ଆଶା, ଆଶଙ୍କାରେ ଶିଳ୍ପସଂସ୍ଥା : ଏସିଆ ମହାଦେଶର ପ୍ରଥମ ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡରେ ତାଲା ଖୋଲୁନି, ଭାଗ୍ୟ ଫିଟୁନି

କେନ୍ଦୁଝର : ଲୁହାପଥର ପାଇଁ ବିଶ୍ବରେ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧି ରହିଛି। ଏସିଆ ମହାଦେଶର ପ୍ରଥମ ସ୍ପଞ୍ଜ ଆଇରନ୍‌ କାରଖାନା ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡ୍‌ରେ ଏବେ ତାଲା ଝୁଲୁଛି। ପ୍ରାୟ ୮ ବର୍ଷ ଧରି ଏହି କମ୍ପାନି ବନ୍ଦ ପଡ଼ିଛି। ତାଲା ଖୋଲୁନି କି ଏହି କମ୍ପାନିରେ କାର୍ଯ୍ୟ କରୁଥିବା ହଜାରହଜାର କର୍ମଚାରୀଙ୍କ ଭାଗ୍ୟ ଫିଟୁନି।

କେନ୍ଦୁଝର ଜିଲ୍ଲାର ପଳାଶପଙ୍ଗାଠାରେ ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ସ୍ପଞ୍ଜ ଆଇରନ୍‌ ଲିମିଟେଡ୍‌। କେନ୍ଦୁଝର ସହରଠାରୁ ମାତ୍ର ୨୦ କିଲୋମିଟର ଦୂରରେ ୪୫୩ ଏକର ଜମି ଅଧିଗ୍ରହଣ କରି କମ୍ପାନି ପ୍ରତିଷ୍ଠା କରାଯାଇଥିଲା। ପ୍ରାୟ ୩ ବର୍ଷ ପରେ ୧୯୮୨ ମସିହାରେ ଏଠାରେ ପୂର୍ଣ୍ଣମାତ୍ରାରେ ସ୍ପଞ୍ଜ ଆଇରନ୍‌ ଉତ୍ପାଦନ ଆରମ୍ଭ ହୋଇଥିଲା। କୋଇଲା ମାଧ୍ୟମରେ ସ୍ପଞ୍ଜ ଆଇରନ୍ ପ୍ରସ୍ତୁତ ହେଉଥିବା ଏହି କାରଖାନାକୁ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂ ଉଦ୍‌ଘାଟନ କରିଥିଲେ। ୨.୫ ଲକ୍ଷ ମେଟ୍ରିକ୍ ଟନ୍ ସ୍ପଞ୍ଜ ଲୁହା ଓ ୧ଲକ୍ଷ ମେଟ୍ରିକ ଟନ ବିଲେଟ ଉତ୍ପାଦନ କ୍ଷମତାବିଶିଷ୍ଟ ଏହି କାରଖାନା ପ୍ରତିଷ୍ଠା ପରେ କେବଳ କେନ୍ଦୁଝର ଜିଲ୍ଲା ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ସଂଖ୍ୟାରେ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ପାଇଥିଲେ। ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ଏହି ପ୍ଲାଣ୍ଟରେ ଜମି ହରାଇଥିବା ସ୍ଥାନୀୟ ଅଧିବାସୀ ମଧ୍ୟ ଏଠାରେ ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିଲେ। କାରଖାନା ଚଳାଇବା ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ସଂଗ୍ରହ କରିବା ପରେ ବିଶ୍ୱ ବଜାରରେ ଲୁହାର ଚାହିଦା ଅନୁଯାୟୀ ଏହି କମ୍ପାନି ପ୍ରତିଷ୍ଠା ଲାଭ କରିଥିଲା। କମ୍ପାନିର ନିଜସ୍ୱ ପାୱାର ପ୍ଲାଣ୍ଟ ଥିବାରୁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରୁଥିଲା। ୨୦୦୦ ମସିହା ପର୍ଯ୍ୟନ୍ତ ବେଶ୍‌ ଲାଭ କରି ଆସୁଥିଲା।

ପରିଚାଳନାଗତ ତ୍ରୁଟି କାରଣରୁ କାରଖାନା ଧୀରେଧୀରେ ରୁଗ୍‌ଣ ହୋଇ ବନ୍ଦ ହେବା ଆରମ୍ଭ କରିଥିଲା। ଗୋଟିଏ ପରେ ଗୋଟିଏ ୟୁନିଟକୁ କମ୍ପାନି କର୍ତ୍ତୃପକ୍ଷ କଞ୍ଚାମାଲ ଅଭାବ ଦର୍ଶାଇ ବନ୍ଦ କରିଦେବା ପରେ ୧୪ ଅକ୍ଟୋବର ୨୦୧୨ରେ ସଂପୂର୍ଣ୍ଣ ଭାବେ ତାଲା ଝୁଲିଥିଲା। ଏହା ପୂରା ବନ୍ଦ ହେବା କାରଣରୁ ଖାଲି କମ୍ପାନି ମାଲିକ ଯେ କ୍ଷତିଗ୍ରସ୍ତ ହୋଇଥିଲେ ତାହା ନୁହେଁ, ବରଂ ଏହାରି ଉପରେ ନିର୍ଭର କରୁଥିବା ହଜାରହଜାର ଶ୍ରମିକ ଓ କର୍ମଚାରୀଙ୍କର ଦାନାପାଣି ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଗୋଟିଏ ପଟେ କାରଖାନା ଖୋଲିବା ଦାବିରେ ବର୍ଷ ବର୍ଷ ଧରି ଏହାର ଶ୍ରମିକ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି, କିନ୍ତୁ କମ୍ପାନି ଖୋଲିବାର ସୂଚନା ମିଳୁନାହିଁ। ବକେୟା ଦାବି କରି କୋର୍ଟ କଚେରି ଯାଇଥିଲେ ବି କର୍ମଚାରୀମାନେ ଟଙ୍କାଟିଏ ପାଉ ନାହାନ୍ତି।

ଅପରପକ୍ଷରେ ଏହି କାରଖାନା ଖୋଲିବା ସହିତ ଆନ୍ଦୋଳନରତ କର୍ମଚାରୀଙ୍କ ବକେୟା ପଇଠ ନେଇ ଏକାଧିକବାର ଜିଲ୍ଲାପାଳଙ୍କ ସହିତ କର୍ମଚାରୀ ସଂଘ ଓ କମ୍ପାନି କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳୁନାହିଁ। ଏଣେ ବ୍ୟାଙ୍କରୁ ଋଣ ଆଣି ପରିଶୋଧ କରିନଥିବାରୁ କମ୍ପାନି ଉପରେ ୨୦୯କୋଟି ୮୩ ଲକ୍ଷ ଟଙ୍କାର ଆର୍ଥିକ ବୋଝ ବଢ଼ିବଢ଼ି ଚାଲିଛି। ଦୀର୍ଘଦିନର ଆନ୍ଦୋଳନ, ବିକ୍ଷୋଭ ଓ ସମସ୍ତ ପ୍ରକାର ଆଲୋଚନା ସତ୍ତ୍ୱେ କାରଖାନା ଚାଲୁ ନଥିବାରୁ ବାଧ୍ୟ ହୋଇ ଶ୍ରମିକ ତଥା ଜମି ଦେଇଥିବା ଲୋକମାନେ କେନ୍ଦୁଝର ସହକାରୀ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ‌ରେ ବସିଛନ୍ତି। ଏହି ଅନଶନ ୧୭୫୫ ଦିନରେ ପହଞ୍ଚିଛି। ଏ ସଂପର୍କରେ ଆମେ ଅନଶନରତ କର୍ମଚାରୀଙ୍କୁ ଭେଟିଥିଲୁ। କର୍ମଚାରୀ ସଂଘର ନେତା ଗୋବିନ୍ଦ ଚନ୍ଦ୍ର ଚକ୍ର କହିଛନ୍ତି, ଆମର ବକେୟା ଦେବାକୁ ଦାବି କରିଛୁ। ଗୋଟିଏ ପର୍ଯ୍ୟାୟରେ ୫୦ ପ୍ରତିଶତ ବକେୟା ଦେବାକୁ ଚୁକ୍ତିନାମା ହୋଇଥିଲା। କିନ୍ତୁ ଏହି ଚୁକ୍ତିକୁ ଖିଲାପ କରି ଚାଲିଛନ୍ତି କମ୍ପାନି କର୍ତ୍ତୃପକ୍ଷ। ତେଣୁ ଆମେ ହକ୍‌ ପାଇବା ପର୍ଯ୍ୟନ୍ତ ଅନଶନରେ ବସିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର