ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି : ‘ଗୋଟିଏ ବାର୍‌, ଗୋଟିଏ ଭୋଟ୍‌’

କଟକ : ‘ଓ୍ଵାନ୍‌ ବାର୍‌ ଓ୍ଵାନ୍‌ ଭୋଟ୍‌’ ନିୟମ ଲାଗୁ କରିବା ପାଇଁ ଓଡ଼ିଶା ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଛି। ଏପରି ନିଷ୍ପତ୍ତି ଫଳରେ ଏଣିକି ଜଣେ ଆଇନଜୀବୀ ଏକାଧିକ ବାର୍‌ ବା ଆଇନଜୀବୀ ସଂଘରେ ସଦସ୍ୟ ରହିଲେ ମଧ୍ୟ କେବଳ ଗୋଟିଏ ବାର୍‌ରେ ଭୋଟ୍‌ ଦେଇ ପାରିବେ। ଆଜି ରାଜ୍ୟ ଆଇନଜୀବୀ ପରିଷଦର ବୈଠକରେ ଏ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ୧୬୬ଟି ଆଇନଜୀବୀ ସଂଘ ରହିଥିବା ବେଳେ ୨୦୧୯, ମାର୍ଚ୍ଚରେ ସମସ୍ତ ସଂଘର କର୍ମକର୍ତ୍ତା ନିର୍ବାଚନ ଆୟୋଜନ କରାଯିବ। ଏଥି ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସମସ୍ତ ବାର୍‌ ଆସୋସିଏସନକୁ ଭୋଟର ତାଲିକା ଯୋଗାଇ ଦିଆଯିବ। ଜଣେ ଆଇନଜୀବୀ ନିଜେ ସ୍ଥିର କରିବେ ସେ କେଉଁ ବାର୍‌ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନରେ ଭୋଟ ଦେବେ ଓ ଏ ସଂପର୍କରେ ସେ ନିଜ ଆବେଦନପତ୍ରରେ ଉଲ୍ଲେଖ କରିବେ। ଭାରତୀୟ ଆଇନଜୀବୀ ଚିହ୍ନଟ ପ୍ରକ୍ରିୟା ନିୟମ, ୨୦୧୫ ଅନୁସାରେ ରାଜ୍ୟର ସମସ୍ତ ବାର୍‌ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ୨୦୧୮ ମସିହା ସୁଦ୍ଧା ନିର୍ବାଚନ ଶେଷ ହୋଇଥିବ ବାର୍‌ ଆସୋସିଏସନ୍‌ ଗୁଡିକର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨୦୧୯, ମାର୍ଚ୍ଚ ପର୍ଯ୍ୟନ୍ତ ହେବ। ୨୦୧୮ ଅକ୍ଟୋବର ପରେ ତଥା ୨୦୧୯, ମାର୍ଚ୍ଚ ମଧ୍ୟରେ କୌଣସି ବାର୍‌ ଆସୋସିଏସନ୍‌ ନିର୍ବାଚନ କରାଯାଇ ପାରିବ ନାହିଁ। କେବେ ବାର୍‌ ଆସୋସିଏସନ୍‌ ଗୁଡିକର ନିର୍ବାଚନ ହେବ ସେ ସଂପର୍କରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରତି ବାର୍‌ର କର୍ମକର୍ତ୍ତା ଏକ ବର୍ଷ ପାଇଁ ନିର୍ବାଚିତ ହେବେ। ଫଳରେ ସବୁ ବାର୍‌ ଆସୋସିଏସନର ନିର୍ବାଚନ ଗୋଟିଏ ତାରିଖରେ କରାଯାଇ ପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ନିଷ୍ପତ୍ତି ପରିଷଦ ପକ୍ଷରୁ ଗ୍ରହଣ କରାଯାଇଛି। ବାର୍‌ ଆସୋସିଏସନ୍‌ ନିର୍ବାଚନ କ୍ଷେତ୍ରରେ ସଂସ୍କାର ସହିତ ଆଜି ହାଇକୋର୍ଟ ଓ ସ୍ୟାଟ୍‌ରେ ଖାଲି ପଡିଥିବା ବିଚାରପତି ପଦ ସଂପର୍କରେ ଆଲୋଚନା କରାଯାଇଥିଲା। ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଖାଲି ପଡିଥିବା ବିଚାରପତି ପଦ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥି ସହିତ ଆଡଭୋକେଟ୍‌ ଏକାଡେମି ପ୍ରତିଷ୍ଠା କରିବା ପାଇଁ ଏକ କମିଟି ପରିଷଦ ପକ୍ଷରୁ ଗଠନ କରାଯାଇଛି। କମିଟି ସଦସ୍ୟମାନେ ଆଡଭୋକେଟ୍‌ ଏକାଡେମି ଗଠନ ପ୍ରସଂଗରେ ସରକାରଙ୍କ ସହିତ ଆଲୋଚନା କରି ପ୍ରକ୍ରିୟାକୁ ଆଗେଇ ନେବେ। ଆଜିର ବୈଠକରେ ପରିଷଦର ଅଧ୍ୟକ୍ଷ ଚିନ୍ମୟ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର, ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ, ଡି.ପି.ଧଳ, ସୌରଚନ୍ଦ୍ର ମହାପାତ୍ର, ଗୋପାଳକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର