅଛନ୍ତି। ଜଣେ କଟକର ଓ ଅନ୍ୟ ତିନି ଜଣ ଭୁବନେଶ୍ବର ବମିଖାଲ ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁଇଜଣ ସଂକ୍ରମିତ ବ୍ୟକ୍ତି ଭଦ୍ରକର ହୋଇଥିବା ବେଳେ ପୁରୀ ଓ ଯାଜପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ନମୁନା ପଜିଟିଭ୍ ଜଣାପଡ଼ିଛି। ଭୁବନେଶ୍ବରର ତିନି ଜଣ ବ୍ୟକ୍ତି ସଂପର୍କରେ ଭାଇ ବୋଲି ଜଣାଯାଇଛି। ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା, କଟକରେ ଚିହ୍ନଟ ହୋଇଥିବା ଷଷ୍ଠ ଆକ୍ରାନ୍ତ ନିକଟରେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଭୁବନେଶ୍ବରର ଅନ୍ୟ ତିନି ସଂକ୍ରମିତ ବ୍ୟକ୍ତି ମଧ୍ୟ କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଫେରିଥିବା ବିଭାଗ କହିଛି। ହେଲେ ଏମାନେ ନିଜାମୁଦ୍ଦିନ୍ ସ୍ଥିତ ଧାର୍ମିକସଭାରେ ଯୋଗଦେଇଥିଲେ ନା ନାହିଁ, ତାହା ଏଯାଏ ସ୍ପଷ୍ଟ କରାଯାଇନାହିଁ। ସେହପରି ପୁରୀ, ଯାଜପୁର ଓ ଭଦ୍ରକର ଅନ୍ୟ ଦୁଇ ଜଣଙ୍କ ଭ୍ରମଣ ଇତିହାସ ସଂପର୍କରେ କିଛି ବି ଖବର ଦେଇନାହିଁ ସ୍ବାସ୍ଥ୍ୟ ବିଭାଗ।
ଭୁବନେଶ୍ବର ବମିଖାଲ ଅଞ୍ଚଳରେ ୩ ପଜିଟିଭ୍ ଚିହ୍ନଟ,
ତିନି ସଂକ୍ରମିତଙ୍କୁ କଟକ କୋଭିଡ୍ ହସ୍ପିଟାଲକୁ ପଠାଗଲା
କଟକ, ପୁରୀ ଓ ଯାଜପୁରର ଜଣେ ଲେଖାଏଁ ସଂକ୍ରମିତ
ଭଦ୍ରକର ଆଉ ଦୁଇ ଜଣଙ୍କ ନମୁନାରେ କରୋନା ଭୂତାଣୁ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦, ଦୁଇ ସୁସ୍ଥ ହୋଇ ଫେରିଛନ୍ତି
ଅନ୍ୟପକ୍ଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ସତ୍ୟରେ ପରିଣତ ହୋଇଛି। ସୂର୍ଯ୍ୟନଗରର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୭ଜଣଙ୍କ ନମୁନା ପଜିଟିଭ୍ ଥିବା ପରିପ୍ରେକ୍ଷୀରେ ଘଟଣାଟି ଅତି ସାଂଘାତିକ ମୋଡ଼ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗତକାଲି ପ୍ରଶାସନ ସୂର୍ଯ୍ୟନଗର ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରିଦେଇଥିଲା। ଅନ୍ୟପଟରେ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ବିଏମସି କମିସନର ଆଜି ବମିଖାଲ ଘଟଣାରେ ଆଉ ପାଦେ ଆଗକୁ ଯାଇ କଠୋର ନିଷ୍ପତ୍ତି ନେଇଛନ୍ତି। ଯଦିଓ ରାତି ୮ଟା ପରଠାରୁ ଭୁବନେଶ୍ବର ପୂର୍ଣ୍ଣ ବନ୍ଦ ବା ସଟ୍ଡାଉନ୍ ରହିଛି, ତଥାପି ବିଏମସି କମିସନର ବମିଖାଲ ଓ ତା ସଂଲଗ୍ନ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି। ପଞ୍ଚମ ବ୍ୟକ୍ତି କିଭଳି ସଂକ୍ରମିତ ହେଲେ, ସେ ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ଆଜିର ଏହି ତିନିଟି ଘଟଣା ଅନେକ ସନ୍ଦେହ ବଢ଼ାଉଛି। ସରକାର ଏଯାଏ ଏହା ଉପରେ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି। ଗତକାଲି ଆକ୍ରାନ୍ତମାନେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କର ନମୁନା ପ୍ରଦାନ କରିଥିଲେ। ଆଜି ରିପୋର୍ଟ ପଜିଟିଭ୍ ଆସିଛି। ଏମାନଙ୍କୁ କଟକସ୍ଥିତ ଅଶ୍ବିନୀ େକାଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳୁଛି।
ଏଠାରେ ଉଲ୍ଲେଖଯୋଗ୍ୟ, ମୋଟ ୨୦ ପଜିଟିଭରୁ ୧୪ଟି ମାମଲା ଭୁବନେଶ୍ୱରର ଥିବା ବେଳେ ଅନ୍ୟ ୬ଟିି ଭୁବନେଶ୍ୱର ବାହାରେ ଜଣାପଡ଼ିଛି । ତିନିଟି ଭଦ୍ରକ , େଗାଟିଏ ଲେଖାଏଁ ନମୁନା କଟକ, ପୁରୀ ଓ ଯାଜପୁରରେ ପଜିଟିଭ୍ ଚିହ୍ନଟ ହୋଇଛି । ତେବେ ସଂକ୍ରମଣ ଚେନ୍କୁ ଭାଙ୍ଗିବାକୁ ଆଜି ଭୁବନେଶ୍ୱର, କଟକ, ଭଦ୍ରକକୁ ସଟ୍ଡାଉନ୍ କରାଯାଇଛି । ୪୮ ଘଣ୍ଟା ଯାଏ ସଟ୍ଡାଉନ୍ ରହିବ ଏହି ତିନି ସହର। ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏ ସଟ୍ଡାଉନ୍ କରିବାକୁ ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Untitled-1-copy.jpg)