ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା : ଏଓ ସିରିଜର ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସ୍ବଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟର ମିଳିତ ଆନୁକୁଲ୍ୟରେ ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏଓ ସିରିଜର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ସଚିବାଳୟରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ଯୋଜନାର ପ୍ରଥମ,ଦ୍ବିତୀୟ,ତୃତୀୟ ଓ ଚତୁର୍ଥ ପୁରସ୍କାର ପାଇଥିବା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଅର୍ଥମନ୍ତ୍ରୀ।

ସମ୍ବଲପୁରର ଭରତ କୁମାର ସାହୁ ପ୍ରଥମ ପୁରସ୍କାର ପାଇଥିବା ବେଳେ ଭୁବନେଶ୍ବରର ସତ୍ୟନାରାୟଣ ପାଠକ ଦ୍ବିତୀୟ,଼ଜଟଣୀର ଆର.କେ ପାଢ଼ୀ ତୃତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଚତୁର୍ଥ ପୁରସ୍କାର ଯଥାକ୍ରମେ କନ୍ଧମାଳର ରାଜୁ କାମ୍ପା ଏବଂ ଯାଜପୁର ଜିଲ୍ଲାର ସୋବରା ନିବାସୀ ଦିଲ୍ଲୀପ ପଣ୍ଡା ଗ୍ରହଣ କରିଥିଲେ। ଏହି ଯୋଜନାରେ ପ୍ରଥମ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ୩ ଲକ୍ଷ,ତୃତୀୟ ପୁରସ୍କାର ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଚତୁର୍ଥ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଆୟକର ନିୟମାନୁଯାୟୀ ପୁରସ୍କାର ରାଶିର ୩୦ ପ୍ରତିଶତ ଅର୍ଥ ଆୟକର ବାବଦକୁ କାଟି ବଳକା ରାଶି ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଆହ୍ବାନ ଦେଇ କହିଛନ୍ତି, ସ୍ବଳ୍ପ ସଞ୍ଚୟ ଆନ୍ଦୋଳନରେ ସମାଜର ପ୍ରତ୍ୟେକ ବର୍ଗ ନିଜକୁ ସାମିଲ କରି ଏକ ସୁରକ୍ଷିତ ଏବଂ ସରଳ ଉପାୟରେ ବ୍ୟକ୍ତିଗତ ଆର୍ଥିକ ପରିଚାଳନା ଦ୍ବାରା ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବେ। ପୁରସ୍କାର ବିତରଣ ଉତ୍ସବରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ସ୍ବତନ୍ତ୍ର ଶାସନ ସଚିବ ପୂର୍ଣ୍ଣ ଚନ୍ଦ୍ର ମାଝୀ, ପ୍ରଦୀପ କୁମାର ବିଶ୍ବାଳ, ଚଣ୍ଡିକା ପ୍ରସାଦ ମହାନ୍ତି, ଅତିରିକ୍ତ ଶାସନ ସଚିବ ଓ ସ୍ବଳ୍ପ ସଞ୍ଚୟ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର