ଦସ୍ତାବିଜ ସହ ପ୍ରସ୍ତୁତ ରହିବାକୁ ରେଜିଷ୍ଟ୍ରାର୍‌ଙ୍କ ନିର୍ଦ୍ଦେଶ

ଓଏସ୍‌ସିବି ୧୦୦ କୋଟି ଟଙ୍କା ଦୁର୍ନୀତି

କଟକ : ଓଡ଼ିଶା ରାଜ୍ୟ କୋ’ପରେଟିଭ୍‌ ବ୍ୟାଙ୍କ (ଓଏସ୍‌ସିବି)ରେ ହୋଇଥିବା ୧୦୦ କୋଟି ଟଙ୍କା ଦୁର୍ନୀତି ଘଟଣାର ତଦନ୍ତ ପାଇଁ ନୋଟିସ ଜାରି କରିଛନ୍ତି ରାଜ୍ୟ କୋ’ପରେଟିଭ୍‌ ସୋସାଇଟି ରେଜିଷ୍ଟ୍ରାର। ଏ ସଂକ୍ରାନ୍ତରେ ଓଏସ୍‌ସିବିର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ୍‌ ଜାରି କରି ତଦନ୍ତ ସମୟରେ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବାରମ୍ବାର କୁହାଯାଇଥିଲେ ବି ବ୍ୟାଙ୍କ କର୍ତ୍ତୃପକ୍ଷ ହାଜର ହେଉ ନାହାନ୍ତି କି ଦସ୍ତାବିଜ ପ୍ରସ୍ତୁତ କରୁ ନାହାନ୍ତି। ଏଭଳି ସ୍ଥିତିରେ ତଦନ୍ତ ପ୍ରକ୍ରିୟା ଆଗେଇ ପାରୁ ନାହିଁ। ତେଣୁ ରେଜିଷ୍ଟ୍ରାର ବ୍ୟାଙ୍କକୁ ଯାଇ ଅଭିଯୋଗର ତଦନ୍ତ କରିବେ ଏବଂ ସେହି ସମୟରେ ଉପସ୍ଥିତ ରହି ଦସ୍ତାବିଜ୍‌ ଦାଖଲ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ବ୍ୟାଙ୍କ ପାଣ୍ଠିରୁ ବେଆଇନ ଭାବେ ଦରମା ଉଠାଇବା ପ୍ରକ୍ରିୟାରେ ୧୦୦ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଆଇନଜୀବୀ ପି.କେ.ପ୍ରଧାନ ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ଭୁବନେଶ୍ୱରସ୍ଥିତ ଆର୍ଥିକ ଅପରାଧ ଶାଖାରେ ଅଭିଯୋଗ ଦେଇଥିଲେ। ଅଭିଯୋଗ ଅନୁଯାୟୀ ୨୦୦୯, ମେ’ ୬ ତାରିଖରେ ବ୍ୟାଙ୍କ ପରିଚାଳନା ପରିଷଦ କର୍ମଚାରୀଙ୍କ ଅବସର ବୟସ ସୀମା ୫୮ରୁ ୬୦କୁ ବୃଦ୍ଧି କରି ପ୍ରସ୍ତାବ ଗୃହୀତ କରିଥିଲା। କିନ୍ତୁ ରେଜିଷ୍ଟ୍ରାର ଅଫ୍‌ କୋ’ପରେଟିଭ୍‌ ସୋସାଇଟିଙ୍କ ବିନା ଅନୁମୋଦନରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତୁଷାାର ପଣ୍ଡାଙ୍କ ଅବସର ବୟସ ବୃଦ୍ଧି ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏହି ବେଆଇନ ନିଷ୍ପତ୍ତି ଯୋଗୁଁ ବ୍ୟାଙ୍କ ପାଣ୍ଠିରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର