ଆରମ୍ଭ ହେଲା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଯୁବପିଢ଼ି ଗାନ୍ଧୀଜୀଙ୍କ ଆଦର୍ଶକୁ ବୁଝି ଶ୍ରେଷ୍ଠ ବିଶ୍ୱ ନିର୍ମାଣରେ ନିୟୋଜିତ ହେବା ଉଚିତ

ଭୁବନେଶ୍ୱର : ଗାନ୍ଧୀଜୀଙ୍କ ପ୍ରତିଟି ଲେଖା ମାନବତାର ବାର୍ତା ଦେଉଥିଲା। ପାଠକ ହୃଦୟରେ ସକାରାତ୍ମକ ଚମକ ଭରୁଥିଲା। ଆଜିର ଯୁବପିଢ଼ି ଗାନ୍ଧୀଜୀ ଓ ତାଙ୍କ ଆଦର୍ଶକୁ ପଢ଼ି, ଜାଣି ଓ ବୁଝି ଶ୍ରେଷ୍ଠ ବିଶ୍ବ ଗଢ଼ିବା ଦିଗରେ କାମ କରିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ବର୍ଷ ପାଳନ ଅବସରରେ ସମର୍ପିତ ଦ୍ଵିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ, ପୁସ୍ତକ ମେଳା ଜ୍ଞାନର ମେଳା। ଜ୍ଞାନର ନୂଆ ଦିଗନ୍ତ ସହ ଜନସାଧାରଣଙ୍କୁ ପରିଚିତ କରାଇବାରେ ଏହି ପୁସ୍ତକ ମେଳା ସହାୟକ ହେବ ବୋଲି ସେ କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ବହି ମେଳାରେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ସମାଜସେବୀ କ୍ରିଷ୍ଣା ମହାନ୍ତି ବିଶେଷ ଅତିଥି ଭାବେ ଯୋଗଦେଇ କହିଲେ, ବହି ସବୁଠୁ ବଡ଼ ସାଥୀ। ଏହା ସଦା ମଣିଷକୁ ଉଚିତ ପଥ ଦେଖାଇ ତାର ଉତ୍ତରୋତ୍ତର ଉନ୍ନତି କରି ଆସିଛି। ସଭା ମଞ୍ଚରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ସଂକଳ୍ପ ପତ୍ର ଉନ୍ମୋଚନ କରିଥିଲେ। ସମାଜସେବୀ କ୍ରିଷ୍ଣା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରକାଶିତ ଗଳ୍ପ, ପ୍ରବନ୍ଧ ଓ କବିତା ପୁସ୍ତକ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, କଳିଙ୍ଗ ପୁସ୍ତକ ମେଳା କମିଟି, ପୁସ୍ତକ ପ୍ରକାଶକ ଓ ବିକ୍ରେତା ମହାସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାରେ ୫ଶହ ଷ୍ଟଲ ଖୋଲିଛି। ଏଥିସହ ଓଡ଼ିଶା ସାହିତ୍ୟ ଏକାଡେମି, ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ରାଜ୍ୟ ସଂଗ୍ରହାଳୟର ବହି ଷ୍ଟଲ ମଧ୍ୟ ଖୋଲିଛି। ଏହି ଅବସରରେ ଆକର୍ଷଣ ସାଜିଛି ‘ଗାନ୍ଧୀଜୀ ଓ ଓଡ଼ିଶା’ ଶୀର୍ଷକ ଷ୍ଟଲ। ଗାନ୍ଧୀଜୀଙ୍କ ପିଲା ବେଳର ଫଟୋଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବହୁ ବିରଳ ଫଟୋ ସହ ପୁସ୍ତକ ଓ ନଥି ପ୍ରଦର୍ଶିତ ହେଉଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଏହି ମେଳା ବୁଲି ବହି କିଣିପାରିବେ।

ସମ୍ବନ୍ଧିତ ଖବର