ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

୨୬ ଜଣଙ୍କୁ ସ୍ବର୍ଣ୍ଣ ପଦକ

ସମ୍ବଲପୁର : ଶିକ୍ଷା ହିଁ ନୂତନ ସଭ୍ୟତାର ମାର୍ଗ। ୨୦୩୫ ମସିହା ପରବର୍ତ୍ତୀ ଅବସ୍ଥାରେ ଯେଉଁ ନୂତନ ସଭ୍ୟତା ସୃଷ୍ଟି ହେବାକୁ ଯାଉଛି ସେଥିରେ ଉଦ୍ଭାବନ, ଆବିଷ୍କାର, ମାନବିକତା ରହିବା ଜରୁରୀ ହୋଇପଡ଼ିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଏହି ଲକ୍ଷ୍ୟକୁ ପୂରଣ କରିବ। ଏହା ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ଆଖି ଆଗରେ ରଖି ଶ୍ରେଷ୍ଠ ଶୈକ୍ଷିକ ପଦ୍ଧତି ଦେବା ସହ ଭାରତକୁ ସାରା ବିଶ୍ବରେ ଜ୍ଞାନ ଆହରଣ ପାଇଁ ସୁପର ପାୱାର ଭାବେ ପରିଚିତ କରିବ। ମଙ୍ଗଳବାର ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରାମଜୀ ତକ୍‌ୱା‌ଲେ ଏଭଳି ମତବ୍ୟକ୍ତ କରିଛନ୍ତି। ପ୍ରଫେସର ତକ୍‌ୱାଲେ ବିତିଲା ଦିନର କଥାକୁ ମନେ ପକାଇ ତତ୍କାଳୀନ ଓଡ଼ିଶାର ଶିକ୍ଷା ସଚିବଙ୍କ ଅନୁରୋଧ କ୍ରମେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କିଭଳି ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ସମାବର୍ତ୍ତନ ଉତ୍ସବର ଅଧ୍ୟକ୍ଷତା କରିଥିଲେ। ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ କିଭଳି ନାକ୍ ମାନ୍ୟତା ପାଇବ, ଅନଲାଇନ୍ ଜରିଆରେ ଏକାଡେମିକ୍ ପ୍ରୋଗ୍ରାମ୍ ପ୍ରଦାନ, କ୍ୟାମ୍ପସର ବିକାଶ, ସ୍ଥାୟୀ କର୍ମଚାରୀ ଓ ଅଧ୍ୟାପକ ନିଯୁକ୍ତି ଆଦି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଭବିଷ୍ୟତ ପାଇଁ କିଛି ଆହ୍ୱାନ ହୋଇ ରହିଥିବା ପ୍ରଫେସର ମହାପାତ୍ର କହିଥିଲେ। ଏହି ଅବସରରେ ପରିଚାଳନା ବୋର୍ଡ, ଏକାଡେମିକ୍ କାଉନସିଲ୍‌, ବିଶ୍ୱବିଦ୍ୟାଳୟ ଯୋଜନା ବୋର୍ଡର ସଦସ୍ୟ, ପରାମର୍ଶଦାତା ଏବଂ ସ୍ୱର୍ଣ୍ଣପଦକ ବିଜେତାମାନେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର ୧୧ଟି ସ୍ନାତକୋତ୍ତର କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍‌ର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ। ଉତ୍ସବରେ ମୋଟ ୨୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ସମୟରେ ୧୫୨୧ ଜଣଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର