ଗୁରୁତର ହେଲାଣି ଡାକ୍ତର ସଙ୍କଟ

ମନ୍ତ୍ରୀ ବି ଅସହାୟତା ପ୍ରକାଶ କଲେ
ହସ୍ପିଟାଲ୍‌ରେ ଯନ୍ତ୍ରପାତି ସଚଳ କରିବାକୁ ଦାବି

ଭୁବନେଶ୍ୱର : ରାଜ୍ୟରେ ଡାକ୍ତର ସଙ୍କଟ ଗୁରୁତର ଆକାର ଧାରଣ କଲାଣି। ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳ ମତ ନିର୍ବିଶେଷରେ ସମସ୍ତେ ଭୀଷଣ ଉଦ୍‌ବେଗ ପ୍ରକାଶ କରିଥିଲେ। କେଉଁଠି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ରେ ଡାକ୍ତର ନାହାନ୍ତି ତ କେଉଁଠି ସିଏଚ୍‌ସି, ପିଏଚ୍‌ସିରେ ନାହାନ୍ତି। ପୁଣି କେଉଁଠି ଡେପୁଟେସନ୍‌ରେ ସହରାଞ୍ଚଳକୁ ଆସି ଆଉ ଫେରୁ ନାହାନ୍ତି। ସ୍ୱାସ୍ଥ୍ୟ ସେବା ପାଇଁ ଲୋକମାନେ ଅସୁବିଧା ଭୋଗୁଛନ୍ତି ବୋଲି ବିଧାୟକମାନେ ଦର୍ଶାଇଥିଲେ।

ପ୍ରଶ୍ନକାଳରେ ରୋଗ ନିରୂପରଣ ନିମନ୍ତେ ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ସ୍କାନିଂ ମେସିନ୍‌ର ଉପଲବ୍ଧ ନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୂଳ ପ୍ରଶ୍ନ କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇଥିଲେ, ଅଦ୍ୟାବଧି ରାଜ୍ୟରେ ୯ଟି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ମୟୂରଭଞ୍ଜ, ପୁରୀ, କେନ୍ଦୁଝର, କଳାହାଣ୍ଡି, କୋରାପୁଟ ଓ ସୁନ୍ଦରଗଡ଼ ଏବଂ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପିପିପି ମୋଡ୍‌ରେ ସିଟି ସ୍କାନ୍‌ ସେବା, ନିଃଶୁଳ୍କ ରୋଗ ନିରୂପଣ ସେବା(ନିଦାନ) ମାଧ୍ୟମରେ ସରକାରଙ୍କ ତରଫରୁ ଉପଲବ୍ଧ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ରାଜ୍ୟର ଚାରିଟି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଅନୁଗୁଳ, ବାଲେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ପିପିପି ମୋଡ୍‌ରେ ଏମ୍‌ଆର୍‌ଆଇ ସ୍କାନ୍‌ ସେବା ବିନା ମୂଲ୍ୟରେ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ଏହା ବାଦ୍‌ ଏସ୍‌ସିବି ମେଡିକାଲ୍‌ କଲେଜ ଓ ଭିଏସ୍‌ଏସ୍‌ ମେଡିକାଲ କଲେଜରେ ମାଗଣା ସିଟି ସ୍କାନ୍‌ ସେବା ଉପଲବ୍ଧ। ଏସ୍‌ସିବି, ଭିଏସ୍‌ଏସ୍‌ ଓ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଏମ୍‌ଆର୍‌ଆଇ ସେବା ଉପଲବ୍ଧ। ଆମ ରାଜ୍ୟରେ ଓଡ଼ିଶା କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆମେଣ୍ଡମେଣ୍ଟ୍‌ ଆକ୍ଟ, ୨୦୧୬ ଅନୁଯାୟୀ ବେସରକାରୀ ସ୍ତରରେ ସିଟି ସ୍କାନ୍‌ ଓ ଏମ୍‌ଆର୍‌ଇ ଦେୟକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି।

ଶ୍ରୀ ସ୍ୱାଇଁ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କହିଥିଲେ, କେଉଁ ସଂସ୍ଥା ସହ ପିପିପି ମୋଡ୍‌ ପାଇଁ ଚୁକ୍ତି ହୋଇଛି ? ୨୦୧୬ ମସିହାରୁ ଓଡ଼ିଶା କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆମେଣ୍ଡମେଣ୍ଟ୍‌ ଆକ୍ଟ ବିଧାନସଭାରେ ପାରିତ ହୋଇଥିଲେ ବି ତାହାର ନିୟମ କାହିଁକି ପ୍ରଣୟନ କରାଯାଉ ନାହିଁ ? ମନ୍ତ୍ରୀ କହିଥିଲେ, ନିୟମ ପ୍ରଣୟନ ପାଇଁ ପଦକ୍ଷେପ ନିଆଯାଉଛି। ଖୁବ୍‌ ଶୀଘ୍ର ତାହା ଲାଗୁ ହେବ। ପିପିପି ମୋଡ୍‌ରେ କେଉଁ ସଂସ୍ଥା ସହ ଚୁକ୍ତି ହୋଇଛି, ସେ ସମ୍ପର୍କରେ ମନ୍ତ୍ରୀ କିଛି କହି ନ ଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ଭର୍ତ୍ସନା କରି କହିଥିଲେ, ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ରେ ସିଟି ସ୍କାନ୍‌ ମେସିନ୍‌ ଅଛି ବୋଲି ମନ୍ତ୍ରୀ କହୁଛନ୍ତି। ମେସିନ୍‌ ଅଛି ସତ। କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇ ନାହିଁ। ଦାୟିତ୍ୱରେ ଥିବା ଲୋକମାନେ ଜାଣିଶୁଣି ତାହା କରୁ ନାହାନ୍ତି। ଏମ୍‌ଆର୍‌ଆଇ ମେସିନ୍‌ ନାହିଁ। ଏକ୍ସରେ ମେସିନ୍‌ କିଣା ହୋଇ ରଖାଯାଇଛି। ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌କୁ ମେଡିକାଲ କଲେଜରେ ପରିଣତ କରାଯାଇ ଆସନ୍ତା ବର୍ଷ ନାମ ଲେଖା ହେବ ବୋଲି ସରକାର କହୁଛନ୍ତି। କିନ୍ତୁ ଏପରି ଅବ୍ୟବସ୍ଥା କାହିଁକି ? ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଶ୍ରୀ ମିଶ୍ର ଆଶଙ୍କା ପ୍ରକଟ କରିଥିଲେ। ମନ୍ତ୍ରୀ କହିଥିଲେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ମେସିନ୍‌ କାର୍ଯ୍ୟକ୍ଷମ ହେବ। ଆସନ୍ତା ଶିକ୍ଷା ବର୍ଷ ଠାରୁ ବଲାଙ୍ଗୀର ମେଡିକାଲ କଲେଜରେ ନିଶ୍ଚିତ ନାମଲେଖା ହେବ।

ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ, ଭିମ୍‌ସାର୍‌ରେ ପୁରୁଣା ସିଟି ସ୍କାନ୍‌ ମେସିନ୍‌ ଅଛି। ଦିନେ କାମ କଲେ ୧୫ ଦିନ ଅଚଳ ହେଉଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଉ। ବିଧାୟକ ସଞ୍ଜୟ ଦାସବର୍ମା ତାଙ୍କ ନିର୍ବାଚନମଣ୍ଡଳୀର ଡାକ୍ତର ସମସ୍ୟା କଥା ଉଠାଇ କହିଥିଲେ, କୃଷ୍ଣପ୍ରସାଦ ବ୍ଲକ୍‌ର ସିଏଚ୍‌ସିରେ ଥିବା ଡାକ୍ତର ଡେପୁଟେସନ୍‌ରେ ଅନ୍ୟତ୍ର ଆସିଛନ୍ତି। ସେଠାରେ ରୋଗୀ ସେବା ବିପର୍ଯ୍ୟସ୍ତ ହେଲାଣି। ତୁରନ୍ତ ସେଠାରେ ଡାକ୍ତର ନିଯୁକ୍ତି ଦିଆଯାଉ। ବିଧାୟିକା ରାଜଶ୍ରୀ ମଲ୍ଲିକ ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀର ଡାକ୍ତର ସମସ୍ୟା ଉଠାଇଥିଲେ। ଚିରଞ୍ଜୀବୀ ବିଶ୍ୱାଳ ମଧ୍ୟ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଡାକ୍ତର ସଙ୍କଟ କଥା କହିଥିଲେ। ବିଧାୟକ ବସନ୍ତ ପଣ୍ଡା, କୃଷ୍ଣଚନ୍ଦ୍ର ସଗରିଆ, ପ୍ରଭାତ ତ୍ରିପାଠୀ, ଯୋଗେଶ ସିଂହ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ଡାକ୍ତର ସଙ୍କଟକୁ ମନ୍ତ୍ରୀ ସ୍ୱୀକାର କହିଥିଲେ, ବହୁ ହସ୍ପିଟାଲ୍‌ରେ ଡାକ୍ତର ପଦବି ଖାଲି ପଡ଼ିଛି। ବର୍ତ୍ତମାନ ୨,୧୭୩ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି। ଏହି ପ୍ରକ୍ରିୟା ସରିଲେ ଆଉ ଡାକ୍ତର ସଙ୍କଟ ରହିବ ନାହିଁ। ଏହା ବାଦ୍‌ ବିଭିନ୍ନ ହସ୍ପିଟାଲ୍‌ରେ ଯନ୍ତ୍ରପାତିର ନବୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର