ବିଦେଶରେ ପଢ଼ିବାକୁ ଓଡ଼ିଆ ଅମଙ୍ଗ, ଜାନୁଆରି ଓ ଫେବ୍ରୁଆରିରେ ଯାଇଛନ୍ତି ୩୦୯

ଆନ୍ଧ୍ରରୁ ସର୍ବାଧିକ ୧୨ ହଜାର, କରୋନାରେ ପ୍ରଭାବିତ ବିଦେଶରେ ଉଚ୍ଚଶିକ୍ଷା

ଭୁବନେଶ୍ବର : ଓଡ଼ିଶାରେ ପଢ଼ିବା ଲାଗି ବିଦେଶୀ ଛାତ୍ରଛାତ୍ରୀ ଆଗ୍ରହ ଦେଖାଉଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଅଲ୍‌ ଇଣ୍ଡିଆ ସର୍ଭେ ଅନ୍‌ ହାୟର ଏଜୁକେସନ (ଏଆଇଏସ୍‌ଏଚ୍‌ଇ) ରିପୋର୍ଟରେ ଦର୍ଶାଯାଇଛି। ତେବେ ଓଡ଼ିଶାରୁ ବିଦେଶକୁ ଯାଉଥିବା ପିଲାଙ୍କ ସଂଖ୍ୟା ବହୁତ କମ୍‌ ରହିଥିବା ନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୦୨୧ ‌ଜାନୁଆରି ପହିଲାରୁ ଫେବ୍ରୁଆରି ୨୮ ମଧ୍ୟରେ ଦେଶରୁ ୭୧ ହଜାର ୭୬୯ ଜଣ ଛାତ୍ରଛାତ୍ରୀ ବିଦେଶରେ ପଢ଼ିବାକୁ ଯାଇଛନ୍ତି। ଯେତେବେଳେ କି ଓଡ଼ିଶାରୁ ମାତ୍ର ୩୦୯ ଜଣ ଯାଇଛନ୍ତି। ଉକ୍ତ ଦୁଇ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଇସ୍ୟୁ ହୋଇଥିବା ପାସ୍‌ପୋର୍ଟ ଆଧାରରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଓଡ଼ିଶା ସହ ଯଦି ପଡ଼ୋଶୀ ରାଜ୍ୟଗୁଡ଼ିକୁ ତୁଳନା କରିବା ତେବେ ଆନ୍ଧ୍ରପ୍ରଦେଶରୁ ସର୍ବାଧିକ ୧୧ ହଜାର ୭୯୦ ଜଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଛନ୍ତି। ପଶ୍ଚିମବଙ୍ଗରୁ ୧୭୨୨ ଜଣ ବିଦେଶ ଗସ୍ତ କରିଛନ୍ତି। ଝାଡ଼ଖଣ୍ଡରୁ ୨୭୭ ଓ ଛତିଶଗଡ଼ରୁ ୨୬୫ ଜଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ବିଦେଶକୁ ଯାଇଛନ୍ତି। ମହାରାଷ୍ଟ୍ରର ୧୦,୧୬୬, ଗୁଜୁରାଟରୁ ୬୩୮୩, ପଞ୍ଜାବରୁ ୫୭୯୧, କେରଳରୁ ୫୦୪୦ ଜଣ ଯାଇଥିବା ବେଳେ ମିଜୋରାମରୁ ସର୍ବନିମ୍ନ ୬ ଜଣ ଉଚ୍ଚଶିକ୍ଷା ଲାଗି ଯାଇଛନ୍ତି। ବିଶେଷକରି କାନାଡା, ଆମେରିକା, ୟୁଏଇ, ଅଷ୍ଟ୍ରେଲିଆ, ଲଣ୍ଡନ, ଚାଇନା, ଜର୍ମାନୀ, ଫ୍ରାନ୍ସ ଆଦି ଦେଶରେ ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀ ଅଧିକ ଆଗ୍ରହ ଦେଖାଇଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ବିଦେଶକୁ ଯିବା ଲାଗି ଭାରତୀୟ ଛାତ୍ରଛାତ୍ରୀ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି। ୨୦୧୯ରେ ୫ ଲକ୍ଷ ୮୮ ହଜାର ୯୩୧ ଜଣ ଛାତ୍ରଛାତ୍ରୀ ବିଦେଶକୁ ଯାଇଥିଲେ। ଯାହାକି ୨୦୨୦ରେ ୫୫% କମିଯାଇଥିଲା। ଅର୍ଥାତ୍‌ ୨ ଲକ୍ଷ ୬୧ ହଜାର ୪୦୬ ଜଣ ବିଦେଶ ଗସ୍ତ କରିଥିଲେ। ୨୦୧୬ରେ ୩ ଲକ୍ଷ ୭୧ ହଜାର ୫୦୬, ୨୦୧୭ରେ ୪ ଲକ୍ଷ ୫୬ ହଜାର ୮୨୩, ୨୦୧୮ରେ ୫ ଲକ୍ଷ ୨୦ ହଜାର ୩୪୨ ଜଣ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ବିଦେଶକୁ ଯାଇଥିଲେ। ଚଳିତବର୍ଷ ଆରମ୍ଭରୁ କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିଥିଲା। ତେବେ ଦ୍ବିତୀୟ ଲହର ପରେ ପୁଣିଥରେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର