ର‍୍ୟାଗିଂ ନେଲା ଜୀବନ

ବିଶାଖାପାଟଣାରେ ଓଡ଼ିଆ ଛାତ୍ରଙ୍କୁ ର‍୍ୟାଗିଂ

ଗଡ଼ପୋଷ : ର‍୍ୟାଗିଂ ନେଲା ଜୀବନ। ସହପାଠୀଙ୍କ ନିସ୍ତୁକ ମାଡ଼ରେ ଜଣେ ଓଡ଼ିଆ ଛାତ୍ରଙ୍କ ଜୀବନ ଚାଲିଯାଇଛି । ଭାଇଜାକର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷର ଜଣେ ବିଜ୍ଞାନ ଛାତ୍ର ଶ୍ରେୟଶ କେଶରଓ୍ଵାନୀ ଓରଫ ଓମ (୧୬) ଏପରି ଘଟଣାର ଶିକାର ହୋଇଛନ୍ତି। ତାଙ୍କର ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପୂର୍ବାହ୍ନରେ ମୃତ୍ୟୁ ହୋଇଛି।

ଗଡ଼ପୋଷ ନିବାସୀ ଶୈଳେଶ କେଶରଓ୍ଵାନୀଙ୍କ ଏକମାତ୍ର ପୁତ୍ର ଶ୍ରେୟଶ ଭାଇଜାକ୍‌ର ଶ୍ରୀଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇ ଥିଲେ। ସେଠାରେ ସେ ହଷ୍ଟେଲରେ ରହୁଥିଲେ। ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ଡିସେମ୍ବର ୨୬ ତାରିଖ ଦିନ ସେ ଗାଧୋଇବାକୁ ବାଥରୁମ୍‌ ଯାଇଥିବା ବେଳେ ୨ ଜଣ ଛାତ୍ର ପାଣି ପକାଇ ଥିଲେ। ଫଳରେ ସେ ଖସି ପଡ଼ିଥିଲେ। ଏହାପରେ ୫/୬ ଜଣ ଛାତ୍ର ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ରେ ଗୁରୁତର ହୋଇପଡ଼ିଥିଲେ। ଏ ସଂପର୍କରେ ସେ ସହକାରୀ ଅଧ୍ୟକ୍ଷ କେ.ଲକ୍ଷ୍ମଣ ରାଓଙ୍କୁ ଜଣାଇଥିଲେ। ମାତ୍ର ସେ କୁଆଡ଼େ କୌଣସି ପଦକ୍ଷେପ ନେଇ ନ ଥିଲେ। ୭ ତାରିଖରୁ ପୋଙ୍ଗଲ ପର୍ବ ପାଇଁ ଛୁଟି ହେଉଥିବାରୁ ଏହାପରେ ଯାହା କରିବା ବୋଲି କହିଥିଲେ। ଏପରିକି ଶ୍ରେୟଶଙ୍କ ଚିକତ୍ସା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରି ନ ଥିଲେ।

ଅସହାୟ ଶ୍ରେୟଶ ଦୁଇ ଦିନ ବିଛଣାରେ ପଡ଼ି ରହିବା ପରେ ତାଙ୍କ ବାପା ଶୈଳେଶଙ୍କୁ ଫୋନ କରିବାରୁ ସେ ବାଥରୁମରେ ପଡ଼ିଯାଇଥିବା କଥା କହିଥିଲେ। ଡିସେମ୍ବର ୨୯ ତାରିଖ ଦିନ ଶୈଳେଶ ସେଠାକୁ ଯାଇ ପୁଅ ଶ୍ରେୟଶଙ୍କ ପ୍ରାଥମିକ ଚିକିତ୍ସା କରାଇ ୩୦ ତାରିଖ ଦିନ ନେଇ ଆସିଥିଲେ। ଏହା ପରେ ମଧ୍ୟ ଶ୍ରେୟଶ ପ୍ରକୃତ କଥା ପ୍ରକାଶ କରି ନ ଥିଲେ। ପରେ ତାଙ୍କ ଗୋଡ଼, ହାତ, ଛାତିରେ ଗଭୀର ଯନ୍ତ୍ରଣା ହେବାରୁ ଘଟଣା ସଂପର୍କରେ କହିଥିଲେ। ତାଙ୍କ ସହପାଠୀ ନିତିଶ ଆର୍‌. ପାଟଲୁ, ଆଶିଷ ମେହେତୋ, କୁନାଲ ଆନନ୍ଦ ଓ ବିଶାଳ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଶ୍ରେୟଶ କହିଥିଲେ। ପରିବାର ଲୋକେ ତାଙ୍କୁ ରାଉରକେଲା ନେଇ ଚିକିତ୍ସା କରାଇଥିଲେ। ଗତ ୪ ତାରିଖ ଶ୍ରେୟଶଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ୫ ତାରିଖ ଭୁବନେଶ୍ୱରକୁ ନେଇଥିଲେ। ତେବେ, ଆମ୍ବୁଲାନ୍ସ ନ ପାଇବାରୁ ଏକ ଘରୋଇ ଭଡ଼ା ଗାଡ଼ିରେ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପୂର୍ବାହ୍ନ ୧୧ଟା ୪୦ ମି.ରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଶ୍ରେୟଶଙ୍କ ମୃତ୍ୟୁ ଖବର ପାଇ ଘଟଣା ସଂପର୍କରେ ପୁଲିସକୁ କିଛି କୁହନ୍ତୁ ନାହିଁ। ଦୋଷୀ ଛାତ୍ରଙ୍କୁ କଲେଜରୁ ଟିସି ଦେଇ ବାହାର କରି ଦିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ ବାରଂବାର ଚାପ ପକାଉଥିବା ଏହି ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର