ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଘର ଓଡିଶାରେ। କିନ୍ତୁ ଓଡିଆ ବଦଳରେ ପଡ଼ୋଶୀ ଝାଡ଼ଖଣ୍ଡର ସ୍କୁଲକୁ ଯାଇ ହିନ୍ଦୀ ଭାଷାରେ ପାଠ ପଢ଼ିଥାନ୍ତି। ଏପରି ଘଟଣା ଦେଖିବାକୁ ମିଳେ ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ମରଣ୍ଡା ପଂଚାୟତରେ। ଏହି ପଂଚାୟତର ମରଣ୍ଡା ଗ୍ରାମର ପୋଡ଼ାଗ୍ରାମ ହେଉଛି କୁଦରସାହି। ସର୍ବମୋଟ୍ ୨୦ଟି ଆଦିବାସୀ ପରିବାର ବସବାସ କରନ୍ତି ଏହି ଗାଁରେ। କୁଦରସାହି ଠାରୁ ମରଣ୍ଡା ଗ୍ରାମକୁ ୩ କି.ମି ରାସ୍ତା। କୁଦରସାହି ଗ୍ରାମବାସୀ ଅଙ୍ଗନବାଡି, ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ, ପଂଚାୟତ ଅଫିସ, ବ୍ୟାଙ୍କ୍ ପର୍ଯ୍ୟନ୍ତ ସବୁକିଛି ମରଣ୍ଡା ଉପରେ ନିର୍ଭରଶୀଳ।

Advertisment

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। କିନ୍ତୁ କୁଦରସାହି ବାସିନ୍ଦା ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି। କୁଦରସାହିଠାରୁ ମରଣ୍ଡାରେ ଥିବା ଅଙ୍ଗନବାଡିର ଦୂରତା ୩ କି.ମି ଏବଂ ଉକ୍ତ ଖାଲଖମା ବିଶିଷ୍ଟ କୋଚ୍ଚା ରାସ୍ତାରେ ସମସ୍ତେ ଯିବା ଆସିବା କରିଥାନ୍ତି। ଫଳରେ କୁଦରସାହିର ଶିଶୁମାନେ ମରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ପ୍ରତ୍ୟେକଦିନ ଯାଇ ପାରନ୍ତି ନାହିଁ ଏବଂ ସୁଷମ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଦୂରତା ଅଧିକ ଥିବାରୁ ଛାତ୍ରଛାତ୍ରୀମାନେ ଅଙ୍ଗନବାଡ଼ି ସମାପ୍ତ ପରେ ୫ ଶହ ମିଟର ଦୂରରେ ଥିବା ପଡୋଶୀ ଝାଡ଼ଖଣ୍ଡ ରାଜ୍ୟ ମନଝରୀ ଥାନାର କାଠଭାରି ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି। ଉକ୍ତ ଗ୍ରାମର ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ବର୍ତ୍ତମାନ ୬ ଜଣ ଆଦିବାସୀ ଛାତ୍ରଛାତ୍ରୀ କାଠଭାରୀ ଗ୍ରାମକୁ ଯାଇ ପଢିଥାନ୍ତି।

publive-image

ଏସମ୍ବନ୍ଧରେ ଝାଡ଼ଖଣ୍ଡ ସ୍କୁଲକୁ ଯାଉଥିବା ଜଣେ ଛାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ଓଡ଼ିଶାରେ ଥିବା ସ୍କୁଲର ଦୂରତା ଅଧିକ ଓ ରାସ୍ତା ମଧ୍ୟ ଭଲ ନାହିଁ। ତେବେ ଝାଡଖଣ୍ଡର ସ୍କୁଲ ଅଳ୍ପ ଦୂର ଏବଂ ଭଲ ପାଠପଢା ହେଉଥିବାରୁ ହିନ୍ଦି ଭାଷାରେ ପାଠ ପଢ଼ିବାକୁ ଯାଉଥିବା ପ୍ରକାଶ କରିଛନ୍ତି। ୬ ଜଣ ଛାତ୍ରଛାତ୍ରୀ ମଧ୍ୟ ଝାଡ଼ଖଣ୍ଡରେ ଥିବା ସ୍କୁଲକୁ ପାଠପଢିବାକୁ ଯାଉଛନ୍ତି। କାଠଭାରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଧର କେଶରୀ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିଦ୍ୟାଳୟକୁ ପୂର୍ବରୁ ଓଡିଶାର ଅଧିକାଂଶ ଛାତ୍ରଛାତ୍ରୀ ହିନ୍ଦୀ ଭାଷାରେ ପାଠ ପଢି ମେଟ୍ରିକ୍ ପାଶ୍ କରି ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି କହିଛନ୍ତି।

ତେବେ ବର୍ତ୍ତମାନ ମଧ୍ୟ ତାଙ୍କ ବିଦ୍ୟାଳୟକୁ ଓଡିଆ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଥିବା ପ୍ରକାଶ କରୁଛନ୍ତି। ଚଳିତ ବର୍ଷ କୁଦରସାହିର ଦୁଇଜଣ ଛାତ୍ର ଝାଡ଼ଖଣ୍ଡର ନବଦୋୟ ବିଦ୍ୟାଳୟରେ ସ୍ଥାନ ପାଇଥିବା ସୂଚନା ମିଳିଛି। କୁଦରସାହିକୁ ସଂଯୋଗ କରୁଥିବା କୋଚ୍ଚା ରାସ୍ତାକୁ ପକ୍କା ରାସ୍ତା ଓ କୁଦରସାହିଠାରେ ମିନି ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଏହା ବ୍ୟତୀତ କୁଦରସାହି ଗ୍ରାମବାସୀ ଚିକିତ୍ସା ପାଇଁ ଝାଡ଼ଖଣ୍ଡ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଚଳଣି ନିମନ୍ତେ ସଉଦା କରିବାକୁ ଝାଡ଼ଖଣ୍ଡର ଦୋକାନ ଓ ହାଟ କରିବାକୁ ମଧ୍ୟ ଝାଡଖଣ୍ଡ ରାଜ୍ୟ ଉପରେ ନିର୍ଭର କରନ୍ତି। ଗ୍ରମବାସୀଙ୍କ ଠାରୁ ପ୍ରକାଶ ଯେ ଓଡ଼ିଶା ଅପେକ୍ଷା ଝାଡ଼ଖଣ୍ଡ ସମସ୍ତ ଜିନିଷ ଜିନିଷ ସସ୍ତାରେ ମିଳିଥାଏ। ସେଥିପାଇଁ ସେମାନେ ଓଡ଼ିଶା ପରିବର୍ତ୍ତେ ଝାଡ଼ଖଣ୍ଡ ଉପରେ ନିର୍ଭର କରିଥାନ୍ତି।