ଘରୋଇ ବ୍ୟାଙ୍କରେ ସମବାୟ ବ୍ୟାଙ୍କର ୩୭୦୨ କୋଟି ଟଙ୍କା

ସମବାୟ ମନ୍ତ୍ରୀଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ହଜାର ହଜାର କୋଟିର ଠକେଇ, ଅନିୟମିତତା ପଦାକୁ ଆସିବା ପରେ ସବୁଠି ଛନକା ପଶିଯାଇଛି। ଏଭଳି ପରିସ୍ଥିତିରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସ୍‌ସିବି)ର ୩୭୦୨ କୋଟି ଟଙ୍କାର ଜମା ଜାତୀୟ ବ୍ୟାଙ୍କ ପରିବର୍ତେ ଘରୋଇ ବ୍ୟାଙ୍କଗୁଡ଼ିକରେ ଜମା ହୋଇଥିବା ବିଷୟ ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ଏ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ଼। ଖୋଦ୍‌ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ତଦନ୍ତ କରିବାକୁ ସମବାୟ ନିବନ୍ଧକଙ୍କୁ ଦାୟିତ୍ୱ ଦେଇଛନ୍ତି। ଏ ନେଇ ତିନିଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସମବାୟ ନିବନ୍ଧକ ଓଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାନୁସାରେ ଗତ ୧୨ ତାରିଖ ସୁଦ୍ଧା ଓଡ଼ିଶା ସମବାୟ ବ୍ୟାଙ୍କର ୩୭୦୨ କୋଟି ଟଙ୍କାର ଜମା ୧୦ଟି ଘରୋଇ ବ୍ୟାଙ୍କରେ ଜମା ରହିଛି। ସେହି ଘରୋଇ ବ୍ୟାଙ୍କଗୁଡ଼ିକ ହେଉଛି ଆଇସିଆଇସିଆଇ- ୧୦୦ କୋଟି, ଲକ୍ଷ୍ମୀ ବିଳାସ ବ୍ୟାଙ୍କ- ୪୫୫ କୋଟି, ୟେସ୍‌ ବ୍ୟାଙ୍କ- ୫୦୦ କୋଟି, ଆଇଡିବିଆଇ ବ୍ୟାଙ୍କ- ୮୯୨ କୋଟି, ଡିସିବି ବ୍ୟାଙ୍କ- ୫୦ କୋଟି, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ- ୮୦୦ କୋଟି, ଫେଡେରାଲ୍‌ ବ୍ୟାଙ୍କ- ୫୧୫ କୋଟି, ଏଚ୍‌ଡିଏଫ୍‌ସି- ୨୩୦ କୋଟି, ବନ୍ଧନ ବ୍ୟାଙ୍କ- ୧୦୦ କୋଟି, ସାଉଥ୍‌ ଇଣ୍ଡିଆନ୍‌ ବ୍ୟାଙ୍କ- ୬୦ କୋଟି। ସମବାୟ ବ୍ୟାଙ୍କର ଏତେ ବଡ଼ ରାଶିର ଅର୍ଥ କାହିଁକି ଘରୋଇ ବ୍ୟାଙ୍କଗୁଡ଼ିକରେ ଜମା ରଖାଯାଇଛି, ସେ ନେଇ ସମବାୟ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତିି। ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସେ ସମବାୟ ନିବନ୍ଧକଙ୍କୁ ନିର୍ଦେଶ ଦେଇଛନ୍ତି। ସମବାୟ ନିବନ୍ଧକ ତ୍ରିବିକ୍ରମ ପ୍ରଧାନ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦେଶକ ତୁଷାରକାନ୍ତ ପଣ୍ଡାଙ୍କୁ ତିନିଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଗତ ୧୭ ତାରିଖରେ ନିର୍ଦେଶ ଦେଇଛନ୍ତି। ଅର୍ଥ ବିଭାଗର ନିର୍ଦେଶନାମା, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡର ମାର୍ଗଦର୍ଶିକା ଅନୁସରଣ କରାଯାଇଛି କି ନାହିଁ ସେ କଥା ରିପୋର୍ଟରେ ଦର୍ଶାଇବାକୁ କୁହାଯାଇଛି।

ଏ ସଂପର୍କରେ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦେଶକ ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବ୍ୟାଙ୍କର ଦୈନନ୍ଦିନ ବଳକା ଅର୍ଥ ଆନ୍ତଃବ୍ୟାଙ୍କ ଜମା ବ୍ୟବସ୍ଥାରେ ବିଭିନ୍ନ ବ୍ୟାଙ୍କଗୁଡ଼ିକରେ ଜମା କରାଯାଏ। ଏ ନେଇ ବିଡ୍‌ ହେଲେ ବି ସାଧାରଣତଃ କୌଣସି ଜାତୀୟକରଣ ବ୍ୟାଙ୍କ ସେଥିରେ ଅଂଶଗ୍ରହଣ କରିନଥାନ୍ତି। ଏପରି କି ସେହି ବ୍ୟାଙ୍କଗୁଡ଼ିକର ସୁଧ ହାର ଯଥେଷ୍ଟ କମ୍‌। ଏଣୁ, ସମବାୟ ବ୍ୟାଙ୍କର ଲାଭାର୍ଜନ ଉଦ୍ଦେଶ୍ୟରେ ଘରୋଇ ବ୍ୟାଙ୍କଗୁଡ଼ିକରେ ତା’ର ଅର୍ଥ ଜମା କରାଯାଇଥାଏ। ଏ କ୍ଷେତ୍ରରେ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ଶ୍ରୀ ପଣ୍ଡା ଦର୍ଶାଇଛନ୍ତି। ମନ୍ତ୍ରୀଙ୍କ ନିର୍ଦେଶ ମୁତାବକ ଏହି ଜମା ଘଟଣା ନେଇ ସେ ଏକ ରିପୋର୍ଟ ଆସନ୍ତାକାଲି ପ୍ରଦାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର