ବିଧାନସଭାରେ ବିଶୃଙ୍ଖଳାକୁ ଆକଟ ପାଇଁ ଗଣମାଧ୍ୟମ ଉପରେ କଟକଣା

ବାଚସ୍ପତିଙ୍କ ରୁଲିଂ ନେଇ ବିଜେପି, କଂଗ୍ରେସ କ୍ଷୁବ୍ଧ, ଅଗଣତାନ୍ତ୍ରିକ; ଗଣମାଧ୍ୟମର କଣ୍ଠରୋଧ ପାଇଁ ଉଦ୍ୟମ

ଭୁବନେଶ୍ବର : ବିଧାନସଭା ଇତିହାସରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗୃହରେ ଶୃଙ୍ଖଳା ଆଣିବାକୁ ଯାଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମ ଜରିଆରେ ଛାଟ ମାରିଛନ୍ତି। ସଭ୍ୟଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ଗଣମାଧ୍ୟମ ରିପୋର୍ଟିଂ ପ୍ରକ୍ରିୟା ଉପରେ ନିଷେଧାଦେଶ ଜାରି କରାଯାଇଛି। ଏକ କଠୋର ନିଷ୍ପତ୍ତି ଶୁଣାଇ ବାଚସ୍ପତି ରୁଲିଂ ଦେଇଛନ୍ତି ଯେ ଏଣିକି ଗୃହ ମଧ୍ୟଭାଗକୁ କୌଣସି ସଭ୍ୟ ଆସି ହଟ୍ଟଗୋଳ କଲେ ସେ ସଂପର୍କରେ ଗଣମାଧ୍ୟମ ନା ଖବର ପ୍ରସାରଣ କରିପାରିବେ ନା ଲେଖିପାରିବ। ସେ ସଂକ୍ରାନ୍ତ ଫଟୋ ବି ଛାପିପାରିବେ ନାହିଁ। ସଂପୃକ୍ତ ସଦସ୍ୟଙ୍କ ନାମ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯିବା ଲାଗି ବାରଣ କରାଯାଇଛି। ପୂର୍ବରୁ ରାଜ୍ୟସଭାରେ ଏଭଳି ପଦକ୍ଷେପ ନିଆଯାଇଛି। ଏଣୁ ଏହା ମୋର ରୁଲିଂ ବୋଲି ବାଚସ୍ପତି ଦୃଢତାର ସହିତ ଗୃହରେ କହିଥିଲେ। ଆଜି ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଲ୍ଲା ମଲ୍ଲିକ ଆଲୋଚନା ଆରମ୍ଭ କରୁଥିବା ବେଳେ ବାଚସ୍ପତିଙ୍କ ଏଭଳି ରୁଲିଂ ଚର୍ଚ୍ଚାର ବିଷୟ ହୋଇଛି।

ବିଧାନସଭାରେ ବାହାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କିନ୍ତୁ ଗଣମାଧ୍ୟମ ସାମ୍ନାରେ ଅସନ୍ତୋଷ ଝାଡ଼ିଛନ୍ତି। କହିଛନ୍ତି ଯେ ବାଚସ୍ପତି ଆଜି ଗଣମାଧ୍ୟମର କଣ୍ଠରୋଧ କରିଛନ୍ତି। ବାଚସ୍ପତି ତାଙ୍କ ରୁଲିଂ ପ୍ରତ୍ୟାହାର ନ କରିବା ଯାଏ ଗୃହ ଚଳାଇ ଦେବୁନାହିଁ। ସେ ଏପରି ନକରି ଅଫିସରଙ୍କୁ ଉପସ୍ଥିତ ରହିବାକୁ କହିପାରିଥାନ୍ତେ। ଏ ପ୍ରସଙ୍ଗରେ ବିରୋଧୀ ଏକ ଥିବା ସେ କହିଥିଲେ।

ସେହିଭଳି ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତି ଓ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। କହିଛନ୍ତି, ବାଚସ୍ପତିଙ୍କ ରୁଲିଂ ଇଂରେଜ ସରକାର ସମୟରେ ମଧ୍ୟ େହାଇନଥିବ। ଗଣମାଧ୍ୟମ କଣ୍ଠରୋଧ କରିବା ସମ୍ବିଧାନ ବିରୋଧୀ ଓ ପରମ୍ପରା ବିରୋଧୀ, ଅଗଣତାନ୍ତ୍ରିକ। ମୋ ମତରେ ଏଭଳି ନିଷ୍ପତ୍ତି ନେବା ଉଚିତ ନଥିଲା। ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ସେ ନାପସନ୍ଦ କରୁଛନ୍ତି ଓ ଆଶା କରୁଛନ୍ତି ଯେ ବାଚସ୍ପତି ଏହାର ପୁନର୍ବିଚାର କରିବେ।

ଶ୍ରୀ ମିଶ୍ର କହିଥିଲେ, ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆେଲାଚନା ଆରମ୍ଭ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସେହି ସମୟରେ ଅଫିସର୍ସ ଗ୍ୟାଲେରିରେ ଅଫିସରମାନେ ରହିବା ନିହାତି ଆବଶ୍ୟକ। ହେଲେ କେହି ନଥିଲେ। ଯିଏ ଏହି ଆଲୋଚନାର ଉତ୍ତର ଦେବେ, ମୁଖ୍ୟମନ୍ତ୍ରୀ ମଧ୍ୟ ଗୃହରେ ଉପସ୍ଥିତ ନଥିଲେ। ଅର୍ଥାତ୍ ଏହି ଆଲୋଚନା ମୂଲ୍ୟହୀନ। ବିଧାନସଭାର ଚାରିକାନ୍ଥକୁ ଭାଷଣ ଦେବା ପାଇଁ ସଭ୍ୟମାନେ କହି ନଥାନ୍ତି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଥିଲେ।

ଶ୍ରୀ ମିଶ୍ର କହିଥିଲେ, ଏଇଥିପାଇଁ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶ୍ନ କରିଥିଲେ ଯେ ଅଫିସରମାନଙ୍କୁ ଅନୁପସ୍ଥିତ ରହିବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି କି? ବାଚସ୍ପତି ତତକ୍ଷଣାତ୍ ଉତ୍ତର ନ ଦେଇ ଅନ୍ୟ ବିଷୟକୁ ଯାଉଥିବା ଅନୁଭବ କରି କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ବିଜେପି ବି ସାମିଲ ହୋଇଥିଲା।

ଶ୍ରୀ ମିଶ୍ର ଦୁଃଖ ପ୍ରକାଶ କରି କହିଥିଲେ ଯେ ସମସ୍ତ ପରମ୍ପରା ଭଙ୍ଗ କରି ବାଚସ୍ପତି ସାମ୍ବାଦିକମାନଙ୍କୁ ନିର୍ଦେଶ ଦେଲେ ଯେ ବିେରାଧୀ ଦଳ ଗୃହ ମଧ୍ୟଭାଗରେ ପ୍ରତିବାଦକୁ ଗଣମାଧ୍ୟମ ଲୋକଙ୍କ ନିକଟରେ ପହଞ୍ଚାଇବ ନାହିଁ। ସେ ସଂପର୍କରେ ଖବର ପ୍ରସାରଣ କରିବ ନାହିଁ।

ଏହି ଅବସରରେ ସେ ଗତକାଲି ସର୍ବଦଳୀୟ ବୈଠକ ସଂପର୍କରେ ସୂଚନା ଦେଇଥିଲେ। କହିଥିଲେ, ଯେତେବେଳେ ବାଚସ୍ପତି ଗୁରୁବାର ଏ ପ୍ରସଙ୍ଗରେ ଆଲୋଚନା କଲେ, ସେତେବେଳେ କୁହାଯାଇଥିଲା ଯେ ବିରୋଧୀ ଦଳର ଅଧିକାର ସରକାରଙ୍କୁ ପ୍ରଶ୍ନ ପଚାରିବା। ଯଦି ସରକାର ତାର ଉତ୍ତର ଦେବେ ନାହିଁ, ବିରୋଧୀ ଦଳ ପ୍ରତିବାଦ କରିବାକୁ ବାଧ୍ୟ। ଅଭିଜ୍ଞତା କହୁଛି, ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦିଅନ୍ତିନି। ତାଙ୍କର ଲିଖିତ ଭାଷଣ ପଢ଼ନ୍ତି। କିନ୍ତୁ ବିଧି ବ୍ୟବସ୍ଥା ଅନୁସାରେ କେହି ଲିଖିତ ଭାଷଣ ପଢ଼ିପାରିବେ ନାହିଁ। ବିଶେଷ କାରଣ ଥିଲେ, ଲିଖିତ ଭାଷଣ ପଢ଼ିବା ପୂର୍ବରୁ ମନ୍ତ୍ରୀ କିମ୍ବା ସଦସ୍ୟମାନେ ବାଚସ୍ପତିଙ୍କ ଅନୁମତି ମାଗିବେ। ଅନୁମତି ମିଳିଲେ ପଢ଼ି ପାରିବେ।

ଶ୍ରୀ ମିଶ୍ର କହିଥିଲେ, ରାଜ୍ୟ ସରକାର ବିଧାନସଭା ବାହାରେ କହୁଛନ୍ତି ଯେ ସମସ୍ତ ଆଲୋଚନା ପାଇଁ ଆମେ ପ୍ରସ୍ତୁତ। ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଆମ ପାଖରେ ରହିଛି। କିନ୍ତୁ ତାହା ଗୃହ ଭିତରେ ପ୍ରତିଫଳିତ େହଉନାହିଁ। ସେହିପରି ଗୃହରେ ଅଚଳାବସ୍ଥା ହେଲେ, ବାଚସ୍ପତି ବିରୋଧୀ ଦଳଙ୍କୁ ଡାକି ଆଲୋଚନା କରିଥାନ୍ତି। କେମିତି ଗୃହ ସ୍ବାଭାବିକ ହେବ, ସେଥିପାଇଁ ବାଟ କାଢ଼ିଥାନ୍ତି। ହେଲେ ଏଠାରେ ଏକଛତ୍ରବାଦ ନୀତି ପାଳନ ହୋଇଛି। ମନଇଚ୍ଛା ଗୃହ ଚଳାଇବା ପାଇଁ ଉଦ୍ୟମକୁ ବିରୋଧୀ ଦଳ ବରଦାସ୍ତ କରିବ ନାହିଁ େବାଲି କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ।

ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତି କିନ୍ତୁ ଗଣମାଧ୍ୟମ ସାମ୍ନାରେ ଏ ନେଇ ମୁହଁ ଖୋଲି ନଥିଲେ। କହିଥିଲେ, ବାଚସ୍ପତିଙ୍କ ରୁଲିଂ ଉପରେ ସେ କୌଣସି ପ୍ରତିକ୍ରିୟା ଦେବେ ନାହିଁ।

ସମ୍ବନ୍ଧିତ ଖବର