ଦିଲ୍ଲୀ ବିମାନବନ୍ଦରରୁ ଓଡ଼ିଶା ମୂର୍ତ୍ତି ଉଦ୍ଧାର

ଦେଢ଼ବର୍ଷ ତଳେ ଚୋରି ହୋଇଥିଲା କୋଟ୍ରାକ୍ଷୀଙ୍କ ମୂର୍ତ୍ତି, ବିଦେଶକୁ ଚାଲାଣ ସମୟରେ ଧରାପଡ଼ିଲା

ଚଣ୍ଡିଖୋଲ, : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମରୁ ଦେଢ଼ବର୍ଷ ତଳେ ଚୋରି ହୋଇଥିବା ଗ୍ରାମଦେବତୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ବିଦେଶକୁ ଚାଲାଣ ବେଳେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଜବତ କରାଯାଇଛି। ଚୋରା ଚାଲାଣକାରୀମାନେ ମୂର୍ତ୍ତିଟିକୁ ବିଦେଶ ପଠାଇବାକୁ କାର୍ଗୋରେ ବୁକ୍‌ କରି ସାରିଥିଲେ। କେବଳ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ)ର ଏନ୍‌ଓସି ଆବଶ୍ୟକ ଥିଲା। ମାତ୍ର, ଯାଞ୍ଚ୍‌ ସମୟରେ ଏହା ଚୋରି ମୂର୍ତ୍ତି ଏବଂ ଯାଜପୁର ଜିଲ୍ଲାର ଦର୍ପଣଗଡ଼ ଗ୍ରାମଦେବତୀଙ୍କ ପ୍ରାଚୀନ କୋଟ୍ରାକ୍ଷୀ ମୂର୍ତ୍ତି ବୋଲି ଜଣାପଡ଼ିଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ଏ ନେଇ ଯାଜପୁର ଏସ୍‌ପିଙ୍କୁ ଅବଗତ କରିବା ପରେ ଘଟଣା ସାମ୍‌ନାକୁ ଆସିଛି।

୨୦୨୧ ଜାନୁଆରି ୧୧ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦର୍ପଣଗଡ଼ ଗ୍ରାମରୁ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତିଟିକୁ ଚୋରି କରି ନେଇଥିଲେ। ପରଦିନ ସକାଳେ ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିବା ପରେ ଗ୍ରାମବାସୀ ମର୍ମାହତ ହେବାସହ ଏନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହିତ, ମନ୍ଦିର ସାମ୍‌ନାରେ ଧାରଣା ବି ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ ମୂର୍ତ୍ତି ଉଦ୍ଧାର ପାଇଁ ବେଶ୍‌ କିଛିଦିନ ଧରି ତନାଘନା ହୋଇଥିଲା। ଯାଜପୁର ଏସ୍‌ପି ରାହୁଲ ପିଆର୍‌ ମଧ୍ୟ ଦୁଇଥର ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। ହେଲେ, ସେତେବେଳେ ମୂର୍ତ୍ତି ଚୋରି ଘଟଣାର ରହସ୍ୟ ଉନ୍ମୋଚନ ହୋଇ ପାରିନଥିଲା। ଚୋରଙ୍କ ସନ୍ଧାନ ନେବାରେ ପୁଲିସ ବିଫଳ ହୋଇଥିଲା। ଶେଷରେ, ଗ୍ରାମବାସୀ ନିରାଶ ହୋଇ ମୂର୍ତ୍ତି ଚୋରି ହେବାର ୭ ମାସ ପରେ ଅନ୍ୟ ଏକ ମୂର୍ତ୍ତି ନିର୍ମାଣ କରି ତାହାକୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରି ଆସୁଛନ୍ତି।

ସମ୍ବନ୍ଧିତ ଖବର