ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ୧୦ ବର୍ଷରୁ କମ୍ ପେସାରେ ଥିଲେ ଆର୍ଥିକ ସହାୟତ‌ା

ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆକୁ ଅନୁରୋଧ କରାଯିବ, ରାଜ୍ୟର ସବୁ ବାରଆସୋସିଏସନକୁ ଅନୁରୋଧ କରାଗଲା

କଟକ : କରୋନା ସଂକ୍ରମଣ ଆଶଙ୍କାରେ ଘୋଷଣା କରାଯାଇଥିବା ଲକ୍‌ଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ମିଳିବ। ୧୦ ବର୍ଷରୁ କମ୍ ସମୟ ଆଇନ ପେସାରେ ଥିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଘୋଷଣା କରିଛି। ରାଜ୍ୟ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ଜରୁରୀ ବୈଠକରେ ଆଜି ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି।

କରୋନା ସଂକ୍ରମଣ ଆଶଙ୍କାରେ ଘୋଷଣା କରାଯାଇଥିବା ଲକ୍‌ଡାଉନ ଯୋଗୁଁ ପ୍ରକୃତରେ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଏପରି ଆଇନଜୀବୀଙ୍କ ପାଇଁ ପରିଷଦର ଆଡଭୋକେଟସ୍‌ ୱେଲାଫେୟାର କର୍ପସ୍ ଫଣ୍ଡ୍‌ରୁ ଆର୍ଥିକ ସହାୟତା ଉପଲବ୍ଧ ହେବ। ଏଥିପାଇଁ ଏହି ବର୍ଗର ଆଇନଜୀବୀମାନେ ନିର୍ଦ୍ଧାରିତ ଫର୍ମରେ ସେମା‌ନେ ସଦସ୍ୟ ଥିବା ବାର୍ ଆସୋସିଏସନ୍ ଜରିଆରେ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଆବେଦନ କରିବେ। ସଂପୃକ୍ତ ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କୁ ଏପରି ଆବେଦନ ଗ୍ରହଣ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଓ ବିବରଣୀକୁ ସଂପୃକ୍ତ ବାର୍ ଆସୋସିଏସନ୍ ସଭାପତି ଓ ସଂପାଦକ ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଏହାପରେ ବାର୍ ଆସୋସିଏସନ୍ ସଭାପତି ଓ ସଂପାଦକଙ୍କ ଦସ୍ତଖତ ଓ ସିଲ ସହିତ ଏହା ରାଜ୍ୟ ଆଇନଜୀବୀ ପରିଷଦ ସଂପାଦକଙ୍କ ନିକଟରେ ଦାଖଲ କରାଯିବ। ଏପରି ପ୍ରକ୍ରିୟା ପାଇଁ ସମସ୍ତ ବାର୍ ଆସୋସିଏସନ୍ ସଭାପତି ଓ ସଂପାଦକଙ୍କୁ ଅନୁରୋଧ କରାଯିବ।

ଯଦି ଆବେଦନ ଫର୍ମରେ ଦିଆଯାଇଥିବା ତଥ୍ୟ ଭୁଲ ବୋଲି ଜଣାପଡେ, ତେବେ ଏହାକୁ ସଂପୃକ୍ତ ଆଇନଜୀବୀଙ୍କ ଅସଦାଚରଣ (ମିସ୍‌କଣ୍ଡକ୍ଟ) ବୋଲି ଗ୍ରହଣ କରାଯିବ। ଏଥିସହିତ ତଥ୍ୟ ଯାଞ୍ଚ କ୍ଷେତ୍ରରେ ଯଦି କିଛି ଅବହେଳା ସ୍ପଷ୍ଟ ହୁଏ, ତେବେ ସଂପୃକ୍ତ ବାର୍ ଆସୋସିଏସନର ସଭାପତି ଓ ସଂପାଦକ ମଧ୍ୟ ଦାୟୀ ରହିବେ। ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ନିଯୁକ୍ତ କମିଟି ଏପରି ଆବେଦନ ପାଇବା ପରେ ଏହାକୁ ତନଖି କରିବ ଓ ପ୍ରକୃତ ତଥା ଯଥାର୍ଥ ମାମଲାରେ ଆର୍ଥିକ ସହାୟତା ପ୍ରଦାନ ଅନୁମୋଦନ କରାଯିବ।

ଏଭଳି ପ୍ରସ୍ତାବ ସ୍ବତନ୍ତ୍ର କମିଟି ବୈଠକରେ ଆଜି ଗ୍ରହଣ କରାଯାଇଛି। ଏଥିସହିତ ସ୍ବତନ୍ତ୍ର କମିଟି ବିଭିନ୍ନ ବାର୍ ଆସୋସିଏସନ ଜରିଆରେ ୧୫ ବର୍ଷରୁ ଅଧିକ ସମୟ ଆଇନ ପେସାରେ ଥିବା ସମସ୍ତ ଆଇନଜୀବୀଙ୍କୁ ଉଦାର ହୋଇ ରାଜ୍ୟ ଆଇନଜୀବୀ ପରିଷଦକୁ ଦାନ କରିବାକୁ ଅପିଲ କରିବ। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଆଡଭୋକେଟସ୍‌ ୱେଲଫେୟାର କର୍ପସ୍ ଫଣ୍ଡରେ ଏ ବାବଦ ଅର୍ଥ ଜମା କରିବାକୁ କୁହାଯିବ। ଏହାଦ୍ବାରା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ରାଜ୍ୟର ଆଇନଜୀବୀଙ୍କୁ ସହାୟତା ପ୍ରଦାନ କରାଯାଇପାରିବ। ଆଇନଜୀବୀଙ୍କୁ ଆର୍ଥିକ ସହାୟତା ମଞ୍ଜୁର ସହଜ କରିବା ପାଇଁ ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ଯଥେଷ୍ଟ ପାଣ୍ଠି ଉପଲବ୍ଧ କରିବା ଲାଗି ଅନୁରୋଧ କରାଯିବ। ଏହି ପ୍ରସଂଗରେ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ବାର୍ କାଉନସିଲ ଅଫ୍ ଇଣ୍ଡିଆରେ ରାଜ୍ୟ ଆଇନଜୀବୀ ପରିଷଦର ପ୍ରତିନିଧି ବରିଷ୍ଠ ଆଇନଜୀବୀ ଡି.ପି.ଧଳଙ୍କୁ ଅନୁରୋଧ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି।

ରାଜ୍ୟ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ଅଧ୍ୟକ୍ଷ ତଥା ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ଆଇନଜୀବୀ ଅଜୟ କୁମାର ବରାଳ ଓ ସଦସ୍ୟ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର