ଆନ୍ଧ୍ର ଗାଁକୁ ରାସ୍ତା ନିର୍ମାଣ ଆରମ୍ଭ କଲା ଓଡ଼ିଶା

ପଟାଙ୍ଗି : ୨୦ଖଣ୍ଡ ଗାଁକୁ ନେଇ ଗଠିତ ହୋଇଛି ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳ ଅନ୍ତର୍ଗତ କୋଡ଼ମା ପଞ୍ଚାୟତ। ଓଡ଼ିଶା ସୀମାକୁ ଲାଗି ରହିଥିବା ଏହି ପଞ୍ଚାୟତର ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ଅଧିକାଂଶ ଗାଁକୁ ରାସ୍ତା ନଥିବା ବେଳେ ପାନୀୟ ଜଳ ସୁବିଧା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି ଲୋକ। ତେଣୁ ଲୋକଙ୍କ ମଧ୍ୟରେ ପୁଞ୍ଜିଭୂତ ହୋଇ ରହିଥିଲା ଅସନ୍ତୋଷ। ଶେଷରେ ଏହି ଅସନ୍ତୋଷକୁ ଓଡ଼ିଶାର ନେତାଙ୍କୁ ଅବଗତ କରାଇଥିଲେ ଆନ୍ଧ୍ରର ଜନତା। ଏହାପରେ ଉକ୍ତ ଅଞ୍ଚଳକୁ ଓଡ଼ିଶା ପକ୍ଷରୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି।

ଓଡ଼ିଶାରେ ଆନ୍ଧ୍ର ଅନୁପ୍ରବେଶ କରୁଥିବା ଜାଣିବା ପରେ ଗତ ୧୬ତାରିଖ ଦିନ କୋଟିଆର ଫଗୁଣସିନେରିରେ ପହଞ୍ଚିଥିଲେ ରାଜନୈତିକ ଦଳର ନେତା। ଆନ୍ଧ୍ର ବିରୋଧରେ ନାରାବାଜି କରିଥିବା ବେଳେ ଏଥିରେ ସ୍ବର ମିଳାଇଥିଲେ ଆନ୍ଧ୍ରର ଜନତା। ଆଉ ଏହାର ନେତୃତ୍ବ ନେଇଥିଲେ ସାଲୁରର ପୂର୍ବତନ ଉପାଧ୍ୟକ୍ଷା ମାଳତୀ ପାଙ୍ଗି ଦୋରା। ଓଡ଼ିଶା ନେତାଙ୍କୁ ଭେଟି ମାଳତୀ କେଉଁଭଳି ଅବସ୍ଥାରେ ଆନ୍ଧ୍ରର ଲୋକ ରହୁଛନ୍ତି ପ୍ରକାଶ କରିଥିଲେ। ନିଜ ଅଞ୍ଚଳର ବିକାଶ କରିବା ପରିବର୍ତ୍ତେ ଆନ୍ଧ୍ର ଅନ୍ୟ ରାଜ୍ୟର ଜମିକୁ ଅକ୍ତିଆର ନୀତିକୁ ନିନ୍ଦା କରି କ୍ଷୋଭ ପ୍ରକାଶ କରିଥିଲେ। ଏପରିକି ଉପରୋକ୍ତ ଅଞ୍ଚଳକୁ ଓଡ଼ିଶାରେ ସାମିଲ କରି ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ରାଜନୈତିକ ଦଳର ନେତାଙ୍କୁ ନିବେଦନ କରିଥିଲେ।

ଲୋକଙ୍କ ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ଫଗୁଣସିନେରିରେ ଉପସ୍ଥିତ ଥିବା କୋରାପୁଟ ଜିଲ୍ଲାର ୫ ବିଧାୟକ ତୁରନ୍ତ ନିଷ୍ପତ୍ତି ନେଇଥିଲେ। ବ୍ୟକ୍ତିଗତ ଭାବେ ସମସ୍ତେ ନିଜ ନିଜ ଉଦ୍ୟମରେ ଲକ୍ଷେ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କଲେ। ସେହିପରି ରାସ୍ତା କାମ ପାଇଁ ଜେସିବି ମେସିନ୍‌ ଯୋଗାଇ ଦେବେ ବୋଲି ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି ପ୍ରକାଶ କରିଥିଲେ। ଆଉ ଏହି ପ୍ରତିଶ୍ରୁତିକୁ ରାଜନେତାମାନେ ରକ୍ଷା କରିଛନ୍ତି। ଉକ୍ତ ରାସ୍ତା ନିମନ୍ତେ ଶୁଭ ପକାଇ ଇତିମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସାରିଛନ୍ତି। ଅଳ୍ପ ଦିନ ମଧ୍ୟରେ ଏହି ରାସ୍ତା କାମ ସଂପୂର୍ଣ୍ଣ ହୋଇଯିବ। ଯାହାଫଳରେ ଆନ୍ଧ୍ର ବାସିନ୍ଦାଙ୍କୁ ଆଉ ପୂର୍ବଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର