ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନକୁ ୫ ଦିନ ବିତିଲା : ଆଜି ଗାନ୍ଧୀମାର୍ଗରେ ମହାସମାବେଶ

ଭୁବନେଶ୍ୱର : ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଅହୋରାତ୍ର ବିଶାଳ ଗଣଧାରଣାକୁ ପାଞ୍ଚ ଦିନ ବିତିଲାଣି। ୩ ଦିନ ହେଲା ସ୍କୁଲରେ ପାଠପଢ଼ା ବ୍ୟାହତ ହେଲାଣି। ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ରାଜ୍ୟ ସରକାର ନିରବଦ୍ରଷ୍ଟା। ଦାବି ପୂରଣ ଦିଗରେ ପଦକ୍ଷେପ ନେଇନାହାନ୍ତି। ସରକାରଙ୍କ ଏଭଳି ଉଦାସୀନ ମନୋଭାବକୁ ମିଳିତମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କଡ଼ା ସମାଲୋଚନା କରିଛନ୍ତି।

ଦାବି ପୂରଣ ପ୍ରତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କିମ୍ବା ସଚିବ ଗୁରୁତ୍ୱ ଦେଉ ନଥିବା ବେଳେ ମଙ୍ଗଳବାର ପୁଣିଥରେ ମହାସମାବେଶ ଡାକରା ଦେଇଛି ମିଳିତ ମଞ୍ଚ। ବିଧାନସଭା ସମ୍ମୁଖରେ ହେବାକୁ ଥିବା ଏହି ସମାବେଶରେ ସାରା ରାଜ୍ୟରୁ ୪୦ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ସାମିଲ ହେବେ। ମଙ୍ଗଳବାରଠାରୁ ରାଜ୍ୟର ଆଉ କେତେକ ସ୍କୁଲ ଓ କଲେଜରେ ପାଠପଢ଼ା ବ୍ୟାହତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ସମାନ ଦାବି ନେଇ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ତଥାପି ଦାବି ପୂରଣ କରାଯାଉନି। ଛାତ୍ରଛାତ୍ରୀଙ୍କର ଯେଉଁ କ୍ଷତି ହେଉଛି ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆଜି ପୁଣିଥରେ ସମାବେଶରେ ବକ୍ତାମାନେ ମତ ଦେଇଛନ୍ତି। ଏହି ସଭାରେ ଠାକୁର ରଞ୍ଜିତ୍‌ ଦାସ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, କିଷାନ ମଞ୍ଚର ସାଧାରଣ ସମ୍ପାଦକ ସୁରେନ୍ଦ୍ର ବିଶ୍ୱାଳ, ବିଜେପି ଯୁବ ସଦସ୍ୟ ଅଭିଜିତ୍‌ ମିଶ୍ର, ପୂର୍ବତନ ଶିକ୍ଷକ ନେତା ରାଧାଶ୍ୟାମ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର