ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରସଙ୍ଗ : କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ୟୁଜି, ପିଜି, ଡିପ୍ଲୋମା ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ ରହିଛି। ଏଥିସହ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଏବେ ସୁଦ୍ଧା ଯୁକ୍ତ୨ କଳା ବିଭାଗର ପରୀକ୍ଷା ଫଳ ବାହାରି ନ ଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଆଶାୟୀ ମେଧାବୀ ଛାତ୍ରଛାତ୍ରୀ, ଅଭିଭାବକମାନେ ଅଭିଯୋଗ କରିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆବେଦନ ଓ ମାର୍କ ସିଟ୍‌ ଦାଖଲ ସମୟ ସୀମାକୁ ଅଗଷ୍ଟ ୩୧ ଯାଏ ରଖାଯାଇଛି। ତେବେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ଯୁକ୍ତ୨ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇପାରି ନାହିଁ। ଯଦି ଆବେଦନ ସମୟ ସୀମା ଅଗଷ୍ଟ ୩୧ ରଖାଯାଏ ତେବେ ଓଡ଼ିଶାର ବହୁ ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ନେଇ ପଦକ୍ଷେପ ନିଆଯାଉଛି।

ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଯୁକ୍ତ୨ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଅଗଷ୍ଟ ୩୧ ସୁଦ୍ଧା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାର୍କସିଟ ଦାଖଲ କରିପାରିବେ ନାହିଁ। ଯଦି ଆବେଦନ ସମୟ ବୃଦ୍ଧି କରା ନ ଯିବ ତେବେ ବହୁ ମେଧାବୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ। ଏଭଳି ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ମାର୍କ ସିଟ ଦାଖଲ ସମୟ ସୀମାକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଫଳରେ ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ (ଯୁକ୍ତ୩) ପଢ଼ିବାରୁ ବଞ୍ଚିତ ହେବା ନେଇ ୨୯ ତାରିଖ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ପ୍ରତିବର୍ଷ ଓଡ଼ିଶାରୁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସ୍ନାତକ ଶିକ୍ଷା ଲାଭ କରିବାକୁ ଆବେଦନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଶତାଧିକ ଛାତ୍ରଛାତ୍ରୀ ନାମ ଲେଖାଇ ଉଚ୍ଚଶିକ୍ଷା ଲାଭ କରିଥାନ୍ତି।

ସମ୍ବନ୍ଧିତ ଖବର