‘ମୋତେ ସମ୍ମୋହିତ କରୁଥିଲା ଓଡ଼ିଶା ମାଟି’: ପ୍ରଣବ ମୁଖାର୍ଜୀ

ନବୀନ ନିବାସରେ ଖାଇଥିଲେ ପଖାଳ

ଭୁବନେଶ୍ୱର : ଓଡ଼ିଶା ମାଟି ସହ ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଥିଲା ଅନ୍ତରଙ୍ଗ ସମ୍ପର୍କ। ଏକଦା ଓଡ଼ିଶା ସମ୍ପର୍କରେ ନିଜ ଆବେଗ ଓ ଅନୁଭବ ରଖିବା ବେଳେ ସେ ଭାବବିହ୍ବଳ ହୋଇ କହିଥିଲେ, ଓଡ଼ିଶାର ପବନରେ ଇତିହାସ, ସଂସ୍କୃତି ଓ ଉଦାର ମାନବିକତା ଅଛି। ଯେତେଥର ମୁଁ ଓଡ଼ିଶା ଆସିଛି, ଏ ମାଟି ମତେ ସମ୍ମୋହିତ କରିଛି। ଏ ମାଟିକୁ ମୁଁ ସାଲ୍ୟୁଟ୍‌ ଜଣାଉଛି। ସେ ପୁଣି ଏକଥା ବି କହିଥିଲେ, ଯୁଦ୍ଧ ଭୂମି ତ ପୃଥିବୀରେ ଅନେକ ଅଛି; କିନ୍ତୁ ଭୁବନେଶ୍ବରରେ ଦୟା ନଦୀ କୂଳରେ କଳିଙ୍ଗ ଯୁଦ୍ଧ ଲଢ଼ା ଯାଇଥିବା ଭୂମିର ତୁଳନା ନାହିଁ। ଏ ଯୁଦ୍ଧ କ୍ଷେତ୍ର ଅନନ୍ୟ। ହୃଦୟ ପରିବର୍ତନ କରିଦେବା ଭଳି ଅଦ୍ଭୁତ ଶକ୍ତି ଓ କ୍ଷମତା ବିଶ୍ବର କୌଣସି ଯୁଦ୍ଧ କ୍ଷେତ୍ରର ନାହିଁ। ଯାହା ଏଠି ଭରି ରହିଛି। ଏ ମାଟି ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତନ କରିପାରିଛି। ହିଂସାର ମାର୍ଗ ଏଠି ଅହିଂସାର ରୂପ ନେଇଛି। ସେଥିପାଇଁ ଏ ମାଟି ମୋତେ ମୋହିତ କରି ଆସିଛି ବୋଲି ସେ କହିଥିଲେ। ୨୦୧୪ ମସିହା ନଭେମ୍ବର ୩୦ ତାରିଖରେ ରମାଦେବୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ମୁଖାର୍ଜୀଙ୍କ ଏହି ଆବେଗପୂର୍ଣ୍ଣ ଭାଷଣ ଚର୍ଚ୍ଚାର ବିଷୟ ହୋଇଥିଲା। ଓଡ଼ିଶାର ବରପୁତ୍ରମାନଙ୍କ ପ୍ରଶଂସା କରି କହିଲେ, ମହିୟସୀ ଗାନ୍ଧୀ ଅନୁଗାମିନୀ ରମାଦେବୀ ନିଜ ସମୟଠାରୁ ଢେର ଆଗରେ ଥିଲେ। ରମାଦେବୀ ପ୍ରକୃତ ନାରୀ ସଶକ୍ତୀକରଣ ତଥା ଉତ୍‌ଥାନ ପାଇଁ ଶିକ୍ଷା, ମୁକ୍ତି ଓ ଶକ୍ତି ଉପରେ ଗୁରୁତ୍ବ ଦେଇଥିଲେ।

ନବୀନ ନିବାସରେ ଖାଇଥିଲେ ପଖାଳ
୨୦୧୮ ଜାନୁଆରି ୨୭ରେ ପୂର୍ବତନ ରାଷ୍ଟ୍ରପତି ଭାବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଫଟୋ ଚିତ୍ର ସମ୍ବଳିତ କଫି ଟେବୁଲ ବହି ‘ଦ ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ର ସ୍ବର୍ଗତଃ ମୁଖାର୍ଜୀ ଭୁବନେଶ୍ବରରେ ଶୁଭ ଉନ୍ମୋଚନ କରିବାକୁ ଭୁବନେଶ୍ବର ଆସିଥିଲେ। ଏହି ବହିର ଉନ୍ମୋଚନ କରିବା ଅବସରରେ ବିଜୁ ବାବୁଙ୍କ ସହ ସେ ବିତାଇଥିବା ମୁହୂର୍ତ୍ତ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, ବିଜୁ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ। ତାଙ୍କ ପରିଚୟ କୌଣସି ଭୌଗଳିକ ସୀମା ଭିତରେ ସୀମିତ ରହିନାହିଁ। ଦେଶର ତତ୍କାଳୀନ ଯୋଜନା କମିସନର ଉପାଧ୍ୟକ୍ଷ ଥିବାବେଳେ ସବୁ ରାଜ୍ୟର ସମତୁଲ ବିକାଶ ପାଇଁ ଗାଡ଼୍‌ଗିଲ ଫର୍ମୁଲାରେ ଆବଶ୍ୟକ ପରିବର୍ତ୍ତନ ଆଣିବା ସପକ୍ଷରେ ବିଜୁବାବୁ କିପରି ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ସେ ସମ୍ପର୍କରେ ସ୍ବର୍ଗତଃ ମୁଖାର୍ଜୀ ବଖାଣିଥିଲେ। ସେ ଓ ତାଙ୍କ ପରିବାରକୁ ବିଜୁବାବୁ କିପରି ଭଲ ପାଉଥିଲେ ସେ ସମ୍ପର୍କରେ ବି ସ୍ବର୍ଗତଃ ମୁଖାର୍ଜୀ କହିଥିଲେ। ଏହି ଅବସରର‌େ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡ଼ା, ବିଜେପି ନେତା ଏଲ୍‌.କେ.ଆଡଭାନି, ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କ ଭଳି ଅନ୍ୟ ଅତିଥିଙ୍କ ସହ ସ୍ବର୍ଗତ ମୁଖାର୍ଜୀ ନବୀନ ନିବାସରେ ପଖାଳ, ଶାଗ-ବଡ଼ି, ପିଆଜ ପିଠା, ସଜନା ଛୁଇଁ ଭଜା ଓ ଛେନାପୋଡ଼ ଭଳି ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଖାଇଥିଲେ।

ସମ୍ବନ୍ଧିତ ଖବର

Comments are closed.