ବର୍ଷ ଆରମ୍ଭରୁ ରାଜଧାନୀ ରାଜରାସ୍ତାରେ ବ୍ଲକଗ୍ରାଣ୍ଟ ଶିକ୍ଷକ : ୩୦ ଲକ୍ଷ ପିଲାଙ୍କ ପାଠରେ ଡୋରି

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭରୁ ପାଠପଢ଼ା ବ୍ୟାହତ ହେଲାଣି। ଶିକ୍ଷାବର୍ଷ ଆରମ୍ଭରୁ ଶିକ୍ଷକମାନେ ବିଦ୍ୟାଳୟ ଛାଡି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଣୁ ତିନି ଦିନ ହେଲା ରାଜ୍ୟର ୨୫୦୦ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଓ ୧୫୦୦ ବ୍ଲକଗ୍ରାଣ୍ଟ କଲେଜରେ ପାଠପଢ଼ା ଗଭୀର ଭାବେ ପ୍ରଭାବିତ ହୋଇଛି।

ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆହ୍ଵାନକ୍ରମେ ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନେ ରାଜଧାନୀ ରାସ୍ତାରେ ରାତି କାଟୁଛନ୍ତି। ଗୋଟିଏ ପଟେ ଗୁଣାତ୍ମକ ଶିକ୍ଷା ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ରାଜ୍ୟର ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେବା ଘଟଣା ଅଭିଭାବକ ଓ ବୁଦ୍ଧିଜୀବୀ ମହଲକୁ ଚିନ୍ତାରେ ପକାଇଛି।

ଶିକ୍ଷକଙ୍କର ଅଭିଯୋଗ ହେଉଛି, ଗତଥର ଆଲୋଚନା ବେଳେ ମିଳିତ ମଞ୍ଚର ପ୍ରତିନିଧିଙ୍କୁ ଜୁନ୍‌ ମାସ ସୁଦ୍ଧା ଦାବିଗୁଡ଼ିକ ପୂରଣ ହୋଇଯିବ ବୋଲି କୁହାଯାଇଥିଲା। ଅଗଷ୍ଟ ଶେଷ ହେବାକୁ ବସିଥିଲେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇନି। ଯେଉଁଥିପାଇଁ ଗତ ୧୬ ତାରିଖରୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ରାଜଧାନୀରେ ଗଣଧାରଣାରେ ବସିଛନ୍ତି। ସ୍କୁଲ, କଲେଜକୁ ଯାଉନାହାନ୍ତି। ପିଲାଙ୍କ ପାଠପଢ଼ା ବି ହେଉନି। ଯେଉଁ କେତେଜଣ ଶିକ୍ଷକ ବିଦ୍ୟାଳୟରେ ରହିଛନ୍ତି ସେମାନେ ପିଲାଙ୍କୁ ପଢ଼ାଉଛନ୍ତି।
ବର୍ତମାନ ସୁଦ୍ଧା ପ୍ରାୟ ୩୫୦୦ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟାହତ ହୋଇଥିବା ଖବର ମିଳିଛି। କେଉଁଠି ଦୁଇ ଜଣ ଶିକ୍ଷକରେ ସ୍କୁଲ ଚାଲୁଛି ତ ଆଉ କେଉଁଠି ଅଧାରୁ କଲେଜ ଛୁଟି ହୋଇଯାଉଛି।

ଦାବି ପୂରଣ ହେଉ ନ ଥିବାରୁ ଆଜି ମିଳିତ ମଞ୍ଚର ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର ହୋଇଛି। ଆସନ୍ତା ସପ୍ତାହରୁ ସ୍କୁଲ, କଲେଜକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ। ଶିକ୍ଷାନୁଷ୍ଠାନରେ ତାଲା ପକାଇ ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ରାଜଧାନୀକୁ ଚାଲି ଆସିବେ। ଏହାପରେ ଯେଉଁ ଅବସ୍ଥା ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ତିନି ଦିନ ହେଲା ପାଠପଢ଼ା ପ୍ରଭାବିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏ ଘଟଣାରେ ହସ୍ତକ୍ଷେପ କରିନାହାନ୍ତି। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦାବି ପୂରଣ ନେଇ ଗଠିତ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିର ପ୍ରତିନିଧିମାନେ ମଧ୍ୟ ଆଲୋଚନା ଲାଗି ବାଟ ଖୋଲିନାହାନ୍ତି।

ସୂଚନାଯୋଗ୍ୟ ଯେ, ସର୍ତ୍ତମୂଳକ ନୂତନ ଅନୁଦାନ ଆଇନକୁ ପ୍ରତ୍ୟାହାର, ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ଅନୁଦାନଯୋଗ୍ୟ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ସପ୍ତମ ବେତନ କମିସନ ଲାଗୁ, ବକେୟା ଦରମା ପ୍ରଦାନ ସମେତ ବିଭିନ୍ନ ଦାବିି ନେଇ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଉଛି।

ସମ୍ବନ୍ଧିତ ଖବର