ଓଡ଼ିଶା ରାଜ୍ୟ କମିଟି ବୈଠକରେ ସୂଚନା: ବିଜେପି, ବିଜେଡିକୁ ବିରୋଧ କରିବ ସିପିଏମ୍‌

ଭୁବନେଶ୍ବର: ରାଜ୍ୟରେ ବିଜେପି ବିରୋଧୀ ଭୋଟ୍‌କୁ ଠୁଳ କରିବା ସହିତ ବିରୋଧୀ ଭୋଟ୍‌କୁ ଭାଗଭାଗ କରିବାକୁ ଦିଆଯିବନି। ସେହିପରି ବିଜେଡି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)ଭୁକ୍ତ ନହେଲେ ମଧ୍ୟ ବିଜେପିର ଅଘୋଷିତ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଓଡ଼ିଶାରେ ବିଜେଡିକୁ ସମର୍ଥନ ଦେବା ଅର୍ଥ ପରୋକ୍ଷରେ ବିଜେପିକୁ ଶକ୍ତିଶାଳୀ କରିବା। ଏପରି ନକରିବାକୁ ଆହ୍ବାନ ଦେବା ସହିତ ବିଜେଡିକୁ ମଧ୍ୟ ବିରୋଧ କରାଯିବ ବୋଲି କହିଛନ୍ତି ସିପିଆଇ(ଏମ୍‌) କେନ୍ଦ୍ର କମିଟିର ସାଧାରଣ ସଂପାଦକ ସୀତାରାମ ୟୋଚୁରୀ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ପାର୍ଟି ପକ୍ଷରୁ କମ୍‌ ଆସନରେ ପ୍ରତିଦ୍ବନ୍ଦ୍ବିତା କରି ଅନ୍ୟତ୍ର ବିଜେପି ବିରୋଧରେ ବ୍ୟାପକ ପ୍ରଚାର କରାଯିବ। ଏହାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ରାଜ୍ୟର ଏକମାତ୍ର ‌େଲାକସଭା ଆସନ ଭୁବନେଶ୍ବରରେ ପ୍ରାର୍ଥୀ ଦିଆଯିବ ବୋଲି ରାଜ୍ୟ କମିଟି ପକ୍ଷରୁ ଘୋଷଣା କରାଯାଇଛି। ତାଙ୍କର ଏପରି ସୂଚନାରୁ ସିପିଏମ୍‌ ଯେ, ବିଜେପି ଓ ବିଜେଡି ବ୍ୟତୀତ ଅନ୍ୟ ଦଳ ସହିତ ମେଣ୍ଟ କରିପାରେ ବୋଲି ସଂକେତ ମିଳୁଛି। ତେବେ ଓଡ଼ିଶାରେ ସିପିଏମ୍‌ କଂଗ୍ରସ ସହିତ ମେଣ୍ଟ କରିବ କି ନାହିଁ ସେ ସଂପର୍କରେ ସେ କୌଣସି ସ୍ପଷ୍ଟ ସୂଚନା ଦେଇଛନ୍ତି। ୧୪ ଓ ୧୫ ଦୁଇ ଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ସିପିଏମ୍‌ ରାଜ୍ୟ କମିଟି ବୈଠକରେ ଯୋଗଦେଇ ଶ୍ରୀ ୟେଚୁରୀ ଏହି ସୂଚନା ଦେଇଛନ୍ତି। ଜନାର୍ଦନ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ୟୋଚୁରୀ କହିଥି‌େଲ, ମୋଦି ସରକାର ଅମଳରେ ଦେଶରେ ହିିନ୍ଦୁତ୍ବବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଦଳିତ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ମହିଳାମାନେ ଅସୁରକ୍ଷିତ। ଦେଶରେ ଆର୍ଥିକ ଅସମତା, କୃଷକ ଆତ୍ମହତ୍ୟା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦାରଦାମ ଆକାଶ ଛୁଆଁ ହୋଇଛି। ଡିଜେଲ ଓ ପେଟ୍ରୋଲ୍ ଦର ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବ୍ୟାଙ୍କଗୁଡ଼ିକ ଦେବାଳିଆ ହେବାକୁ ବସିଛି। ଅନାଦେୟ ଋଣ ପରିମାଣ ସାଢ଼େ ବାର ଲକ୍ଷ କୋଟି ଟଙ୍କା ହେଲାଣି ବୋଲି କହି ଶ୍ରୀ ୟେଚୁରୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆସନ୍ତା ସାଧାରଣ ନିର୍ବାଚନରେ ପାର୍ଟିର ଆଭିମୁଖ୍ୟ ଓ ନିର୍ଧାରିତ ନୀତି ସଂପର୍କରେ ଶ୍ରୀ ୟେଚୁରୀ କହିଥିଲେ, ପାର୍ଟିର ପ୍ରଥମ କାର୍ଯ୍ୟ ହେଉଛି ବିଜେପି ଓ ତାର ସହଯୋଗୀ ଶକ୍ତିଙ୍କୁ ହରାଇବା। ପାର୍ଲାମେଣ୍ଟ୍‌ରେ ସିପିଏମ୍‌ ସମେତ ଅନ୍ୟ ବାମପନ୍ଥୀ ଦଳମାନଙ୍କର ଶକ୍ତି ବୃଦ୍ଧି କରିବା ଏବଂ କେନ୍ଦ୍ରରେ ଏକ ବିକଳ୍ପ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ଓ ବାମପନ୍ଥୀ ଦଳମାନଙ୍କୁ ଠୁଳ କରିବା। ସେହିପରି ଓଡ଼ିଶାରେ ବିଜେପିର ଶକ୍ତିବୃଦ୍ଧିରେ ରାଜ୍ୟ କମିଟି ସଂପାଦକ ଆଳି କିଶୋର ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବିଜେପିକୁ ପରାସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ। ସେହିପରି ୧୮ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ରାଜ୍ୟର କୌଣସି ମୌଳିକ ସମସ୍ୟା ନିରାକରଣ କରିବାରେ ବ୍ୟର୍ଥ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ସମାଲୋଚନା କରିଥିଲେ। ବୈଠକରେ କେନ୍ଦ୍ର କମିଟି ପଲିଟିବ୍ୟୁରୋ ସଦସ୍ୟ ସୂର୍ଯ୍ୟକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର