ଭୁବନେଶ୍ୱର :ପୁଞ୍ଜିନିବେଶ ହାତେଇବାରେ ଓଡ଼ିଶା ଦୁର୍ବଳ ହେବାରେ ଲାଗିଛି। ଦେଶର ୨୧ଟି ରାଜ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ଓଡ଼ିଶା ୧୭ତମ ସ୍ଥାନରେ ଥିବା ଜଣାପଡ଼ିଛି। ଏକଦା ନିବେଶକଙ୍କ ସବୁଠୁ ପସନ୍ଦର ରାଜ୍ୟ କୁହାଯାଇଥିବା ଓଡ଼ିଶାର ନିବେଶ ହାସଲ କ୍ଷମତା ସଙ୍କୁଚିତ ହେବାରେ ଲାଗିଛି। ୨୦୧୭ ର୍ୟାଙ୍କ୍ ତୁଳନାରେ ଓଡ଼ିଶା ୬ ପାହାଚ ତଳକୁ ଖସି ଆସିଛି।
ଶ୍ରମ, ଭିତ୍ତିଭୂମି ଓ ଜମି ମାମଲାରେ ଓଡ଼ିଶାର ପ୍ରଦର୍ଶନରେ ଅବନତି ହୋଇଛି। କେବଳ ଅର୍ଥନୈତିକ ପାଣିପାଗ ବର୍ଗରେ ଓଡ଼ିଶାର ର୍ୟାଙ୍କ୍ ଚାରି ପାହାଚ ଉପରୁ ଉଠିଛି। ଗତବର୍ଷ ତୁଳନାରେ ଓଡ଼ିଶା ଶ୍ରମ ବର୍ଗରେ ୪ ପାହାଚ, ଭିତ୍ତଭୂମିରେ ୫ ପାହାଚ ଓ ଜମି ବର୍ଗରେ ୭ ପାହାଚ ତଳକୁ ଖସିଛି।
ଆଜି ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଆପ୍ଲାଏଡ୍ ଇକୋନମିକ୍ ଆଣ୍ଡ୍ ରିସର୍ଚ (ଏନ୍ସିଏଇଆର୍) ପକ୍ଷରୁ ‘ରାଜ୍ୟ ନିବେଶ ସମ୍ଭାବନା ସୂଚୀ’ ଜାରି କରାଯାଇଛି। ଏହି ରିପୋର୍ଟରେ ପ୍ରଦାନ କରାଯାଇଥିବା ତାଲିକାରେ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ଥିବା ବେଳେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି। ଗତବର୍ଷ ଏକ ନମ୍ବର ସ୍ଥାନରେ ଥିବା ଗୁଜୁରାଟ ତିନି ନମ୍ବର ସ୍ଥାନକୁ ଖସିଯାଇଛି। ବିହାର ସବୁଠୁ ଶେଷ ସ୍ଥାନରେ ରହିଛି।
ଗତବର୍ଷର ର୍ୟାଙ୍କ ତୁଳନାରେ ପଶ୍ଚିମବଙ୍ଗ, ତାମିଲନାଡୁ, ପଞ୍ଜାବ ଓ ମହାରାଷ୍ଟ୍ରର ର୍ୟାଙ୍କରେ ଉନ୍ନତି ହୋଇଛି। ସେହି ସମୟରେ ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ର୍ୟାଙ୍କ୍ରେ ଅବନତି ହୋଇଛି।