ଭିଆରଏସ୍‌ ଦେଉନାହାନ୍ତି, ବ୍ୟାଙ୍କ୍‌ ବନ୍ଦ କରିବାକୁ ବସିଲେଣି: କୋର୍ଟ ଯିବ ଓସ୍କାର୍ଡ ବ୍ୟାଙ୍କ୍‌ କର୍ମଚାରୀ ସଂଘ

ଭୁବନେଶ୍ବର : ୧୦୬ କୋଟି ଋଣ ବୁଡ଼ି ଯାଉଥିବା ଦର୍ଶାଇ ଓଡ଼ିଶା ରାଜ୍ୟ ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍‌ ଲିମିଟେଡ୍‌(ଓସ୍କାର୍ଡ ବ୍ୟାଙ୍କ୍‌)କୁ ସରକାର ବନ୍ଦ କରିବାକୁ ବସିଛନ୍ତି। ଏହି ଅନାଦେୟ ରାଶିକୁ ଆଦାୟ କରି ବ୍ୟାଙ୍କ୍‌କୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ସମୟରେ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ଫୁସ୍‌କି ଯାଇଛି। ପୂର୍ବରୁ ସରକାର ୬୩୬ଜଣ କର୍ମଚାରୀଙ୍କୁ ‌ସ୍ବେଚ୍ଛାକୃତ ଅବସର(ଭିଆରଏସ୍‌) ଦେଇଥିଲେ ମଧ୍ୟ ଆଉ ରହିଥିବା ୨୯ଜଣ କର୍ମଚାରୀଙ୍କୁ ଭିଆରଏସ୍‌ ଦେଉନାହାନ୍ତି। ବ୍ୟାଙ୍କ୍‌ର ୨୦ କୋଟି ଟଙ୍କା ଜମା ରହିଥିବା ବେ‌ଳେ ଏହି କର୍ମଚାରୀଙ୍କୁ ଭିଆରଏସ୍‌ ଦେଲେ ୫ କୋଟି ଟଙ୍କା ଖର୍ଚ୍ଚ ହେବ। ହେଲେ ସରକାର କେଉଁ କୁଳର‌ ହେଉ ନାହାନ୍ତି। ଏଣୁ କର୍ମଚାରୀମାନେ ଅଦାଲତର ଆଶ୍ରୟ ନେବେ ବୋଲି ଘୋଷଣା କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଓସ୍କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ କାର୍ଯ୍ୟକାରୀ ସଭାପତି ଉମେଶ ଚନ୍ଦ୍ର ଉଦୟସିଂହ, ତୁଷାରକାନ୍ତ ପରିଜା, ସାଧୁଚରଣ ବେହେରା, ମନୋରଞ୍ଜନ ମିଶ୍ର, ମଦନ ମୋହନ ଲେଙ୍କା ପ୍ରମୁଖ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। କୌତୂହଳପ୍ରଦ ହେଉଛି, ଏଭଳି ସ୍ଥିତିକୁ ସୁଧାରିବା ପାଇଁ ବିଭିନ୍ନ ସମୟରେ ବ୍ୟାଙ୍କ୍‌ ପରିଚାଳନା ଦାୟିତ୍ବରେ ଆଇଏଏସ୍‌ ଅଫିସର୍‌ମାନେ ରହିଛନ୍ତି। ହେଲେ ବ୍ୟାଙ୍କର ସ୍ଥିତିରେ ସୁଧାର ଆଣିପାରି ନାହାନ୍ତି। ଏବେ ୨୯ କର୍ମଚାରୀଙ୍କ ଉପରେ ସରକାର ରାଗ ଶୁଝାଉଥିବା ଅଭିଯୋଗ ହୋଇଛି।

୧୯୩୮ ମସିହାରେ ଏହ‌ି ବ୍ୟାଙ୍କ୍‌ ସ୍ଥାପିତ ହୋଇଥିଲା। ୫୬ଟି ସହବନ୍ଧିତ କାର୍ଡ ବ୍ୟାଙ୍କ୍‌(ପ୍ରାଥମିକ କୃଷି ଓ ଗ୍ରାମ୍ୟ ଉନ୍ନୟନ) ଜରିଆରେ ଦୀର୍ଘ ମିଆଦି ଋଣ ପ୍ରଦାନ କରୁଥିଲା। କ୍ରମଶଃ ଋଣ ଅନାଦେୟ ହେବାରୁ ବଢ଼ି ବଢ଼ି ୧୦୬ ‌କୋଟି ୩୭ ଲକ୍ଷ ୨୮ ହଜାର ଟଙ୍କା ହୋଇ ଯାଇଥିଲା। ଏହି ବକେୟା ଅର୍ଥରାଶିକୁ ଆଦାୟ କରିବା ପାଇଁ ସମ୍ପୃକ୍ତ ଏଆରସିଏସ୍‌ମାନଙ୍କୁ ବାରମ୍ବାର ତାଗିଦ କରାଯାଇଥିଲା‌। ହେଲେ କେହି ଶୁଣିନଥିଲେ। ଶେଷରେ ଏହି ଟଙ୍କା ବୁଡ଼ି ଯାଇଥିଲା ଓ ବ୍ୟାଙ୍କ୍‌ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ୨୦୦୪ ମସିହା ପର୍ଯ୍ୟନ୍ତ ଏହି ବ୍ୟାଙ୍କ୍‌ରେ ୨୫୦ଜଣ କର୍ମଚାରୀ ଥିଲେ। ଦୈବଦୁର୍ବିପାକରେ କୃଷି ଋଣ ଛାଡ଼ ଘୋଷଣା, ଦୀର୍ଘମିଆଦି ବ୍ୟାଙ୍କ୍‌କୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ସମୟରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିଲା। ୨୦୦୪ରୁ ବ୍ୟାଙ୍କ ବୁଡ଼ିବା ଆରମ୍ଭ ହୋଇଥିଲା। ଏହାର ପୁନରୁଦ୍ଧାର ନିମନ୍ତେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ୨୦୦୬ ମସିହାରେ ଓସ୍କାର୍ଡ ବ୍ୟାଙ୍କ ଉପରେ ଥିବା ରାଜ୍ୟ ସରକାରଙ୍କ ଋଣକୁ ଅଂଶଧନରେ ପରିବର୍ତ୍ତନ କରିବା ପାଇଁ ସୁପାରିସ କରିଥିଲେ। ଏହା କାର୍ଯ୍ୟକାରୀ ହୋଇଥିଲେ ବ୍ୟାଙ୍କ୍‌ ଏକ ଲାଭଦାୟକ ସଂସ୍ଥାରେ ପରିବର୍ତ୍ତନ ହୋଇଥାନ୍ତା। ଏହା ପରେ ଯଦି ବ୍ୟାଙ୍କ୍‌ ବନ୍ଦ କରାଯାଏ, ତେ‌ବେ କର୍ମଚାରୀମାନଙ୍କୁ ଥଇଥାନ କରିବା ପାଇଁ ମଧ୍ୟ କମିଟି ସରକାରଙ୍କୁ ସୁପାରିସ କରିଥିଲା। ହେଲେ କୌଣସିଟିରେ ସରକାର ଆଗେଇ ନ ଥିଲେ।

ସମ୍ବନ୍ଧିତ ଖବର