ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ୍‌ ଉଦ୍‌ଘାଟିତ : ଓଡ଼ିଶାର ଅପାର ସମ୍ଭାବନା ସହ ମାନବ ସମ୍ବଳକୁ ଯୋଡ଼ାଯାଉ

ଜଟଣୀ/ଭୁବନେଶ୍ୱର : ଜଟଣୀସ୍ଥିତ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ୍‌ ଆଜିଠାରୁ ଆରମ୍ଭ ହୋଇଛି। ଏହାକୁ ଉଦ୍‌ଘାଟନ କରି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡ଼ିଶାର ଅପାର ସମ୍ଭାବନା ସହ ମାନବ ସମ୍ବଳକୁ ଠିକ୍‌ ଭାବେ ଯୋଡ଼ିଲେ ରାଜ୍ୟ ପ୍ରଗତିର ଶୀର୍ଷକୁ ଯାଇପାରିବ। ଓଡ଼ିଶାରେ ଏମିତି କୌଣସି ଅଞ୍ଚଳ ନାହିଁ, ଯେଉଁଠାରେ ହସ୍ତତନ୍ତ, ହସ୍ତକଳା ଓ ମନ୍ଦିର ନାହିଁ। ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଯାଇ ଜନତାଙ୍କୁ ଏଥି ସହ ଯୋଡ଼ି ଆର୍ଥିକ ବିକାଶକୁ ତ୍ୱରାନ୍ଵିତ କରାଯାଇପାରିବ।

ଶ୍ରୀ ପ୍ରଧାନ କହିଥିଲେ, ୨୭/୨୮ ପ୍ରତିଶତ ଆଦିବାସୀ ରହୁଥିବା ଓଡ଼ିଶା ପରି ରାଜ୍ୟରେ ଜଙ୍ଗଲଜାତ ଦ୍ରବ୍ୟ ଜୀବନ ଜୀବିକାର ଏକ ପ୍ରମୁଖ ଆଧାର। କେନ୍ଦୁ ପତ୍ର ଧରି ବଜାରକୁ ବିକ୍ରି ବ୍ୟବସ୍ଥା ସହିତ ଆଉ ୪/୫ଟି ଜଙ୍ଗଲଜାତ ଦ୍ରବ୍ୟକୁ ଯୋଡ଼ି ଦେଲେ ଜଣେ ଆଦିବାସୀର ରୋଜଗାର କିପରି ୨୦୦ରୁ ୬୦୦ ଟଙ୍କାକୁ ବଢ଼ାଯାଇପାରିବ, ସେ ଦିଗରେ ଚିନ୍ତା କରିବାର ସମୟ ଆସିଛି। ବିଶେଷଜ୍ଞମାନେ ଏ ଦିଗରେ ବାଟ ବାହାର କରିବା ଆବଶ୍ୟକ। ରାଜସ୍ଥାନର ଭରତପୁରର କିଛି ବର୍ଗ କିମି ଜାଗା ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ମାତ୍ର ଚିଲିକା ପରି ବିଶ୍ୱ ମାନର ପର୍ଯ୍ୟଟନ ସ୍ଥଳରେ ସବୁ ଥାଇ ମଧ୍ୟ ଏହା ସ୍ଥାନୀୟ ଅଞ୍ଚଳର ଭାଗ୍ୟ ପରିବର୍ତ୍ତନରେ ସେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରି ନାହିଁ। ଏହି ସମ୍ଭାବନାକୁ ସୁଯୋଗରେ ପରିବର୍ତ୍ତନ ସ୍ଥାନୀୟ ଅଞ୍ଚଳର ଆର୍ଥିକ ମାନଚିତ୍ର ପରିବର୍ତ୍ତନ କରିପାରିବ। ବଦଳୁଥିବା ବିଶ୍ୱ ଅର୍ଥନୀତିରେ ଅନେକ ପ୍ରଚଳିତ ରୋଜଗାର ପନ୍ଥା ଆଗାମୀ ୨୫ ବର୍ଷରେ ବନ୍ଦ ହେବ ଓ ଆହୁରି ଅନେକ ନୂଆ ସମ୍ଭାବନା ସୃଷ୍ଟି ହେବ। ଏହି ସୁଯୋଗକୁ ଓଡ଼ିଶା କିପରି ହାତଛଡ଼ା କରିବ ନାହିଁ, ଏହା ଉପରେ ବିଚାରବିମର୍ଶର ଆବଶ୍ୟକତା ରହିଛି।

ଉଦ୍‌ଘାଟନୀ ଉତ୍ସବରେ ଦକ୍ଷତା ବିକାଶ ମନ୍ତ୍ରଣାଳୟର ସଚିବ କେ ପି କ୍ରିଷ୍ଣନ୍‌, ନାସ୍‌କମ୍‌ ଅଧ୍ୟକ୍ଷ ବିଭିଆର୍‌ ମୋହନ ରେଡ୍ଡି, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଓ ଏମ୍‌ ଏସ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ। ଏଥିରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କର୍ପୋରେଟ୍‌ ହାଉସ୍‌ର ପ୍ରତିନିଧି ଏବଂ ଦକ୍ଷତା ବିକାଶର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର