ଓଡ଼ିଶା ସ୍ପଞ୍ଜ ଆଇରନ୍‌ ବିବାଦ ତୁଟିଲା, ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀ ସଂଘ ମଧ୍ୟରେ ଚୁକ୍ତି

କେନ୍ଦୁଝର : ଏସିଆ ମହାଦେଶର ସର୍ବବୃହତ୍ତ ସ୍ପଞ୍ଜ ଆଇରନ କାରଖାନା କୁହାଯାଉଥିବା ଓଡ଼ିଶା ସ୍ପଞ୍ଜ ଆଇରନ୍‌ ଲିମିଟେଡ ଏବଂ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ୮ ବର୍ଷ ଧର ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଯୁକ୍ତି, ପେନସନ, ବକେୟା, ପିଏଫ୍‌ ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ରହିଥିବା ବିବାଦ ସହମତି ଭିତ୍ତିରେ ତୁଟିଛି। ଏଥିପାଇଁ କମ୍ପାନି ପକ୍ଷରୁ ମ୍ୟାଜେନମେଣ୍ଟ ପ୍ରତିନିଧି ଏବଂ କର୍ମଚାରୀ ସଂଘର ପ୍ରତିନିଧିଙ୍କ ମଧ୍ୟରେ ଆଜି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

ଚୁକ୍ତିନାମା ଅନୁସାରେ, କର୍ମଚାରୀମାନଙ୍କ ପକ୍ଷରୁ ଗତ ୨୦୧୬ ମସିହା ଜୁନ୍‌ ୬ ତାରିଖ‌ରେ ରିଜିଓନାଲ ପ୍ରୋଭିଡେଣ୍ଟ ‌ଫଣ୍ଡ କମିଶନରଙ୍କ ପାଖରେ ଯେଉଁ ଅଭିଯୋଗ କରାଯାଇଥିଲା, ତାହା ଏହି ଚୁକ୍ତିନାମା ଆଧାରରେ ସମାଧାନ ହୋଇଛି ବୋଲି ଧରାଯିବ ବୋଲି ଉଲ୍ଲେଖ ରହିଛି। ସେହିପରି ୨୦୧୨ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ସମସ୍ତ କର୍ମଚାରୀଙ୍କୁ ସର୍ଭିସ ବେନିଫିଟ ପ୍ରଦାନ କରାଯିବାକୁ ଏହି ଚୁକ୍ତିନାମାରେ ଉଲ୍ଲେଖ ରହିଛି। ମ୍ୟାନେଜମେଣ୍ଟ ପକ୍ଷରୁ ପିଏଫ ଟ୍ରଷ୍ଟରେ କର୍ମଚାରୀଙ୍କ ପିଏଫ ବକେୟା ଦାଖଲ କରାଯିବ। ସେହିପରି ପେନସନ୍‌ ବକେୟା ରିଜିଓନାଲ ପ୍ରୋଭିଡେଣ୍ଟ ଫଣ୍ଡ କମିସନରଙ୍କ ପାଖରେ ଦାଖଲ କରାଯିବ। ଗ୍ରାଚୁଇଟି ପ୍ରାପ୍ୟ ଏଲଆଇସିରେ ଦାଖଲ କରାଯିବ କିମ୍ବା ଏହି ବାବଦ ଅର୍ଥ କର୍ମଚାରୀଙ୍କୁ ସିଧାସଳଖ ପ୍ରଦାନ କରାଯିବ ବୋଲି ଏହି ଚୁକ୍ତିନାମାରେ ଉଲ୍ଲେଖ ରହିଛି।

ଆଜି କମ୍ପାନିର ପ୍ରତିନିଧି ତଥା ନିର୍ଦ୍ଦେଶକ ମୁନିର ମହାନ୍ତି, ଏକଜ୍ୟୁକେଟିଭ ଭାଇସ ପ୍ରେସିଡେଣ୍ଟ ସଂଜୀବ କାପୁରଙ୍କ ସହିତ କର୍ମଚାରୀ ସଂଘର ପ୍ରତିନିଧି ମୋହନ ସୁନ୍ଦର ମିଶ୍ର, ଯୋଗେନ୍ଦ୍ର କୁମାର ଚକ୍ର, ସୁକାନ୍ତ କୁମାର ରାଣା, ରାହସ କୁମାର ନାଏକ, ଯଦୁମଣି ପ୍ରଧାନ ପ୍ରମୁଖ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି।

ଏ ସଂପର୍କରେ ଜିଲ୍ଲାପାଳ ଆଶିଷ୍‌ ଠାକରେ ଗଣମାଧ୍ୟମକୁ କହିଛନ୍ତି ଯେ ଦୀର୍ଘ ଦିନରୁ ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ଏବଂ କର୍ମଚାରୀଙ୍କ ମଧ୍ୟରେ ଥିବା ବିବାଦ ସହମତି ଭିତ୍ତିରେ ତୁଟିଛି। ଉଭୟ ଉଭୟଙ୍କର ସମସ୍ୟାକୁ ସମାଧାନ କରି ଚୁକ୍ତିନାମା କରିଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଳାସପଙ୍ଗାଠାରେ ପ୍ରତିଷ୍ଠିତ ଓଡିଶା ସ୍ପଞ୍ଜ ଆଇରନ ସ୍ପଞ୍ଜ କାରଖାନା ୧୯୮୨ରେ ଉତ୍ପାଦନ ଆରମ୍ଭ କରିଥିଲା। ଗୋଟିଏ ପରେ ଗୋଟିଏ ୟୁନିଟକୁ କଞ୍ଚାମାଲ ଅଭାବ ଦେଖାଇ ବନ୍ଦ କରିଦେବା ପରେ ଅକ୍ଟୋବର ୨୦୧୨ରେ ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନର୍ଭର କରୁଥିବା ୧୦୦୦ରୁ ଊର୍ଦ୍ଧ୍ବ କର୍ମଚାରୀ କାମଧନ୍ଦା ହରାଇ ବସିଥିଲେ। ବକେୟା ପ୍ରାପ୍ୟ ଏବଂ କାରଖାନା ଚଳାଇବା ଦାବିରେ କର୍ମଚାରୀମାନେ ବର୍ଷବର୍ଷ ଧରି ଧାରଣା ଦେଇଥିଲେ।

ସମ୍ବନ୍ଧିତ ଖବର