ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେଲା ବଜେଟ୍ ୨୦୨୬-୨୭ । ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତ ବର୍ଷ ତୁଳନାରେ ଏହି ବଜେଟ୍‌ର ଆକାର ଯଥେଷ୍ଟ ଅଧିକ ରହିଛି, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ସଙ୍କେତ ଦେଉଛି । ଜଗନ୍ନାଥଙ୍କୁ ସ୍ମରଣ କରି ଚଳିତ ବଜେଟକୁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଉପସ୍ଥାପନ କରିଥିବା ବେଳେ ଶ୍ରୀମନ୍ଦିର ଏବଂ ଜଗନ୍ନାଥପ୍ରେମୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି । 

Advertisment

ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା । ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ଲାଗି ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡିର ପ୍ରସ୍ତାବ ଦିଆଯାଇଥିବା ବେଳେ ସବୁଠାରୁ ବଡ଼ କଥା ହେଉଛି ରତ୍ନଭଣ୍ଡାର ଗଣତିମଣତି ଲାଗି ୫ କୋଟି ଟଙ୍କାର ପ୍ରସ୍ତାବ ରହିଛି । 

ତେବେ ମୋଟ ୩.୧୦ ଲକ୍ଷ କୋଟିର ବଜେଟରେ ୧,୮୦,୦୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ପାଇଁ ରଖାଯାଇଛି । କୃଷି ଓ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ସର୍ବାଧିକ ୨୫,୦୦୩.୩୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ୱାସ୍ଥ୍ୟ ସେବା ପାଇଁ ୧୭,୭୩୬.୯୩ କୋଟି ଏବଂ ଶିକ୍ଷା ପାଇଁ ୧୫,୮୪୯.୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୧୬,୧୨୨.୯୩ କୋଟି ଟଙ୍କା ରଖାଯାଇଛି । ଏହି ବଜେଟ୍ ଓଡ଼ିଶାର ଭୌତିକ ବିକାଶ ସହିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାକୁ ଏକ ନୂଆ ଶିଖରକୁ ନେଇଯିବ ବୋଲି ଆଶା କରାଯାଉଛି । ଖାସକରି ଜଗନ୍ନାଥ ସଂସ୍କୃତି ପାଇଁ ଏତେ ବଡ଼ ପାଣ୍ଠିର ବ୍ୟବସ୍ଥା ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି ।