‘ଗଗନଯାନ’ ଟିମ୍‌ରେ ଓଡ଼ିଆ ପୁଅ, ଅସୀମ ଆକାଶ ବିଜୟ ଲକ୍ଷ୍ୟରେ ନିଖିଳ ରଥ

ବଲାଙ୍ଗୀର : ଦେଶର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିସନ ‘ଗଗନଯାନ’ ପାଇଁ ମନୋନୀତ ହୋଇଛନ୍ତି ବଲାଙ୍ଗୀରର ସୁପୁତ୍ର ୱିଙ୍ଗ୍‌ କମାଣ୍ଡର ନିଖିଲ ରଥ। ‘ଗଗନଯାନ’ ଯାତ୍ରା କରିବାକୁ ସେ ପୂରା ପ୍ରସ୍ତୁତି ଚଳାଇଛନ୍ତି। ସଂକ୍ଷିପ୍ତ ତାଲିକାରେ ବି ତାଙ୍କ ନାଁ ଆସିଛି। ଏହି ଖବର ଜଣାପଡ଼ିବା ପରେ ବଲାଙ୍ଗୀର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ପରିବାର ବର୍ଗଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ନିଖିଳ ହେଉଛନ୍ତି ବଲାଙ୍ଗୀର ସୁଦପଡ଼ା ନିବାସୀ ଆଇନଜୀବୀ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିସନ ସଦସ୍ୟା କୁସୁମ ରଥଙ୍କ ଏକମାତ୍ର ପୁଅ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନଯାନ୍‌ ଅଭିଯାନ ପାଇଁ ସବୁଜ ସଙ୍କେତ ଦେବା ପରେ ପୂରା ଦମ୍‌ରେ ଲାଗିପଡ଼ିଛି ଇସ୍ରୋ। ଚନ୍ଦ୍ରୟାନ-୨ ଅଭିଯାନରୁ ୯୫ ପ୍ରତିଶତ ସଫଳତା ମିଳିଥିବା କହିଥିଲା ଇସ୍ରୋ। ସେ ଯାହା ବି ହେଉ, ଏବେ ସମସ୍ତଙ୍କ ନଜର ୨୦୨୨ରେ ହେବାକୁ ଥିବା ଗଗନଯାନ ଯାତ୍ରା ଉପରେ। ଏହି ମହାକାଶ ଅଭିଯାନ ପାଇଁ ଗତ ୨୦୧୯ ସେପ୍ଟେମ୍ବର ମାସରେ ୧୨ ଜଣ ଦକ୍ଷ ବାୟୁସେନାର ଯବାନଙ୍କୁ ଚୟନ କରାଯାଇ ତାଲିକା ପ୍ରକାଶ ପାଇଥିଲା। ବିଭିନ୍ନ ପରୀକ୍ଷାନିରୀକ୍ଷା ଓ ଯାଞ୍ଚ ପରେ ୧୨ ଜଣ ଯବାନଙ୍କ ନାଁ ବାୟୁସେନା ପକ୍ଷରୁ ପ୍ରଦାନ କରାଯାଇଥିଲା। ସେହି ୧୨ ଜଣଙ୍କ ମଧ୍ୟରେ ରହିଥିଲେ ନିଖିଳ ରଥ। ସେ ରୁଷରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ତାଲିମ ସଫଳତାର ସହ ଶେଷ କରିଛନ୍ତି। ସଂକ୍ଷିପ୍ତ ତାଲିକା ୪ ଜଣଙ୍କ ଭିତରେ ସେ ରହିବା ସହ ରୁଷ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ନେଉଛନ୍ତି।

ଶ୍ରୀ ରଥ ଛାତ୍ରାବସ୍ଥାରୁ ମେଧାବୀ। କିନ୍ତୁ, ମନ ଭିତରେ ଭରପୂର ଜାତୀୟତାବାଦ। ଦେଶମାତୃକାର ସେବା କରିବା ପାଇଁ ଭାରତୀୟ ବାୟୁସେନାରେ ପାଇଲଟ୍‌ ଭାବରେ ଯୋଗ ଦେଇଥିଲେ। ସଫଳତାର ସ୍ୱପ୍ନରେ ବିଭୋର ନିଖିଳ ସବୁବେଳେ ଆହୁରି ଅଧିକ କିଛି କରିବାକୁ ଜାରି ରଖିଥିଲେ ପ୍ରୟାସ। ଆଉ ଏବେ ଧୀରେ ଧୀରେ ଫଳବତୀ ହେଉଛି ନିଖିଳଙ୍କ ପ୍ରୟାସ। ମିସନ ପାଇଁ ମନୋନୀତ ସଂକ୍ଷିପ୍ତ ତାଲିକା ଚାରିଜଣିଆ ଟିମରେ ୱିଙ୍ଗସ କମାଣ୍ଡର ନିଖିଳ ରହିବା ସହ ଆଗକୁ ଆଉ ବର୍ଷେ କାଳ ରୁଷିଆରେ କଷ୍ଟସାଧ୍ୟ ତାଲିମ ଗ୍ରହଣ କରିବେ।

ଏହି ମିସନ ପାଇଁ ୪ ଜଣିଆ ତାଲିକାରେ ସ୍ଥାନ ପାଇବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ୱିଟ୍ କରି ନିଖିଳଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ନିଖିଳଙ୍କ ପୂରା ପରିବାର ଦେଶ ପାଇଁ ଉତ୍ସର୍ଗୀକୃତ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଖିଳଙ୍କ ଜେଜେବାପା ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ଚିନ୍ତାମଣି ରଥ। ନିଖିଳଙ୍କ ବଡ଼ବାପା ସ୍ୱର୍ଗତ ଶୈଳେନ୍ଦ୍ର ରଥ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଥିଲେ। ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିଲେ। ତେଣୁ ଛୋଟ ବେଳୁ ଦେଶସେବା କରିବାର ଲକ୍ଷ୍ୟ ରଖିଥିବା ନିଖିଳ ଗତ ୨୦୦୪ ମସିହାରେ ବାୟୁସେନାରେ ସାମିଲ ହୋଇଥିଲେ। ପଞ୍ଜାବର ଚଣ୍ଡିଗଡ଼ ଏୟାରବେସରେ ୱିଙ୍ଗ କମାଣ୍ଡର ଭାବେ କାର୍ଯ୍ୟରତ ଥିବା ସମୟରେ ଗଗନଯାନ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ୧୨ ଜଣିଆ ଟିମ୍‌ରେ ସାମିଲ ହୋଇଥିଲେ।

ପ୍ରକାଶଥାଉକି, ଏୟାରଫୋର୍ସର ଅନେକ କଠିନ ମିସନ୍‌ରେ ନିଖିଳ ସାମିଲ ଥିଲେ। ବାୟୁସେନାର ବହୁ ମିସନ ସଫଳତାର ସହ ସଂପାଦନ କରି ଅନେକଥର ପୁରସ୍କୃତ ବି ହୋଇଥିଲେ। ଛାତ୍ର ସମୟରୁ ହିଁ ସେ ବହୁ ପ୍ରତିଭାର ଅଧିକାରୀ ହୋଇପାରିଥିଲେ। ତାଙ୍କ ପ୍ରଥମ ପ୍ରଚେଷ୍ଟାରେ ହିଁ ସେ ନେସନାଲ ଡିଫେନ୍ସ ଏକାଡେମି (ଏନ୍‌ଡିଏ) ପରୀକ୍ଷାରେ କ୍ୟାଡେଟ୍‌ ଭାବରେ ପାସ୍‌ ହୋଇଥିଲେ। ଏହାପରେ ସେ ୨୦୦୩ ମସିହାରେ ବାୟୁସେନାରେ ଯୋଗଦେଇଥିଲେ। ତା’ପରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ସେ ଚଢ଼ି ଚାଲିଛନ୍ତି।

ସମ୍ବନ୍ଧିତ ଖବର