ରାଉରକେଲା : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓସୁ) ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ପରୀକ୍ଷା ଆସନ୍ତା ୨୧ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଉଚ୍ଚତମ ନ୍ୟାୟାଳୟ ଦ୍ବାରା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଡିଗ୍ରି ପ୍ରଦାନ ନିମନ୍ତେ କରାଯିବାକୁ ଥିବା ପରୀକ୍ଷା ସମ୍ପର୍କିତ ଏକ ମାମଲାରେ ପ୍ରଦତ୍ତ ରାୟ ଏବଂ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଦ୍ବାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପରୀକ୍ଷା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ଆୟୋଜିତ ହେବ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଓସୁ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ହେବାକୁ ଯାଉଛି।
ଓସୁର ବିଭିନ୍ନ ପାଠ୍ୟକ୍ରମରେ ୧୬୪୦ଜଣ ଶିକ୍ଷାର୍ଥୀ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ପରୀକ୍ଷା ଦେବେ। ଶିକ୍ଷାର୍ଥୀମାନେ ଡେସ୍କଟପ୍, ଲାପ୍ଟପ୍ବା ସ୍ମାର୍ଟଫୋନ୍ ବ୍ୟବହାର କରି ଏହି ପରୀକ୍ଷା ଦେବେ। ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ପ୍ରାୟ ୧୨୨୫ ଜଣ ଗ୍ରାମାଞ୍ଚଳର ଥିଲାବେଳେ ୨୪ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା ଯଥା, ହଲ୍ଟିକେଟ୍, ମକ୍ଟେଷ୍ଟ ବା ପ୍ରତୀକାତ୍ମକ ପରୀକ୍ଷା ନିମନ୍ତେ ସମସ୍ତ ଶିକ୍ଷାର୍ଥୀଙ୍କୁ ଅଲଗା ଅଲଗା ଆଇଡି ଓ ପାସ୍ୱାର୍ଡ ଦିଆଯାଇଛି। ମୋଟ ୧୨୮ ପାଠ୍ୟକ୍ରମ ସହିତ ମୋଟ ୧୧ଟି ସ୍ନାତକୋତ୍ତର ବିଷୟ ପାଇଁ ଏହି ଅନ୍ଲାଇନ ପରୀକ୍ଷା ଆୟୋଜିତ ହେଉଛି। ଏଥିପାଇଁ ମୋଟ ୧୬ଟି ପରୀକ୍ଷା ଦିବସ ଏବଂ ପ୍ରତିଦିନ ୩ଟି ସିଟିଂ ପ୍ରତିଦିନ ପୂର୍ବାହ୍ନରୁ ୧୦ଟାରୁ ଆରମ୍ଭ ହେବ। ଏହି ପରୀକ୍ଷା ପାଇଁ ଶିକ୍ଷାର୍ଥୀଙ୍କ ଠୁ କୌଣସି ଦେୟ ନିଆଯାଇନାହିଁ। ଓସୁ ଅଧୀନରେ ଥିବା ମୋଟ ୭୦ଟି ଶିକ୍ଷାଦାନ କେନ୍ଦ୍ରର ସଂଯୋଜକ ଓ ୫ଟି ଆଞ୍ଚଳିକ କେନ୍ଦ୍ରର ଅଧିକାରୀଙ୍କୁ ଏହି ପରୀକ୍ଷା ସମ୍ପର୍କିତ ସମସ୍ତ ପ୍ରକାରର ବ୍ୟବସ୍ଥା ପରିଚାଳନାରେ ସହାୟତ କରିବା ପାଇଁ ଆବଶ୍ୟକ ସୂଚନା ଓ ପରାମର୍ଶ ଦିଆଯାଇଛି। ଏଥିସହିତ, ଓସୁ ପକ୍ଷରୁ ଅକ୍ଟୋବର ୨୦ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶନ ବ୍ୟବସ୍ଥା କରାଯାଇଛି, ଯାହାଫଳରେ ବିଦ୍ୟାର୍ଥୀମାନେ ରାଜ୍ୟ ଓ ରାଜ୍ୟବାହାରେ ଉଚ୍ଚତର ଶିକ୍ଷାଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପାଇବେ। ଓସୁ ପକ୍ଷରୁ ଅନ୍ଲାଇନ ମାଧ୍ୟମରେ ପରୀକ୍ଷା ସହିତ ଅନ୍ୟାନ୍ୟ କାର୍ଯ୍ୟ ପରିଚାଳନା ବିଶ୍ବବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ ଓ ଅଧ୍ୟାପକଙ୍କ ସମେତ ଶିକ୍ଷାର୍ଥୀମାନଙ୍କ ଏହି ନୂତନ ବ୍ୟବସ୍ଥା ଏକ ଅନନ୍ୟ ଅଭିଜ୍ଞତା ବୋଲି ଓସୁର କୁଳପତି ଡ. ଶ୍ରୀକାନ୍ତ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/OSOU-Sambalpur-Fee-Structure.jpg)