୮ବର୍ଷରେ ଲକ୍ଷେ ଲୋକ ପାଇଛନ୍ତି ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌)ରେ ସୁବିଧା

ଲୋକଙ୍କ ପାଇଁ ଖର୍ଚ ହେଲାଣି ୨୭୮ କୋଟି
ଦୁଇ ବର୍ଷରେ ବଢ଼ିଛି କିଡ୍‌ନି ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟ ଓ ରାଜ୍ୟ ବାହାରେ ୨୬ ବେସରକାରୀ ଡାକ୍ତରଖାନା ଯୋଜନାରେ ସାମିଲ

ଭୁବନେଶ୍ବର : ରାଜ୍ୟରେ ଗତ ୮ବର୍ଷ ଭିତରେ ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌)ରେ ୧ଲକ୍ଷରୁ ଅଧିକ ଲୋକଙ୍କୁ ଚିକିତ୍ସା ଦିଆଯାଇଛି। ଓଏସ୍‌ଟିଏଫ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅନେକ ଦୁରାରୋଗ୍ୟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ଓଏସ୍‌ଟିଏଫ୍‌ରେ ସରକାରୀ ଡାକ୍ତରଖାନାରେ ସର୍ବାଧିକ ରୋଗୀ ଚିକିତ୍ସିତ ହୋଇଥିବା ପରିସଂଖ୍ୟାନରୁ ଜଣା ପଡ଼ିଥିବାବେଳେ ଗତ ଦୁଇ ବର୍ଷ ଭିତରେ କିଡ୍‌ନି ଜନିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୧/୧୨ ମସିହାରେ ଏହି‌ ଯୋଜନା ଆରମ୍ଭ ହେବା ପରେ ୯୯୮ ଜଣଙ୍କୁ ଏହି ସୁବିଧା ଦିଆଯାଇଥିଲା। ପରବର୍ତୀ ବର୍ଷଗୁଡ଼ିକରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିଲା। ୨୦୧୨/୧୩ରେ ୭୨୫୮ ସରକାରୀ ଓ ୯୧୩ ଅଣ ଏମ୍‌ପ୍ୟାନେଲ ଡାକ୍ତରଖାନାକୁ ମିଶାଇ ୮୧୭୧ ରୋଗୀ, ୨୦୧୩/୧୪ରେ ୧୨୯୮୬ ରୋଗୀ, ୨୦୧୪/୧୫ରେ ୧୩୫୭୫ ରୋଗୀ, ୨୦୧୫/୧୬ରେ ୧୪୫୫୯, ୨୦୧୬/୧୭ରେ ୧୪୪୧୦ ରୋଗୀ, ୨୦୧୭/୧୮ରେ ୧୬୧୬୯ ରୋଗୀ ଓ ୨୦୧୮/୧୯ରେ ୨୩୭୯୪ ରୋଗୀଙ୍କୁ ଏହି ସୁବିଧା ମିଳିପାରିଛି। ସରକାରୀ ଡାକ୍ତରଖାନାରେ ୯୨ହଜାର ୫୮୪ଜଣ ଚିକିତ୍ସିତ ହୋଇଥିବା ବେଳେ ୯୪୧୦ ରୋଗୀ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଓଏସ୍‌ଟିଏଫ୍‌ ପାଇଁ ୩ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ରୋଗୀଙ୍କ ପିଛା ଏ ପର୍ଯ୍ୟନ୍ତ ୨୭୯ କୋଟି ଟଙ୍କା ଖର୍ଚ କରାଯାଇଛି। ସରକାରୀ ଡାକ୍ତରଖାନାରେ ୧୬୧ କୋଟି ଟଙ୍କା ଓ ବେସରକାରୀ ଡାକ୍ତରଖାନାରେ ପ୍ରାୟ ୧୧୫ କୋଟି ଟଙ୍କା ଖର୍ଚ ହୋଇଛି। ଏହାସହ ରାଜ୍ୟ ବାହାର ହସ୍ପିଟାଲରେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ ହୋଇଥିବା ସୂଚନା ମିଳିଛି। ତେବେ ଯେତେ ସଂଖ୍ୟକ ରୋଗୀ ଓଏସ୍‌ଟିଏଫ୍‌ରେ ଚିକିତ୍ସା ସୁବିଧା ପାଇଛନ୍ତି ତହିଁରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସହିତ ହୃଦ୍‌ରୋଗ ଓ ନ୍ୟୁରୋସର୍ଜରିର ସର୍ବାଧିକ ରୋଗୀ ରହିଛନ୍ତି। ଅତି ଜରୁରୀ ପରିସ୍ଥିତିରେ ସଂପୃକ୍ତ ରୋଗୀ ସିଧାସଳଖ ଡାକ୍ତରଖାନାରେ ଆଡମିଟ୍‌ ହେବା ପରେ ରୋଗୀଙ୍କୁ ଓଏସ୍‌ଟିଏଫ୍‌ ସୁବିଧା ଯୋଗାଇ ଦିଆଯାଉଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଓଏସ୍‌ଟିଏଫ୍‌ରେ ସମସ୍ତ ଦୁରାରୋଗ୍ୟ ରୋଗର ଚିକିତ୍ସା ସୁବିଧା ଦିଆଯାଉଛି। ତେବେ ଓଏସ୍‌ଟିଏଫ୍‌ ସୁବିଧା ପାଇବାକୁ ହେଲେ ରୋଗୀଙ୍କ ବିପିଏଲ୍‌ କାର୍ଡ କିମ୍ବା ଆୟ ପ୍ରମାଣପତ୍ର ଦେଖାଇବାକୁ ହେବ। ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ପରେ ଓଏସ୍‌ଟିଏଫ୍‌ ସୁବିଧା ପାଇବା ପାଇଁ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ବିଶେଷକରି ଗତ ଦୁଇବର୍ଷ ହେବ କିଡ୍‌ନି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। କିଡ୍‌ନି ପ୍ରତିରୋପଣଠାରୁ ଆରମ୍ଭ କରି ଡାଏଲିସିସ୍ ପାଇଁ ରୋଗୀମାନେ ଓଏସ୍‌ଟିଏଫ୍‌ ଉପରେ ନିର୍ଭର ହୋଇଛନ୍ତି। ରାଜ୍ୟ ବାହାରେ ଚିକିତ୍ସିତ ହେବାକୁ ଥିବା ରୋଗୀମାନଙ୍କୁ ମଧ୍ୟ ଏହି ସୁବିଧା ଦିଆଯାଇଛି। ଓଏସ୍‌ଟିଏଫ୍ ପାଇଁ ସମୁଦାୟ ୨୬ଟି ବେସରକାରୀ ଡାକ୍ତରଖାନା ପ୍ୟାନେଲଭୁକ୍ତ ହୋଇଛନ୍ତି। ତହିଁରେ ରାଜ୍ୟ ଭିତରେ ୧୪ଟି ବେସରକାରୀ ଡାକ୍ତରଖାନା ଥିବାବେଳେ ରାଜ୍ୟ ବାହାରେ ରାୟପୁରରେ ୨, ବିଶାଖାପାଟଣାରେ ୪ ଓ ସୁରଟରେ ୬ଟି ବେସରକାରୀ ଡାକ୍ତରଖାନାକୁ ପ୍ୟାନେଲ୍‌ଭୁକ୍ତ କରାଯାଇଛି। ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନେ ଏସବୁ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ତେବେ ଓଏସ୍‌ଟିଏଫ୍‌ ସୁବିଧା ପାଇବା ପାଇଁ ରୋଗୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗକୁ ଅଧିକାରୀ ଜଣକ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର